Advertisment

ନିର୍ବାଚନରେ ହିଂସା ଘଟାଇବା ପାଇଁ ବଳ ଦେଉଛି କିଏ?

ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ।

author-image
Chandan Shishu
undefined

target to journalists

ଭୁବନେଶ୍ୱର: ପୋଲିସ୍, ବିଡିଓ, ସାମ୍ବାଦିକ। ଭୋଟ୍ ହିଂସାକାରୀଙ୍କ କବଳରୁ କେହି ବର୍ତ୍ତୁନାହାନ୍ତି। କାହାକୁ ନିସ୍ତୁକମାଡ଼ ତ କାହାକୁ ଆକ୍ରମଣ। ପ୍ରଥମ ଦୁଇ ପର୍ଯ୍ୟାୟରେ ବିଶୃଙ୍ଖଳା  ଯାହା ଥିଲା, ତୃତୀୟ ପର୍ଯ୍ୟାୟରେ ସବୁକୁ ବଳିଗଲା। ଚଳିତ ପଞ୍ଚାୟତ ନିର୍ବାଚନରେ ହିଂସାର ହିସାବକୁ ଦେଖିଲେ ଲାଗୁଛି ଯେମିତି ବିଶୃଙ୍ଖଳାକାରୀଙ୍କ ୧ନମ୍ବର ଟାର୍ଗେଟ୍‌ରେ ଅଛନ୍ତି ସାମ୍ବାଦିକ। ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲା କଣାସରୁ ଆରମ୍ଭ ହୋଇଥିବା ଏ ଧାରା ପରେ ପରେ ଢେଙ୍କାନାଳ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ବ୍ୟାପି ସାରିଛି।

Advertisment

ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ସନ୍ତରାଗଡ଼ଇା ଛକରେ ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଗାଁ ଲୋକେ। ଗତକାଲି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ଆଧାରରେ ପୋଲିସ୍ ଅଭିଯୁକ୍ତକୁ ଆଣୁଥିବାବେଳେ ଏମିତି ହଟହଟ୍ଟା ହେବାକୁ ପଡିଛି। ତେଣେ ଗତକାଲି ଯାଜପୁର ବିଞ୍ଝାରପୁର ବାଛୋଳରେ ବୁଥ୍ ରିଗିଂ ଉଦ୍ୟମ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ସାମ୍ବାଦିକଙ୍କୁ ନିସ୍ତୁକ ମାଡ଼ ଓ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଗିରଫଦାରି ସଂଖ୍ୟା ୧୧କୁ ବଢିଛି। ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛନ୍ତି ଯାଜପୁର ଏସ୍ପି।

ଗତକାଲି ଭଦ୍ରକ ଫତେପୁର ପଞ୍ଚାୟତର ବଡ଼ଗାଲୋ ସ୍କୁଲରେ ବୁଥ୍ ରିଗିଂ ସହ ପୋଲିସ ଉପସ୍ଥିତିରେ ଲେଡି ଡନ୍ ଭଳି ସାମ୍ବାଦିକଙ୍କୁ ରୁବାବ ଦେଖାଉଥିବା ମହିଳାଙ୍କର ଆଜି ବିସ୍ତୃତ ପରିଚୟ ଜଣାପଡିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା। ତାଙ୍କ ନାଁ ରୀତାଞ୍ଜଳି ପାତ୍ର। ଗତଥର ଭଦ୍ରକ ୮ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ଟିକେଟରେ ଜିତିଥିଲେ। ଆଉ ଏଥର ତାଙ୍କ ଶ୍ୱଶୁର ସରପଞ୍ଚ ପଦ ପାଇଁ ନିର୍ବାଚନ ରଣାଙ୍ଗନରେ ଶାସକ ଦଳର ହୋଇଥିବାରୁ ଯେମିତି ଇନ୍ଦ୍ରଚନ୍ଦ୍ର ମାନୁନଥିଲେ।

Advertisment

ତେବେ ତାଙ୍କ ଦାଦାଗିରିର ଚିତ୍ର ସାମ୍ନାକୁ ଆସିବା ପରେ ବଢିଛି ବିରୋଧ। ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ପ୍ରିଜାଇଡିଂ ଅଫିସର ଓ ବିଡିଓଙ୍କ ତଦନ୍ତ ଆଧାରରେ ଆକ୍ସନ ହେବ। ଏଣେ ରୀତାଞ୍ଜଳିଙ୍କ ଗତକାଲିର ଦାଦାଗିରି ଭିଜୁଆଲ୍ ସୋସିଆଲ୍ ମିଡିଆରେ ମାଡ଼ି ଚାଲିଥିବାବେଳେ, ଆଜି ପୁଣି ଟାଣପଣର ସହ କହୁଛନ୍ତି- ସେ ଥିବା ବୁଥ୍‌ରେ ବିନା ବିଶୃଙ୍ଖଳାରେ ନିରପେକ୍ଷ ମତଦାନ ହୋଇଛି ଯାହା ମିଡିଆରେ ଭାଇରାଲ୍ ହେଉଛି ସବୁ ମିଛ।

ଭୋଟ୍ ଖବର ସଂଗ୍ରହ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବାରମ୍ବାର ଆକ୍ରମଣକୁ ନେଇ ବଢିଛି ଚିନ୍ତା। ଉଦବେଗ ପ୍ରକାଶ କରି ଗତକାଲି ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏମିତିକି ନିର୍ବାଚନ ପରିଚାଳନାରେ ଭାଗ ନେଉଥିବା ଅଧିକାରୀଙ୍କ ଉପରେ ଆକ୍ରମଣ ହେଲେ ଯେଉଁ ଦଫା ଲଗାଯାଉଛି, ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କ୍ଷେତ୍ରରେ ବି ସମାନ ଦଫା ଲଗାଇବାକୁ ଅନୁରୋଧ କରିଛି।

ତେବେ ଏଠି ପ୍ରଶ୍ନ ଭୋଟ୍ ଗଡ଼ବଡ଼ିକୁ ସାମ୍ନା ଆଣୁଥିବାରୁ ସାମ୍ବାଦିକଙ୍କ ଉପରେ ହେଉଛି କି ଏଭଳି ମରଣାନ୍ତକ ଆକ୍ରମଣ ? ଏଭଳି ହୀନ କାର୍ଯ୍ୟ କରିବାକୁ କେଉଁଠୁ ବଳ ପାଉଛନ୍ତି ଆକ୍ରମଣକାରୀ ? ବରିଷ୍ଠ ସାମ୍ବାଦିକ କହିଛନ୍ତି ଏହା ଉପରେ ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ।

Odisha Panchayat Elections Panchayat Violence
Advertisment
Advertisment