/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750087391.jpg)
Domestic Violence In Odisha
ଅପରାଧ ଭିଆଉଛି ଜଣେ, ଦଶା ଭୋଗୁଛନ୍ତି ଅନ୍ୟମାନେ। ନା କେହି ସହାୟତାର ହାତ ବଢ଼ାଉଛନ୍ତି ନା କେହି ତାଙ୍କୁ ଆଡ଼ ଆଖିରେ ଚାହୁଁଛନ୍ତି। ଘରର ରୋଜଗାରିଆ ପୁଅ ମଣିଷ ମାରି ଜେଲ ଯିବା ପରେ ଅନ୍ୟ ସଦସ୍ୟ ଷଢୁଛନ୍ତି ଭୋଗ କଷ୍ଟରେ। ଗୋଟିଏ କି ଯୋଡ଼ିଏ ଘଟଣା ନୁହେଁ, ଘରୋଇ ହିଂସାର ଭୟଙ୍କର ପରିଣାମ ଭିତରେ ଅନେକ ପରିବାରର ନିରୀହ ସଦସ୍ୟ ଛନ୍ଦି ହେଉଛନ୍ତି ସାଂଘାତିକ ଯନ୍ତ୍ରଣାରେ। ସେମାନଙ୍କ ବା ଦୋଷ କ’ଣ ? କାହିଁକି ଘଟୁଛି ଏମିତି ? କିଏ ଏଥିପାଇଁ ଦାୟୀ ? ଆସନ୍ତୁ ଜାଣିବା...
ଛିଡ଼ିପଡ଼ିଛି ଦୁଃଖର ପାହାଡ଼...ଯନ୍ତ୍ରଣା ଦେଉଛି ବଳକା ଜୀବନ...ଗୋଟିଏ ପଟେ ଘରର ପୁଅ ଭିଆଇଥିବା ଅପରାଧର ଅପବାଦ ବୋଝ...ଆରପଟେ ଦାଉ ସାଧୁଛି ଉତ୍କଟ ଦାରିଦ୍ର୍ୟ... କେତେବେଳେ କେମିତି ଭାଗ୍ୟକୁ ଶୁଖିଲା ଭାତ ଗଣ୍ଡାଏ ଯୋଗାଡ଼ ହୋଇଗଲେ, ତାକୁ ଖାଇ ଢୋକାଏ ପାଣି ପିଇ ଜୀବନ ଯାହା ବଞ୍ଚିଯାଉଛି। ପରିଣତ ବୟସରେ ଯେତେକଷ୍ଟ ଭୋଗିବାକୁ ପଡ଼ୁଛି, ବିଧବା ବୃଦ୍ଧାଙ୍କ ଅପେକ୍ଷା ଆଉ ବା କିଏ ଅନୁଭବ କରିଥିବ। ଗଂଜାମ ପୁରୁଷୋତ୍ତମପୁର ଥାନା କୁଶପୁର ଗାଁର ସୀତା ସାହୁ। ସୌଭାଗ୍ୟକୁ ଦୁଇ ଦୁଇଟି ପୁତ୍ର ସନ୍ତାନର ମା’ସିଏ। କିନ୍ତୁ କୁଳାଙ୍ଗାର ସାନ ପୁଅ ଆଜି ତାଙ୍କ ମଥା ସିନ୍ଦୂର ଲିଭାଇ ଦେଇଛି। ବାପା ଗୋପାଳ ଚନ୍ଦ୍ର ସାହୁଙ୍କୁ ହତ୍ୟା କରି ଉଜାଡ଼ିଦେଇଛି ଦୁଃଖିନୀ ମା’ର ସୁଖର ସଂସାର। ଦୁଇ ପୁଅ ସହ ବାପା ଗୋପାଳ ମୂଲ ଲାଗି ଚଳୁଥିଲେ। କିନ୍ତୁ ବାପାକୁ ହତ୍ୟା କରି ସାନପୁଅ ଜେଲ୍ ଯିବା ପରେ ବଡ଼ ପୁଅ ସହ ବଡ଼ ଅଭାବରେ ଦିନ କାଟୁଛନ୍ତି ସୀତା ସାହୁ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ, ଏଇଠି ଦେବେ ଉଦବୋଧନ
ସମାନ କାହାଣୀ କୋଦଳା ଥାନା ନାଇକଇଣି ଗାଁରେ। ଏଇଠି ଜେଜେ ମା’କୁ ହତ୍ୟା କରି ନାତି ଜେଲ୍ ଯିବା ପରେ ଜୀବନ ଜୀଇଁବାର ଚିନ୍ତା ଘାରିଛି ନିରୀହ ପରିବାରକୁ। କାରଣ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା ନାତି ଚିତ୍ରସେନ ସ୍ବାଇଁ। କିନ୍ତୁ ସାମାନ୍ୟ କଳିକୁ କେନ୍ଦ୍ର କରି ମାରିଦେଲା ନିଜ ଜେଜେ ମା’କୁ। ଆକଟ କରିବାରୁ ବଡ଼ବାପାକୁ ବି ସେ କରିଥିଲା ଆକ୍ରମଣ। ଆଜିକୁ ୨ ସପ୍ତାହ ହେଲା, ଗିରଫ ପରେ ଚିତ୍ରସେନ୍ ଜେଲରେ। ଫଳରେ ୨ ଛୋଟ ଛୁଆଙ୍କୁ ନେଇ କେମିତି ସଂସାର ଚଳାଇବେ ପତ୍ନୀ, ଘାରିଛି ବଡ଼ ଚିନ୍ତା।
ଘରୋଇ ହିଂସାରେ ଲହୁଲୁହାଣ ଗଞ୍ଜାମ ଜିଲ୍ଲାରେ ଏଭଳି ଗୋଟିଏ ଯୋଡ଼ିଏ କାହାଣୀ ନୁହଁ। କୋଦଳା ହେଉ ଅବା ବୁଗୁଡ଼ା, ପୁରୁଷୋତ୍ତମପୁର ହେଉ ଅବା ପୋଲସରା। ଏହି ୪ଟି ଥାନା ଇଲାକାରେ ଗତ ୫ ମାସ ଭିତରେ ଛଅ ଛଅଟି ଅପରାଧରେ ରକ୍ତରଂଜିତ ହୋଇଛି ରକ୍ତ ସମ୍ପର୍କ। କେଉଁଠି ପରିବାର ପୋଷୁଥିବା ବାପା ହତ୍ୟାର ଶିକାର ହୋଇଛି ତ ଆଉ କେଉଁଠି ରୋଜଗାରିଆ ପୁଅ ମଣିଷ ମାରି ଜେଲ୍ ଯାଇଛି। ପରିଣାମ ସ୍ବରୂପ, ଏକମାତ୍ର ସେହି ରୋଜଗାରିଆ ବାପ ପୁଅର ଅନୁପସ୍ଥିତିରେ ଭାସିଯାଉଛି ସେମାନଙ୍କ ତେଲଲୁଣର ସଂସାର। ମନସ୍ତତ୍ତ୍ବବିତଙ୍କ କହିବା କଥା, ଆଗଭଳି ଏବେ ଆଉ ଯୌଥ ପରିବାର ନାହିଁ କି ବାପା, ମାଙ୍କ ସହ ପିଲାଙ୍କ ଭଲ ସଂପର୍କ ନାହିଁ। ଆଇନଜୀବୀ କହିଛନ୍ତି, ଅପରାଧକୁ ରୋକିବା ପାଇଁ ଉଚିତ ଦଣ୍ଡବିଧାନ ଆବଶ୍ୟକ। ତା’ସହ ଅନ୍ୟ ନିରୀହଙ୍କ ଭରଣପୋଷଣ ଦିଗ ପ୍ରତି ପ୍ରଶାସନ ବି ଦୃଷ୍ଟି ଦେବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)