Advertisment

Agro-terrorism: କ’ଣ ଏହି କୃଷି ଆତଙ୍କବାଦ...ଆମେରିକାକୁ ବରବାଦ କରିବାକୁ କ’ଣ ଥିଲା ଚୀନର ସିକ୍ରେଟ ପ୍ଲାନ ?

ସିଧାସଳଖ କହିବାକୁ ଗଲେ ଆମେରିକାକୁ ହାତରେ ନମାରି ଭାତରେ ମାରିବାକୁ ଚେଷ୍ଟା ଚଳାଇଥିଲେ ଜିନପିଙ୍ଗ ସରକାର । ସତରେ ଏ ମଣିଷଜାତି ଦିନକୁ ଦିନ ପଶୁରେ ପରିଣତ ହେବାରେ ଲାଗିଛି । ବୃଥା ଅହଙ୍କାରରେ ଜର୍ଜରିତ ହୋଇ ନିଜକୁ ଶକ୍ତିଶାଳୀ ଦେଖାଇବା ଲାଗି କିଛି ବି କରିବାକୁ ପ୍ରସ୍ତୁତ । ଶେଷରେ ଲୋକଙ୍କୁ ଭୋକରେ ମାରିବା ପାଇଁ ଚୀନ ଖେଳିଥିବା ଚାଲ ଧରାପଡ଼ିଯାଇଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
କୃଷି ଆତଙ୍କବାଦ

କୃଷି ଆତଙ୍କବାଦ

ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶର ଚାବିକାଠି କୃଷି । ସମାଜ ଓ ସଭ୍ୟତାର ମେରୁଦଣ୍ଡ କୃଷି । ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି । କୃଷି ଆଉ କୃଷକଙ୍କ ବିନା ଦୁନିଆର କୌଣସି ଅସ୍ତିତ୍ୱ ନାହିଁ । କୃଷକଙ୍କ କଠିନ ପରିଶ୍ରମ ବିନା ଦେଶରେ ଉନ୍ନତି ଅସମ୍ଭବ । ପୂର୍ବରୁ ଅନେକାଂଶରେ ଲୋକେ କୃଷି ଉପରେ ନିର୍ଭରଶୀଳ ଥିଲେ । ବର୍ତ୍ତମାନ ସମୟରେ ପରିଶ୍ରମ ଅଧିକ ହେଲେ ସୁଦ୍ଧା ସେତିକି ଲାଭ ମିଳୁନଥିବାରୁ ଲୋକେ ଚାଷବାଷ ଉପରୁ ମୁହଁ ଫେରାଇ ନେଉଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ କୃଷି ଓ କୃଷକଙ୍କ ବିରୋଧରେ କୁତ୍ସିତ ଷଡ଼ଯନ୍ତ୍ର ସାରା ବିଶ୍ୱକୁ ବିନାଶ ମୁହଁକୁ ଠେଲିଦେବ ନିଶ୍ଚୟ ।

Advertisment

ପୂର୍ବରୁ ସାଇବର ଟେରରିଜମ ଓ ଇକୋ ଟେରରିଜମ ପରି ଶବ୍ଦ ସମସ୍ତେ ଶୁଣିଥିବେ । କିନ୍ତୁ ଜୁନ୍ ୩ ତାରିଖରେ ଆମେରିକାରେ ଆଗ୍ରୋ ଟେରୋରିଜମ ବା କୃଷି ଆତଙ୍କବାଦର ଏକ ବିରଳ ମାମଲା ସାମ୍ନାକୁ ଆସିଛି। ଭୂମାଫିଆ ଚୀନ ନିଜ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଆମେରିକା ବିରୋଧରେ ଷଡ଼ଯନ୍ତ୍ର ରଚିଥିଲା, ଯାହାର ସମୟ ଥାଉ ଥାଉ ପର୍ଦ୍ଦାଫାଶ ହୋଇପାରିଛି । ଫଳରେ ଆମେରିକା ଉପରୁ ଏକ ବଡ଼ ବିପଦ ଟଳିଯାଇଛି କହିଲେ ଚଳେ ।

ସିଧାସଳଖ କହିବାକୁ ଗଲେ ଆମେରିକାକୁ ହାତରେ ନମାରି ଭାତରେ ମାରିବାକୁ ଚେଷ୍ଟା ଚଳାଇଥିଲେ ଜିନପିଙ୍ଗ ସରକାର । ସତରେ ଏ ମଣିଷଜାତି ଦିନକୁ ଦିନ ପଶୁରେ ପରିଣତ ହେବାରେ ଲାଗିଛି । ବୃଥା ଅହଙ୍କାରରେ ଜର୍ଜରିତ ହୋଇ ନିଜକୁ ଶକ୍ତିଶାଳୀ ଦେଖାଇବା ଲାଗି କିଛି ବି କରିବାକୁ ପ୍ରସ୍ତୁତ । ଶେଷରେ ଲୋକଙ୍କୁ ଭୋକରେ ମାରିବା ପାଇଁ ଚୀନ ଖେଳିଥିବା ଚାଲ ଧରାପଡ଼ିଯାଇଛି ।

Advertisment

କୃଷି ଆତଙ୍କବାଦର ଷଡ଼ଯନ୍ତ୍ର ଅଭିଯୋଗରେ ବର୍ତ୍ତମାନ ଦୁଇ ଜଣ ଚୀନ୍ ନାଗରିକଙ୍କୁ ଗିରଫ କରିଛି ଆମେରିକୀୟ ତଦନ୍ତକାରୀ ସଂସ୍ଥା (ଏଫବିଆଇ)।ଉଭୟ ଅଭିଯୁକ୍ତ ଚୀନରୁ ଆମେରିକାକୁ Fusarium graminearum ନାମକ ଏକ ବିପଦଜନକ କବକ ଚୋରାଚାଲାଣ କରିଥିବା କହିଛି ଏଫବିଆଇ । ଏହି ପ୍ରକାରର କବକ ବା ଫଙ୍ଗସ୍ ଫସଲରେ ରୋଗ ସୃଷ୍ଟି କରିବା ସହ ଚାଷଜମିକୁ ମରୁଭୂମିରେ ପରିଣତ କରିପକାନ୍ତି । ଏହାକୁ କୃଷି ଆତଙ୍କବାଦ ଅସ୍ତ୍ର ବୋଲି କୁହାଯାଏ । କୌଣସି ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇବା ପାଇଁ ଏହି ବିପଦପୂର୍ଣ୍ଣ କବକକୁ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଇପାରିବ।

ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ୟୁନକିଙ୍ଗ୍ ଜିଆନ୍ (୩୩ ବର୍ଷ) ଏବଂ ଜୁନୟୋଙ୍ଗ୍ ଲିଉ (୩୪ ବର୍ଷ)। ଉଭୟ ଚୀନ୍ ନାଗରିକଙ୍କ ବିରୋଧରେ କବକ ଚୋରାଚାଲାଣ, ଷଡ଼ଯନ୍ତ୍ର, ମିଥ୍ୟା ବୟାନ ଏବଂ ଠକେଇ ଅଭିଯୋଗ କରି ମାମଲା ରୁଜୁ ହୋଇଛି । ଆମେରିକାରେ କୃଷି ଆତଙ୍କବାଦର ଏହି ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କାରଣ ଆଗ୍ରୋ ଟେରରିଜମ ବା କୃଷି ଆତଙ୍କବାଦ ଶବ୍ଦ ସମସ୍ତଙ୍କ ପାଇଁ ଜଣାଶୁଣା ନୁହେଁ । ସମସ୍ତଙ୍କ ମନରେ ପ୍ରଶ୍ନ, କୃଷି ଆତଙ୍କବାଦ କ'ଣ, ଏହି ବିପଦପୂର୍ଣ୍ଣ କବକ ତଥା ଫୁସାରିଅମ୍ ଗ୍ରାମିନାରମ୍ କ'ଣ ଏବଂ ଏହା କେତେ ବିପଦପୂର୍ଣ୍ଣ।

ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, Fusarium graminearum କବକ ଏକ ସମ୍ଭାବ୍ୟ କୃଷି ଆତଙ୍କବାଦ ଅସ୍ତ୍ର । ଏହି କବକ ଥରେ ଚାଷରେ ରୋଗପୋକ ସୃଷ୍ଟି କଲେ ଫସଲକୁ ବଞ୍ଚାଇବା କଷ୍ଟକର । ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ଫୁସାରିଅମ୍ ଗ୍ରାମିନେରିଅରମ କବକ ଗିବରେଲା ଜି ନାମରେ ମଧ୍ୟ ଜଣାଶୁଣା। ଗହମ, ଯବ, ଓଟ୍ସ ଏବଂ ମକା ପରି ଶସ୍ୟ ଫସଲକୁ ସଂକ୍ରମିତ କରି ସମ୍ପୂର୍ଣ୍ଣ ନଷ୍ଟ କରିପକାଏ ଗିବରେଲା ଜି । କୃଷି ସଂରଚନାକୁ ନଷ୍ଟ କରୁଥିବା ପାଞ୍ଚଟି ସବୁଠାରୁ ବିନାଶକାରୀ ରୋଗ ସୃଷ୍ଟି କରୁଥିବା ରୋଗ ମଧ୍ୟରୁ ଏହା ଗୋଟିଏ ବୋଲି ବିବେଚନା କରାଯାଏ।

ଏହି କବକ ହେଡ୍ ବ୍ଲାଇଟ୍ କିମ୍ବା ସ୍କାବ ନାମକ ଏକ ରୋଗ ସୃଷ୍ଟି କରେ, ଯାହା ଶସ୍ୟର ଗୁଣବତ୍ତା ନଷ୍ଟ କରିବା ସହ ଫସଲର ଉତ୍ପାଦନ କ୍ଷମତା ହ୍ରାସ କରେ। ଅନ୍ୟପକ୍ଷରେ କବକ ଗହମରେ ଥିବା ଆମିନୋ ଏସିଡ୍ ସଂରଚନାକୁ ପରିବର୍ତ୍ତନ କରେ, ଯାହା ଫଳରେ ଉତ୍ପାଦନ ଭଲ ନହେବା ସହ ଅବଶିଷ୍ଟ ଶସ୍ୟ ଦୂଷିତ ହୋଇଯାଏ । ଗହମକୁ ଏହି କବକ ସଂକ୍ରମିତ କରିବା ପରେ ବୀଜଗୁଡ଼ିକ କଳା ପଡ଼ିଯାଏ । ସେହିପରି ଏ କବକ ଧାନ ବିହନକୁ ଲାଲ କରିଦିଏ ଏବଂ ମାଟିଆ ଦାଗ ସୃଷ୍ଟି କରିପାରେ। ଫଳରେ ସଂକ୍ରମିତ ଶସ୍ୟ ହାଲୁକା ଏବଂ ଭଙ୍ଗୁର ହୋଇଥାଏ, ଯଦ୍ୱାରା ଚାଷୀଭାଇଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ ।

ଏକ ସାଇନ୍ସ ଜର୍ଣ୍ଣାଲ ଅନୁଯାୟୀ ୧୯୮୦ ଦଶକରେ ଆମେରିକାରେ ଫ୍ୟୁଜେରିୟମ ହେଡ ବ୍ଲାଷ୍ଟ ଶସ୍ୟ ସଂକ୍ରମଣ ମହାମାରୀ ସ୍ତର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଫଳରେ ବିହନ ଅମଳ, ମୂଲ୍ୟ ଓ ଗୁଣବତ୍ତା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ରୋଗକୁ ଫଙ୍ଗିସାଇଡ କହିବା ସହ ଏହାକୁ ସେତେବେଳେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା । କେବଳ ଯେ ଏଥିରେ ଫସଲ ନଷ୍ଟ ହୁଏ ତା’ନୁହେଁ, ପଶୁପକ୍ଷୀ ଓ ଲୋକେ ମଧ୍ୟ ଏଥିରେ ପ୍ରଭାବିତ ହୁଅନ୍ତି । ଫସଲକୁ ଏହିପ୍ରକାର ରୋଗପୋକ ଲାଗିବା ପରେ ବିଷାକ୍ତ ପଦାର୍ଥ ଉତ୍ପର୍ଣ୍ଣ ହୁଏ । ଅନ୍ୟପକ୍ଷରେ ଏହି ସଂକ୍ରମିତ ଶସ୍ୟ ଖାଉଥିବା ଲୋକେ ଓ ପଶୁପକ୍ଷୀ ବାନ୍ତି କରନ୍ତି । ଏହାଦ୍ୱାରା ଯକୃତକୁ କ୍ଷତି ପହଞ୍ଚିଥାଏ ଏବଂ ପ୍ରଜନନ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ କବକକୁ କୃଷି ଆତଙ୍କବାଦରେ ଏକ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରିବାର ଆଶଙ୍କା ଥିବା କହିଛି ଏଫବିଆଇ ।

ଆଗ୍ରୋଟେରରିଜମ କ’ଣ ?

ସରଳ ଭାଷାରେ କହିବାକୁ ଗଲେ ଜୈବିକ ପଦାର୍ଥକୁ ବ୍ୟବହାର କରି ଫସଲକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବା ହେଉଛି ଆଗ୍ରୋଟେରରିଜମ ବା କୃଷି ଆତଙ୍କବାଦ । କୃଷି ପ୍ରଣାଳୀକୁ ରୋଗାକ୍ରାନ୍ତ କରିବା ବା ଅନ୍ୟାନ୍ୟ ଜୈବିକ ଉପାଦାନକୁ କ୍ଷତି ପହଞ୍ଚାଇବା ଏହାର ମୂଳ ଉଦ୍ଦେଶ୍ୟ । ଖାଦ୍ୟ ଶୃଙ୍ଖଳକୁ ଟାର୍ଗେଟ କରିବା କୃଷି ଆତଙ୍କବାଦର ଅନ୍ୟତମ ଉଦ୍ଦେଶ୍ୟ । ଏହାଦ୍ୱାରା ଦେଶର ଅର୍ଥନୀତି ନଷ୍ଟ ହେବା ସହ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଥାଏ । ସବୁଠାରୁ ବଡ଼ କଥା ଏପରି ଅପରାଧ କରିଥିବା ବ୍ୟକ୍ତି ଧରାପଡ଼ିବାର ସମ୍ଭାବନା ଖୁବ କମ ଥାଏ, ଆଉ କମ ଖର୍ଚ୍ଚରେ ଏକ ବଡ଼ ଉଦ୍ଦେଶ୍ୟ ସାଧନ ହୋଇଯାଏ ।

କୃଷି ଆତଙ୍କବାଦର ସୁଦୂରପ୍ରସାରୀ ପ୍ରଭାବ ରହିଛି । ଭାରତ ପରି ଦେଶଗୁଡ଼ିକ ଯେଉଁମାନଙ୍କର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇଥାଆନ୍ତି । ଅନ୍ୟପକ୍ଷରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରକାର ଆତଙ୍କବାଦ ବିଶ୍ୱ ପାଇଁ ଆଦୌ ନୂଆ ନୁହେଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର କଲୋରାଡୋରେ ଏହିପରି ଭାବରେ ଆଳୁ ଫସଲକୁ ଟାର୍ଗେଟ କରିଥିଲା ଜର୍ମାନୀ । ୧୯୪୩ ମସିହାରେ ଇଂଲଣ୍ଡରେ ମିଳିଥିଲା ସେହି ସ୍ୱତନ୍ତ୍ର ପ୍ରଜାତିର ପୋକ। ଆଳୁ ଫସଲକୁ ନଷ୍ଟ କରିବା ପାଇଁ ପୋକଗୁଡ଼ିକୁ ବିମାନ ଜରିଆରେ ଛଡ଼ାଯାଇଥିଲା । ଏବେ ଚୀନ୍ କରିଥିବା ଷଡ଼ଯନ୍ତ୍ର ସଫଳ ହୋଇଥିଲେ ଆମେରିକାରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥାନ୍ତା।

ଆମେରିକାର ନ୍ୟାୟ ବିଭାଗ ଅନୁଯାୟୀ, ଉଭୟ ଚୀନ୍ ନାଗରିକ Fusarium graminearum କବକ ଚୋରା ଚାଲାଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ। ଏହି କବକ ଗହମ, ବାର୍ଲି, ମକା ଏବଂ ଚାଉଳକୁ ସଂକ୍ରମିତ କରିବା ସହ ହେଡ୍ ବ୍ଲାଇଟ ରୋଗ ସୃଷ୍ଟି କରିଥାଆନ୍ତି । ଆମେରିକୀୟ ଓକିଲ ଜେରୋମ୍ ଗର୍ଗନ୍ ଜୁନିଅର୍ କହିଛନ୍ତି, ଚୀନର ଏପରି ଷଡ଼ଯନ୍ତ୍ର ଜାତୀୟ ସୁରକ୍ଷା ପାଇଁ ଚିନ୍ତାର ବିଷୟ।

ଏଫବିଆଇ ସୂଚନା ଅନୁସାରେ, ସନ୍ଦେହ ହେବାରୁ ଅଭିଯୁକ୍ତ ଦୁଇ ଜଣଙ୍କୁ ଗତ ଜୁଲାଇ ମାସରେ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ତାଙ୍କ ବ୍ୟାକପ୍ୟାକ୍‌ରେ ମିଳିଥିବା ଲାଲ ଉଦ୍ଭିଦ ସାମଗ୍ରୀ ବିଷୟରେ ପଚରାଉଚରା ସମୟରେ ଉଭୟେ ସନ୍ତୋଷଜନକ ଉତ୍ତର ଦେଇନପାରି ନଥିଲେ । ପରେ ବ୍ୟାଗରେ ମିଳିଥିବା ଲାଲ ଉଦ୍ଭିଦ ବିଷୟରେ ଅଜ୍ଞ ଥିବା କହିଥିଲେ । ପରେ କିନ୍ତୁ ସବୁ କଥା ସ୍ୱୀକାର କରିଥିଲେ । ମିଚିଗାନ୍ ବିଶ୍ୱବିଦ୍ୟାଳୟର ଏକ ପରୀକ୍ଷାଗାରରେ ଗବେଷଣାରେ ବ୍ୟବହାର କରିବାକୁ କବକ ଆଣିଥିବା ମାନିଥିଲେ ଅଭିଯୁକ୍ତ। ଅଭିଯୁକ୍ତମାନେ ସେଠାରେ ହିଁ କାମ କରୁଥିଲେ।

ଭାରତ ଉପରେ କେତେ ପ୍ରଭାବ ?

ଦେଶର ଜିଡିପିରେ ଭାରତର କୃଷିକ୍ଷେତ୍ରର ଅବଦାନ ପାଖାପାଖି ୧୭ ପ୍ରତିଶତ  । ୨୦୧୧ ଜନଗଣନା ଅନୁଯାୟୀ, ପ୍ରାୟ ୫୫% ଜନସଂଖ୍ୟା କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି । ପଞ୍ଜାବ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ପ୍ରମୁଖ କୃଷିପ୍ରଧାନ ରାଜ୍ୟଗୁଡ଼ିକ ପାକିସ୍ତାନ ଏବଂ ଚୀନ ଭଳି ଶତ୍ରୁଦେଶ ସହ ସୀମା ବାଣ୍ଟୁଥିବାରୁ କୃଷି-ଆତଙ୍କବାଦର ବିପଦ ରହିଛି । ତେଣୁ ଭାରତକୁ ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି । 

China Terrorism United States Of America Crop Loss Cropland
Advertisment
Advertisment