• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାରେ ସିଗାରେଟ୍ ଭିତରେ ଗଞ୍ଜେଇ । ଦୂରରୁ ଦେଖିଲେ ଲାଗିବ ଯେମିତି ଏକଦମ ସିଗାରେଟ୍ । ହେଲେ ଭିତରେ ଯେ ଗଞ୍ଜେଇ ଭର୍ତ୍ତି ଥିବ, ସେ କଥା କେହି ଜାଣିବା ମୁସକିଲ୍ । ଗଦା ଗଦା ଗଞ୍ଜେଇ ସିଗାରେଟକୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବିଶ୍ୱେଶ୍ୱର ବସ୍ତିରୁ ଜବତ କରିଛି ଅବକାରୀ ବିଭାଗ । ଦୋକାନ ଖୋଲି କଲେଜ୍ ପଢୁଆ ଛାତ୍ରଛାତ୍ରୀଙ୍କୁ ଏହି ସିଗାରେଟ୍ ବିକ୍ରି କରୁଥିଲେ ଅଭିଯୁକ୍ତ ମହିଳା ।

ସୂଚନାନୁଯାୟୀ ଏହି ବ୍ୟବସାୟରେ ତାଙ୍କ ସ୍ୱାମୀ କିଛି ଦିନ ତଳେ ଗିରଫ ହୋଇଥିଲେ । ତାଙ୍କ ପାଖରୁ ୫ ହଜାର ଗଂଜେଇ ସିଗାରେଟ ଓ ୨୪ କେଜି ଗଂଜେଇ ଜବତ କରାଯାଇଛି । ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ବିକ୍ରି ପାଇଁ କୋଡ୍ ୱାର୍ଡ ମଧ୍ୟ ରହିଥିଲା । ଗ୍ରାହକ ଆସି ‘ବାବା ସିଗାରେଟ୍’ ମାଗିଲେ ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଦିଆଯାଉଥିଲା । ଏବେ ଏହି ରାକେଟ୍ ଧରାପଡ଼ିବା ପରେ ଏଥିରେ ଆଉ କିଏ ସାମିଲ ସେନେଇ ତଦନ୍ତ ଚାଲିଛି ।

ଗଞ୍ଜେଇ କାରବାର ନେଇ ବହୁତ ଦିନ ହେବ ଅବକାରୀ ଟିମ୍‌ ଏହା ଉପରେ ନଜର ରଖିଥିଲା । ରାଜଧାନୀ ଭୁବନେଶ୍ୱରରେ ଯୁବପିଢ଼ି ଏବେ ଗଞ୍ଜେଇ ନିଶାରେ ମାତିଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଶ୍ରାବଣ ମାସ କାରଣରୁ ଏବେ ଗଞ୍ଜେଇ ବେପାର ବହୁ ପରିମାଣରେ ହେଉଥିବାର ଅବକାରୀ ଟିମ୍‌ ଖବର ପାଇଥିଲା ।

ପୂର୍ବରୁ ଅବକାରୀ ଟିମ୍‌ର ଜଣେ ଅଧିକାରୀ କଲେଜ ପଢୁଆ ଛାତ୍ର ଭାବେ ଛଦ୍ମ ବେଶରେ ଗଞ୍ଜେଇ ସିଗାରେଟ୍‌ କିଣିବାକୁ ଯାଇଥିଲେ । ସେ ମହିଳାଙ୍କୁ କୋଡ୍‌ ୱାର୍ଡରେ ବାବା ସିଗାରେଟ୍‌ କହିବା ପରେ ସେ ଗଞ୍ଜେଇ ସିଗାରେଟ୍‌ ଆଣିକି ଦେଇଥିଲେ । ଏହାପରେ ଅବକାରୀ ବିଭାଗର ଏକ ଦଳ ବିଶ୍ୱେଶ୍ୱର ବସ୍ତିରେ ଚଢ଼ାଉ କରି ୨୪ କେଜି ଗଞ୍ଜେଇ ସମେତ ପ୍ୟାକେଟ୍‌ ପ୍ୟାକେଟ୍‌ ଗଞ୍ଜେଇ ସିଗାରେଟ୍‌ ମଧ୍ୟ ଜବତ କରିଛି ।

  • Reported by:
  • CHANDAN PAIKRAY