Advertisment

ତାଜୁବ କଲା ଲାଞ୍ଚୁଆ ବାବୁଙ୍କ ଟଙ୍କାର ପାହାଡ଼ ! ଭିଜିଲାନ୍ସ ରେଡ୍ ବେଳେ ମିଳିଲା ଆଖି ଖୋସା ସମ୍ପତ୍ତି

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ୩ କୋଟିର କ୍ୟାସ୍ । ଭୁବନେଶ୍ୱରରେ ପଡ଼ୋଶୀଙ୍କ ଛାତରୁ ମିଳିଲା ପେଟି ପେଟି ଟଙ୍କା ।

author-image
Satyendu Shekher Mishra
Vigilance Raid

Vigilance Raid

ପାହାଡ଼ ଭଳି ଥୁଆ ହୋଇଛି ଟଙ୍କା ବିଡ଼ା । ସେସବୁ ନୋଟକୁ ଦେଖିଲେ ଲାଗୁଛି ସ୍ୱପ୍ନ ଭଳି, ନଚେତ କୌଣସି ସିନେମାର ଦୃଶ୍ୟ ଭଳି। ହେଲେ ସ୍ୱପ୍ନ ନୁହେଁ କି ସିନେମା ନୁହେଁ ଏହା ସତ । ଏହା ହେଉଛି ଆମ ରାଜ୍ୟର ଜଣେ ସରକାରୀ ବାବୁଙ୍କ ଅସତ୍ ଉପାୟରେ ଠୁଳ କରିଥିବା ମାଳ ମାଳ ନୋଟ୍ । କେଉଁଠି ପେଟି ପେଟି ତ କେଉଁଠି ବିଡ଼ା ବିଡ଼ା । ମେସିନ୍ ବି ଥକି ଗଲାଣି ଟଙ୍କା ଗଣି ଗଣି । ମେସିନ ଗଣିଲା ତାପରେ, ମଣିଷ ବି ଗଣିଲା । ତଥାପି ସରିଲାନି । ହେଲେ ଗଣି ଗଣି ହାଲିଆ ହେଲେ ସମସ୍ତେ । ହିସାବ ବି ସରିଲାନି ।

Advertisment

ଏଭଳି ଅଜସ୍ର ଟଙ୍କା ଅର୍ଜନ କରିଥିବା ବାବୁ ହେଲେ ପ୍ରଶାନ୍ତ ରାଉତ। ଯିଏ ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳ। ଯାହାଙ୍କ ଘରେ ଆଜି ଛାପା ମାରିଛି ଭିଜିଲାନ୍ସ। ଆଉ ଅପରାହ୍ନ ସୁଦ୍ଧା ପାଇଛି ୨ କୋଟି ୯୧ ଲକ୍ଷରୁ ଅଧିକ ଟଙ୍କା। ଖୋଳତାଡ଼ ଜାରି ରହିଥିବାରୁ ଆହୁରି ଟଙ୍କା ସହ ସଂପତ୍ତି ଧରାପଡ଼ିବ ବୋଲି ସୂଚନା ମିଳିଛି। 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋରରୁ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକ ଜିଲ୍ଲାର ପ୍ରାୟ ୯ଟି ଜାଗାରେ ରେଡ୍ କରିଛି ଭିଜିଲାନ୍ସ। ରୋଚକକଥା ହେଉଛି, ରାଜଧାନୀର କାନନବିହାର ବାସଭବନରେ ଚଢ଼ାଉବେଳେ ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ମିଳିଥିଲା ଛଅ ପେଟି ଟଙ୍କା। ଭିଜିଲାନ୍ସ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ଜାଣିପାରି ପ୍ରଶାନ୍ତଙ୍କ ଘରୁ କିଏ ଜଣେ ପଡ଼ୋଶୀଙ୍କ ଛାତ ଉପରକୁ ଟଙ୍କା ଫୋପାଡ଼ି ଦେଇଥିଲେ। ଆଉ ପଡ଼ୋଶୀ ବି ସେସବୁ ଉଠାଇ ଆଣି ନିଜ ଘରେ ରଖିଦେଲେ। ତେବେ ଶବ୍ଦ ଶୁଣି ଭିଜିଲାନ୍ସ ପ୍ରଥମେ ପଡ଼ୋଶୀଙ୍କ ଘରେ ପଶି ଖାନତଲାସି କରିଥିଲା ଓ ଜବତ କରିଥିଲା ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା। 

Advertisment

ନବରଙ୍ଗପୁର DRDA କଲୋନୀର ବାସଭବନରୁ ବି ପେଟିଭର୍ତ୍ତି ୫୬ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରଶାନ୍ତ ନିଜ ଆଡୁ ଏକାଧିକ ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବାବେଳେ ଗୋଟିଏ ଆକାଉଣ୍ଟରେ ୨୦୧୯ରୁ ୨୬ ଲକ୍ଷରୁ ଅଧିକ ଟଙ୍କା ପୈଠ ହୋଇଥିବା ଭିଜିଲାନ୍ସ ତଥ୍ୟ ପାଇଛି।    

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ପ୍ରଶାନ୍ତ ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡ଼ିଓ ଥିବାବେଳେ ବିରିପାଣି ପଞ୍ଚାୟତ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଗିରଫ ହୋଇଥିଲେ। ଏହାସତ୍ତ୍ବେ ସେ ପ୍ରମୋସନ ପାଇଛନ୍ତି ଓ ବର୍ଷେ ହେଲା ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ଚର୍ଚ୍ଚା ହେଉଛି, ଅସତ୍ ଉପାୟରେ ଅର୍ଜିତ ଟଙ୍କା କିଛି ବାଲି ମାଫିଆ, ଜମି ମାଫିଆ ଏବଂ ଠିକାଦାରଙ୍କର। ତେବେ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପଛରେ କିଏ ? କାହା ଛତ୍ରଛାୟାରେ ବାବୁ ଆଦାୟ କରୁଛନ୍ତି ଅମାପ ଅର୍ଥ ? ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି।

ସେପଟେ ଭିଜିଲାନସ ହାବୁଡ଼ରେ ପଡ଼ିଥିବା ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ ହୋଇଛନ୍ତି। ଯାହାଙ୍କଠୁ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା, ୨ କେଜିର ରୂପା ଅଳଙ୍କାର, ୮ଟି ପ୍ଲଟ୍, ୨ଟି ଫ୍ଲାଟ୍, ୩ଟି ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ। ଯାହାଙ୍କ ଆୟବହିର୍ଭୂତ ସମ୍ପତ୍ତି ୧୪୫ ପ୍ରତିଶତ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

Advertisment
Advertisment