ଉତ୍ତରାଖଣ୍ଡ ଖାନପୁରର ସ୍ୱାଧୀନ ବିଧାୟକ ଉମେଶ କୁମାରଙ୍କ ବାସଭବନ ତଥା କ୍ୟାମ୍ପ ଅଫିସ୍ ଭିତରକୁ ରାଇଫଲ୍ ଧରି ପଶିଲେ ପୂର୍ବତନ ବିଧାୟକ କନୱାର ପ୍ରଣବ ସିଂହ ଚାମ୍ପିଅନ୍ । ସାଙ୍ଗରେ ଥିଲେ 20ରୁ ଅଧିକ ସମର୍ଥକ । ବିଧାୟକଙ୍କ ସମର୍ଥକମାନେ ଏହି ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ ଅଟକାଇବାକୁ ଚେଷ୍ଟା କଲେ । ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ମାରପିଟ୍ । ଶୁଭୁଥିଲା ଗୁଳିର ଗର୍ଜନ । ଗୁଳି ବର୍ଷଣ ହେଉଥିଲା । ଗୋଟିଏ କି ଦୁଇ ରାଉଣ୍ଡ ନୁହେଁ ବାଣ ଫୁଟିବା ଭଳି ଫୁଟୁଥିଲା ଗୁଳି । ଆଖପାଖ ଅଞ୍ଚଳ କମ୍ପୁଥିଲା । ରାସ୍ତାରେ ଯାଉଥିବା ଲୋକ ବି ନ ଅଟକି ଭୟରେ ଦୌଡି ଚାଲିଯାଉଥିଲେ । ପୂର୍ବତନ ବିଧାୟକ ଗୁଳି ଲୋଡ୍ କରୁଥିଲେ, ଫାୟାରିଂ କରୁଥିଲେ । କିଛି ସମୟ ଧରି ସଂଘର୍ଷ ଚାଲିବା ପରେ କ୍ୟାମ୍ପସରୁ ବାହାରିଥିଲେ ପୂର୍ବତନ ବିଧାୟକ ଚାମ୍ପିଅନ୍ । ଗୋଟିଏ ହାତରେ ଥିଲା ରାଇଫଲ୍ ଓ ଅନ୍ୟ ହାତରେ ଥିଲା ପିସ୍ତଲ୍ । ବନ୍ଧୁକ ଧରି ଯାଇଥିବା ଏହି ପୂର୍ବତନ ବିଧାୟକଙ୍କୁ ବି କଡା ଜବାବ ଦେଇଥିଲେ ପ୍ରତିପକ୍ଷ । କହିବାକୁ ଗଲେ କେହି କାହାରିଠାରୁ କମ୍ ନଥିଲେ । ଏହି ସମୟରେ ବିଧାୟକ ଉପସ୍ଥିତ ନଥିଲେ । ପରେ ପହଞ୍ଚିଥିଲେ । ଘଟଣାର କିଛି ସମୟ ପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସମୟର ଭିଡିଓ ଭାଇରାଲ୍ ହେଉଛି ।
ଏହି ସଂଘର୍ଷରେ ବିଧାୟକଙ୍କ ଜଣେ ଷ୍ଟାଫ୍ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଧାୟକଙ୍କ ବ୍ୟକ୍ତିଗତ ସଚିବ ଏ ସଂପର୍କରେ ରୁର୍କି ସିଭିଲ୍ ଲାଇନ୍ ଥାନାରେ ଏକ ଏତଲା ଦେଇଛନ୍ତି । ସେ ଦର୍ଶାଇଛନ୍ତି ଯେ, ପ୍ରାୟ 100 ରାଉଣ୍ଡ ଗୁଳି ଚାଳନା ହୋଇଛି । କେବଳ 70ଟି ଖୋକା ମିଳିଛି । ଏହି ଘଟଣାରେ ପୂର୍ବତନ ବିଧାୟକ ଓ ତାଙ୍କର 4 ଜଣ ସମର୍ଥକଙ୍କୁ ଡେରାଡୁନରୁ ଗିରଫ କରାଯାଇଛି । ଏମାନଙ୍କୁ ହରିଦ୍ୱାର ପୋଲିସକୁ ହସ୍ତାନ୍ତର କରାଯିବ ।
ଅଧିକ ପଢ଼ନ୍ତୁ : ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍, ରହିବନି ଭେଦଭାବ, ସବୁ ସନ୍ତାନଙ୍କୁ ମିଳିବ...
2022 ବିଧାନସଭା ନିର୍ବାଚନ ସମୟରୁ ଦୁଇଜଣଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି । ସୋସିଆଲ୍ ମିଡିଆରେ ପରସ୍ପରକୁ ଆକ୍ଷେପ କରି ମନ୍ତବ୍ୟ ରଖୁଛନ୍ତ । ଏପରିକି ବେଳେବେଳେ ଶାଳୀନତା ମଧ୍ୟ ଭୁଲିଯାଉଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ କୋର୍ଟରେ କେସ୍ ମଧ୍ୟ ଚାଲିଛି । ଗତ ସପ୍ତାହରେ ଚାମ୍ପିଅନ୍ ସୋସିଆଲ୍ ମିଡିଆରେ ଉମେଶଙ୍କ ବିରୋଧରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ନେଇ ଉମେଶଙ୍କ କିଛି ସମର୍ଥକ ଚାମ୍ପିଅନଙ୍କ ପୈତୃକ ବାସଭବନକୁ ଯାଇ ଗାଳିଗୁଲଜ କରିବା ସହ ଧମକ ମଧ୍ୟ ଦେଇଥିଲେ । ଘରୁ ବାହାରେ, ଦେଖାଦେଖି ହେବା ବୋଲି କହିଥିଲେ । ଏହି ଘଟଣା ପରେ ବିଧାୟକଙ୍କ ବାସଭବନକୁ ସଦଳବଳେ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ ପୂର୍ବତନ ବିଧାୟକ ଚାମ୍ପିଅନ୍ ।