• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟଙ୍କର କାହାଣୀ । ଅତି ଅମାନବୀୟ ଓ ହୃଦୟଥରା କାହାଣୀ । ଆମେରିକାର ଲସ୍‌ ଏଞ୍ଜିଲିସ୍‌ର କାହାଣୀ । ପତ୍ନୀଙ୍କ ପକ୍ଷରୁ ଛାଡପତ୍ର ନିବେଦନ କଥା ଶୁଣି ଜଣେ ବ୍ୟକ୍ତି ପରିବାର ଉପରେ ରାଗିଯାଇ, ପାଞ୍ଚ ପିଲାଙ୍କ ସମେତ ୭ ଜଣଙ୍କୁ ଗୁଳି କରି ହତ୍ୟା କରିଛି । ପରେ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଠଟି ମୃତଦେହ ଉଦ୍ଧାର କରିଥିଲା । ଯେଉଁଥିରେ ଜଣେ ଚାରି ବର୍ଷର କୁନି ଝିଅର ଶବ ମଧ୍ୟ ଥିଲା । ଏହି ମାମଲା ହନୋକ ସହରର ଯୁଟା ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି ।

ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପରିବାରର ତିନିଜଣ ବୟସ୍କ ଏବଂ ପାଞ୍ଚ ଜଣ ପିଲାଙ୍କ ମୃତଦେହ ମିଳିଛି । ଗୁଳି ମାରିବା ଦ୍ୱାରା ସମସ୍ତଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୪ ରୁ ୧୭ ବର୍ଷ ବୟସର ୫ ପିଲା

ପୋଲିସ ପକ୍ଷରୁ କୁହାଯାଇଛି ଯେ, ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛି ୪୨ ବର୍ଷିୟ ମାଇକେଲ ହାଇଟ୍ । ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଓ ପ୍ରମାଣ ଅନୁଯାୟୀ, ଘରେ ଥିବା ଅନ୍ୟ ୭ ଜଣଙ୍କୁ ହତ୍ୟା କରିବା ପରେ ସେ ନିଜକୁ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ତାଙ୍କ ପତ୍ନୀ, ମା ଏବଂ ପାଞ୍ଚ ପିଲା । ୪ ରୁ ୧୭ ବର୍ଷ ମଧ୍ୟରେ, ତିନି ଝିଅ ଏବଂ ଦୁଇ ପୁଅ ସାମିଲ ଥିଲେ ।

ହନୋକର ମେୟର ଜେଫ୍ରି ଚେସନଟ୍ କହିଛନ୍ତି ଯେ, ବିବାହ ବିଚ୍ଛେଦ ପରେ ଏଭଳି ଗୁଳିକାଣ୍ଡ ହୋଇଛି । ସେ ଆହୁରି କହିଛନ୍ତି ଯେ, ଅଦାଲତର କାଗଜ ପତ୍ର ଦେଖିଲେ ଯାହା ଜଣାପଡ଼ୁଛି, ପତ୍ନୀଙ୍କ ତରଫରୁ ପ୍ରଥମେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା ।