• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ମମ, ବର୍ବର, ଅମାନୁଷିକ । ମ୍ୟାନେଜରଙ୍କୁ ତାଲିବାନୀ ସଜା । ଉତ୍ତର ପ୍ରଦେଶର ଶାହଜହାନପୁରରେ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ମୃତଦେହକୁ ଏକ ସରକାରୀ ଡାକ୍ତରଖାନା ବାହାରେ ଫୋପାଡ଼ି ଦିଆଯାଇଥିଲା । ବର୍ତ୍ତମାନ ମୃତକଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ହେଲେ ସମ୍ବେଦଶୀଳ ଭିଡିଓ ହୋଇଥିବାରୁ ଖବରରେ ପରିବେଷଣ କରାଯାଉ ନାହିଁ । ଆସନ୍ତା ମାସ ଶିବମ୍‌ଙ୍କ ବିବାହ ହୋଇଥାଆନ୍ତା ।

ଭାଇରାଲ ହେଉଥିବା ଫଟୋରେ ଦେଖିବା ପାଇଁ ମିଳୁଛି, ଅଧା ଡଜନରୁ ଅଧିକ ଗୁଣ୍ଡା ମୃତକଙ୍କୁ ଦଉଡିରେ ବାନ୍ଧି ନିର୍ଧୁମ ମାରୁଛନ୍ତି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ମାଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଏବଂ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମୃତକ ଶିବମ୍‌ ଓରଫ୍ ଅଂଶୁଲ ମୋହଲ୍ଲା ଅଜିଜଗଞ୍ଜର ବାସିନ୍ଦା । ବୟସ ୩୨ ବର୍ଷ । ସେ ବଙ୍କିମ ସୁରୀ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ପାଖରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସାତ ବର୍ଷ ହେବ ସେ ସେଠାରେ କାମ କରୁଥିଲେ ।

ଅଧିକ ପଢ଼ନ୍ତୁ: ୭ଟି ପିଲାର ବାପା କରୁଥିଲେ ପଞ୍ଚମ ନିକାହ : ପୁଅ ଝିଅ ମିଶି ନିର୍ଧୁମ ଛେଚିଲେ

ଶିବମଙ୍କ ବାପାଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବରୁ ଶିବମ୍‌ କାମ କରୁଥିବା କମ୍ପାନୀରେ କିଛି ପୋଷାକ ଚୋରି ହୋଇଥିଲା । ଚୋରି ପାଇଁ ସଂସ୍ଥାର ମାଲିକ ନୀରଜ ଗୁପ୍ତା ସିଧାସଳଖ ଶିବମଙ୍କୁ ଦାୟୀ କରିଥିଲେ। ମଙ୍ଗଳବାର ଅପରାହ୍ଣରେ ଶିବମଙ୍କୁ ତାଙ୍କ ଗୋଦାମକୁ ଡାକିଥିଲେ ଅଭିଯୁକ୍ତ । ସେଠାରେ ଚୋରି କରିଥିବା କଥା ମାନି ଯିବାକୁ ସେ ଶିବମଙ୍କୁ ଧମକ ଦେଇଥିଲେ ।

ହେଲେ ଶିବମ ଚୋରି କରି ନାହାନ୍ତି ବୋଲି କହିଥିଲେ । ଏହା ପରେ ତାଙ୍କୁ ନୀରଜ ଗୁପ୍ତା ଓ ତାଙ୍କ କର୍ମଚାରୀମାନେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଲୁହା ରଡ୍‌ରେ ପିଟିଥିଲେ । ଏମିତିକି ତାଙ୍କୁ କରେଣ୍ଟ୍‌ ବି ଦେଇଥିଲେ । ଶିବମଙ୍କୁ ଏତେ ଜୋରରେ ମାଡ଼ ମରାଯାଇଥିଲା ଯେ ତାଙ୍କ ଦେହ ସାରା କଳାଦାଗ ପଡ଼ିଯାଇଥିଲା । ପରେ ତାଙ୍କ ମୃତଦେହକୁ ସରକାରୀ ଡାକ୍ତରଖାନା ସମ୍ମୁଖରେ ଫୋପାଡ଼ି ଦିଆଯାଇଥିଲା ।

ଏହି ମାମଲାରେ ୭ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଶିବମଙ୍କୁ ବାନ୍ଧି ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବାପରେ ତାଙ୍କ ପରିବାର ଲୋକେ ଏହି ଘଟଣାରେ ନ୍ୟାୟ ଦାବି କରିଛନ୍ତି ।