• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାଇ-ଭଉଣୀ ସମ୍ପର୍କ... ସ୍ନେହ ଶ୍ରଦ୍ଧାର ସମ୍ପର୍କ । ଗୋଟିଏ ଘରେ ଭାଇ-ଭଉଣୀ ଥିଲେ କିଛି ନା କିଛି କଥାକୁ ନେଇ ଝଗଡ଼ା ଲାଗି ରହିଥାଏ । ତା’ ଭିତରେ ମଧ୍ୟ ଉଭୟଙ୍କ ମଧ୍ୟରେ ରହିଥାଏ ଅଗାଢ଼ ଭଲପାଇବା । ସେଥି ପାଇଁ ତ ରକ୍ଷା ବନ୍ଧନରେ ଭାଇର ହାତରେ ସ୍ନେହର ଡୋର ବାନ୍ଧିଦିଏ ଭଉଣୀ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ତା’ର ଶୁଭ ମନାସିବା ସହ ଭାଇ ତା’ର ସୁରକ୍ଷା କରିବାକୁ କଥା ଦେଇଥାଏ ।

ହେଲେ ସେହି ଭାଇ ଭଉଣୀ ସମ୍ପର୍କରେ କେବେ କ’ଣ ଲାଗି ପାରେ ରକ୍ତର ଛିଟା ? ଯେଉଁ ଭଉଣୀ ତା’ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ ସେହି ଭାଇ ତା’କୁ ହତ୍ୟା କରେ । ହଁ ବର୍ତ୍ତମାନ ଏପରି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଭଉଣୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଥାନାରେ କଟାମୁଣ୍ଡ ଧରି ପହଞ୍ଚିଛି ଭାଇ ।

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରୁ ଆସିଛି । ଘଟଣାକୁ ନେଇ ପୋଲିସ କହିଛି ଯେ, ଶୁକ୍ରବାର ଦିନ ୟୁପିର ବାରବାଙ୍କି ଠାରେ ଜଣେ ଯୁବକ ତାଙ୍କ ଭଉଣୀର କଟା ମୁଣ୍ଡକୁ ନେଇ ପୋଲିସ ଷ୍ଟେସନକୁ ଆସିଥିଲେ । ଆଉ ସେ ନିଜେ ତାଙ୍କ ଭଉଣୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଫଳରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ୨୨ ବର୍ଷିୟ ଭାଇ ରିୟାଜ ୧୮ ବର୍ଷିୟ ଭଉଣୀ ଆଶିଫାକୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ କଛି କଥାକୁ ନେଇ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି । ବାରବାଙ୍କି ସ୍ଥିତ ଫତେହପୁର ଅଞ୍ଚଳର ମିଥୱାରା ଗ୍ରାମରେ ଏହି ଲୋମହର୍ଷକ ଘଟଣା ଘଟିଛି ।

ଭାଇ-ଭଉଣୀଙ୍କ ମଧ୍ୟରେ ବଚସା ପରେ କଳହ ଉଗ୍ରରୂପ ନେଇଥିଲା । ପରେ ଭାଇ ରିୟାଜ ଏକ ଧାରୁଆ ଅସ୍ତ୍ରରେ ଭଉଣୀର ମୁଣ୍ଡକୁ କାଟି ଦେଇଥିଲା । ପରେ ସେହି କଟାକୁଣ୍ଡକୁ ଧରି ଅଭିଯୁକ୍ତ ଭାଇ ଥାନାରେ ପହଞ୍ଚିବା ସହ ହତ୍ୟା ସମ୍ପର୍କରେ ପୋଲିସକୁ କହିଥିଲା ।

ପୋଲିସ ମୃତ ଯୁବତୀଙ୍କ ଶବ ଜବତ କରିବା ସହ ପୋଷ୍ଟମର୍ଟମ କରିବାକୁ ପଠାଇ ଦେଇଛି । ଘଟଣାରେ ଅଭିଯୁକ୍ତ ଭାଇକୁ ଗିରଫ କରି ଅଧିକ ପଚରାଉଚରା କରୁଛି । ଏହି ହତ୍ୟା ପଛର କାରଣ କେବଳ ଭାଇ-ଭଉଣୀଙ୍କ କଳହ ନା ଆଉ କ’ଣ ହୋଇଥାଇ ପାରେ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।