Advertisment

CBSE ରେ ପାଠ ପଢ଼ାଇପାରିଲାନି ବାପା; ଝିଅକୁ ଧରି କୂଅକୁ ଡେଇଁଲା ମା’

ମହିଳା ନିଜ ସ୍ୱାମୀଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ। ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
suicide

suicide

ବାପା-ମା’ ପିଲାଙ୍କ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି। ଭଲ ଶିକ୍ଷାଠାରୁ ଆରମ୍ଭ କରି ସବୁ ଜିନିଷ ଦେବାକୁ ପ୍ରାଣପଣେ ଚେଷ୍ଟା କରନ୍ତି। ହେଲେ ସେଥିରୁ ସବୁ ସ୍ୱପ୍ନ ପୂରଣ ହୋଇପାରେନି। କେତେବେଳେ ପରିସ୍ଥିତି ତ ଆଉ କେବେ ଅର୍ଥ ସାଜେ ବାଧକ। ତେବେ ଦୁଇପିଲାଙ୍କୁ ସିବିଏସଇ ସ୍କୁଲରେ ପଢାଇ ନପାରିବାରୁ ଝିଅ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛି ମା’।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନୀଲାଙ୍ଗା ତହସିଲର ମାଲେଗାଓଁରେ। ପୋଲିସର ସୂଚନା ଅନୁସାରେ, ଦୁଇଦିନ ତଳେ ଅରଦ ଶାହାଜାନି ପୋଲିସ ଷ୍ଟେସନରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ପଞ୍ଜିକୃତ ହୋଇଥିଲା। ମୃତ ମହିଳା ହେଉଛନ୍ତି ଭାଗ୍ୟଶ୍ରୀ ଭେଙ୍କଟ ହାଲସେ ଏବଂ ନାବାଳିକା ଝିଅ ସମିକ୍ ଭେଙ୍କଟ ହାଲସେ । ପୋଲିସ କହିଛି ମହିଳା ଏବଂ ତାଙ୍କ ପାଞ୍ଚ ବର୍ଷର ଝିଅ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ଟଙ୍କା ଅଭାବରୁ ମହିଳାଜଣକ ଦୁଇ ପିଲାଙ୍କୁ ସିବିଏସ୍ଇ ଅନୁବନ୍ଧିତ ସ୍କୁଲକୁ ପଠାଇବାକୁ ଅସମର୍ଥ ଥିଲେ।

ମହିଳାଙ୍କ ସ୍ୱାମୀ ଦେଢଏକର ଜମିର ମାଲିକ। ତାଙ୍କ ପରିବାରର ଜୀବିକା ମୁଖ୍ୟତଃ ଛେଳି ପାଳିବା ଉପରେ ନିର୍ଭରଶୀଳ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଭାଗ୍ୟଶ୍ରୀ ତାଙ୍କ ପୁଅ ଏବଂ ଝିଅକୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟକୁ ପଠାଇବାକୁ ଚାହୁଁଥିଲେ, ଯାହା ତାଙ୍କ ସ୍ୱାମୀଙ୍କ ସାମର୍ଥ୍ୟ ବାହାରେ ଥିଲା। ଏହି କାରଣରୁ ସେ ପ୍ରାୟତଃ ଦୁଃଖରେ ରହୁଥିଲେ। ଗତବର୍ଷ ଭାଗ୍ୟଶ୍ରୀଙ୍କ ମା’ଙ୍କ ଦେହାନ୍ତ ହେବା ପରେ ସେ ଅଧିକ ମାନସିକ ଚାପରେ ରହୁଥିଲେ ବୋଲି ପରିବାର ଲୋକ ପୋଲିସକୁ କହିଛନ୍ତି।

Advertisment

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଝିଅ ସହିତ ଏକ କୂଅ ନିକଟକୁ ଯାଇଥିଲେ। ସେଠାରୁ ସେ ତାଙ୍କ ସ୍ୱାମୀ ଭେଙ୍କଟ ହାଲସେଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ। ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ବୋଲି ପୋଲିସକୁ ସୂଚନା ଦେଇଛନ୍ତି ପରିବାର ଲୋକ। ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଦୁଇ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତେବେ ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।

CBSE Suicide Attempt
Advertisment
Advertisment