• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକ ବିଂଶ ଶତାବ୍ଦୀରେ ଆମେ ପହଞ୍ଚି ସାରିଲେଣି । ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ହେଲାଣି । ହେଲେ ଏବେ ବି ଲୋକଙ୍କ ମନରେ ରହିଛି ଅନେକ କୁପ୍ରଥା । ଯେମିତିକି ଗାଁରୁ ନିଆଁ ପାଣି ବାସନ୍ଦ ତଥା ଜାତିରୁ ଅଲଗା । ଅନ୍ୟ ଜାତିରେ ବିବାହ କଲେ ଜାତିରୁ ବାହାର ଏବଂ ଗାଁରୁ ବାସନ୍ଦ ହେବାକୁ ପଡ଼ୁଛି । ଏଭଳି କୁପ୍ରଥା ଏବେ ବି ନଜରକୁ ଆସୁଛି ।

ତେବେ ଏମିତି କିଛି ଘଟଣା ଘଟିଛି ଦୁଇ ଜଣ ଭାରତୀୟ ଯବାନଙ୍କ କ୍ଷେତ୍ରରେ । ଯାହା ପାଇଁ ଆମେ ରାତିରେ ଶାନ୍ତିରେ ଘରେ ଶୋଇପାରୁଛେ, ସେହି ଯବାନଙ୍କୁ ଆଜି ଗାଁରୁ ବାସନ୍ଦ ହେବାକୁ ପଡ଼ିଛି । ଗାଁରୁ ତାଙ୍କୁ ଏକ ଘରିଆ କରାଯାଇଛି । ସେମାନେ ଗାଁରେ କାହା ସହ ମିଶିପାରିବେନି କି କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ । ଏଭଳି କୁପ୍ରଥାର ଶିକାର ହୋଇଛନ୍ତି ଦୁଇ ଭାରତୀୟ ଯବାନ । ଏହି ଦୁଇ ଯବାନ ହେଲେ ଦୁଇ ଭାଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । 

ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ । ବାସନ୍ଦ ପରିବାର ସହ ଯିଏ ସମ୍ପର୍କ ରଖିବ ତାକୁ ବି ମିଳିବ ଦଣ୍ଡ । ଏହି ଦୁଇ ଯବାନଙ୍କ କ୍ଷେତ୍ରରେ ତାହା ମଧ୍ୟ ଘଟିଛି । ଗାଁରୁ ବାସନ୍ଦ ବା ପରେ ତାଙ୍କ ମାମୁ ଘର ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ ବୋଲି ତାଙ୍କୁ ମଧ୍ୟ ୪ ହଜାର ଟଙ୍କା ଜରିମାନା କରାଯାଇଛି ।

ତେବେ ବାସନ୍ଦ ହୋଇଥିବା ଦୁଇ ଜଣ ଯବାନ ହେଲେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ନନ କମିଶନ୍‌ଡ ଅଫିସର ଅରବିନ୍ଦ ପ୍ରଧାନ ଏବଂ ନୌସେନାରେ ପେଟି ଅଫିସର ଭାବେ କାର୍ଯ୍ୟରତ ତାଙ୍କ ଭାଇ... । ଗଂଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ସେ ବାସିନ୍ଦା । ଗାଁ ମୁଖିଆଙ୍କ ଅନୁଯାୟୀ ଦୁଇ ଭାଇଙ୍କର ସବୁଠୁ ବଡ଼ ଭୁଲ ହେଲା, ସେମାନେ ଅନ୍ୟ ଜାତିରେ ବିବାହ କରିଛନ୍ତି । ତେଣୁ ତାଙ୍କୁ ଗାଁରୁ ବାସନ୍ଦ କରାଯିବା ସହ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରାଯାଇଛି । ଏହାସହ ତାଙ୍କୁ ଜାତିରୁ ମଧ୍ୟ ବାହାର କରାଯାଇଛି । ଏନେଇ ଦୁଇ ଭାଇ ପୋଲସରା ଥାନାରେ ଏତଲା ବି ଦେଇଛନ୍ତି । 

ସେପଟେ ଗାଁରେ ମାଆ ଏବେ ବହୁ ଚିନ୍ତାରେ ଥିବା ଅରବିନ୍ଦ କହିଛନ୍ତି । ଜିଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆଜିକା ଯୁଗରେ ଏଭଳି କୁପ୍ରଥାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ସେହିଭଳି ଗତ ମେ ୧୪ ତାରିଖରେ ରମ୍ଭା ଥାନା ବୋରିଗାଁର ଯୁବକ ବାଦଲ ସାହୁ ଛତ୍ରପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା କରିଥିଲେ । ତାଙ୍କ ପରିବାରକୁ ମଧ୍ୟ ଠିକ୍‌ ଏମିତି ଗାଁରୁ ବାସନ୍ଦ କରାଯାଇଥିଲା । ସେହିଭଳି ଖଲିକୋଟ ଅଞ୍ଚଳର ବହୁ ପରିବାରଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ବାସନ୍ଦ କରାଯାଇଥିବା ବେଳେ ନିକଟରେ ରମ୍ଭା ଥାନା ସୁବଳିଆ ପଞ୍ଚାୟତର ସମିତିସଭ୍ୟା ମାମି ଦାସଙ୍କୁ ବାସନ୍ଦ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ଏଭଳି ଘଟଣାରେ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି । ଏନେଇ ସେ ବ୍ରହ୍ମପୁର ଓ ଛତ୍ରପୁର ଏସପିଙ୍କ ସମେତ ସମସ୍ତ ଥାନା ଅଧତ୍କାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି । ସେପଟେ ପୋଲିସ୍ ପକ୍ଷରୁ ଆଗାମୀ ଦିନରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।