• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରକ୍ତରଂଜିତ ହେଲା ଶ୍ରୀକ୍ଷେତ୍ର ପୁରୀ । ୧୦ ବର୍ଷ ତଳର କ୍ରାଇମ୍ ଏପିସୋଡ୍‌ରେ ହେଲା ରିପିଟ୍ । ବହୁୁଚର୍ଚ୍ଚିତ ତଳୁଛ ଭଗବାନ ମହାପାତ୍ର ଓରଫ ଗୂନ ସିଂହାରୀଙ୍କୁ ଯେଉଁ ଷ୍ଟାଇଲ୍‌ରେ ହତ୍ୟା କରାଯାଇଥିଲା, ଠିକ୍ ସେଭଳି ଢଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁନ ସିଂହାରୀ ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଅଭିଯୁକ୍ତ ଥିଲେ କୃଷ୍ଣଚନ୍ଦ୍ର । କିନ୍ତୁ ଗତ ଜାନୁଆରୀରେ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେମାନଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ରଙ୍କୁ ଆଜି ପଏଣ୍ଟ ବ୍ଲାଙ୍କରେ ଫାଏରିଂ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।

ସମୟ ଦିନ ୧୦ଟା ୪୦ । କୃଷ୍ଣଚନ୍ଦ୍ରଙ୍କ ଭାଇ ନରସିଂହ ପ୍ରତିହାରୀଙ୍କ ଏତଲା ଅନୁଯାୟୀ, ନୃସିଂହ ପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିଲେ କୃଷ୍ଣଚନ୍ଦ୍ର । ଏହି ସମୟରେ କୃଷ୍ଣଚନ୍ଦ୍ର ଫୋନ୍ କରି ଭାଇ ନରସିଂହଙ୍କୁ ଡାକିଥିଲେ । କହିଥିଲେ, ଟୁୁଟୁ ଓ କୁନ୍‌ମୁନ ଜାଗା ଦେଖିବାକୁ ଆସିଛନ୍ତି, ତୁରନ୍ତ ପହଞ୍ଚି ତାଙ୍କ ସହ ଜାଗା ଦେଖିବାକୁ ଯିବ । ଏହାର କିଛି ସମୟ ପରେ କୃଷ୍ଣଚନ୍ଦ୍ରଙ୍କୁ ଫାଏରିଂ ହୋଇଥିବା ନେଇ ନରସିଂହ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଫୋନ କଲ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କୃଷ୍ଣଙ୍କ ଭାଇ ।

 

ସେତିକିବେଳକୁ ବାବା ମହାପାତ୍ର ଓ ହରି ପଣ୍ଡା ସମେତ ଟୁଟୁ ଓ କୁନ୍‌ମୁନ୍‌ ଦୌଡ଼ି ପଳାଇଥିଲେ । ତାପୂର୍ବରୁ ଏହି ୪ ଜଣ କିଛି ସମୟର କଥାବାର୍ତ୍ତା ଭିତରେ କୃଷ୍ଣଚନ୍ଦ୍ରଙ୍କୁ ଅତି ନିକଟରୁ ଗୁଳି କରିଥିଲେ ୨ଜଣ । ଗୋଟିଏ ଗୁଳି କୃଷ୍ଣଚନ୍ଦ୍ରଙ୍କ କପାଳରେ, ଅନ୍ୟ ୨ଟି ଗୁଳି ପଞ୍ଜରାକୁ ଭେଦିଯାଇଥିଲା । ଦୁର୍ବୃତ୍ତମାନେ ଖସି ପଳାଇବା ବେଳେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହେଲା ବୋଲି କହୁଥିବା ଏତଲାରେ ଦର୍ଶାଯାଇଛି ।

ତେବେ କାଳିଆ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ କଥା କାହିଁକି କହିଲେ ଦୁର୍ବୃତ୍ତ ? ୧୦ ବର୍ଷ ତଳେ ସଂଘଟିତ ଗୁନ ସିଂହାରୀ ହତ୍ୟା ସହ ରହିଛି କି ଲିଙ୍କ୍ ? କାରଣ କାଳିଆ ହେଉଛନ୍ତି ଗୁନଙ୍କ ବଡ଼ଭାଇ ଓ ଦୋଳଗୋବିନ୍ଦ ହେଉଛନ୍ତି କାଳିଆ ସିଂହାରୀଙ୍କ ପୁଅ । ତେଣୁ ଗୁନ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟାକରି ପ୍ରତିଶୋଧ ନେଲେ କି ଏମାନେ ? ୨୦୧୨ରେ ସଂଘଟିତ ଗୁନ ହତ୍ୟା ମାମଲାରେ ଗତ ଜାନୁୟାରୀ ୧୯ରେ କୃଷ୍ଣଚନ୍ଦ୍ରଙ୍କ ସମେତ ୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ । ତାପରଠୁ ସତର୍କ ହୋଇ ରହିବାକୁ ନିଜେ ପରାମର୍ଶ ଦେଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ ଦାମୋଦର ମହାସୁଆର ।

କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ପାଇଁ ରଚିଥିବା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ ? ଗୁନ ସିଂହାରୀ ହତ୍ୟା ସହ ଏହି ମାମଲାର ଲିଙ୍କ୍ ଅଛି ନା କିଛି ଜାଗାବାଡ଼ି ବିବାଦରୁ ମାରି ଦିଆଯାଇଛି କୃଷ୍ଣଚନ୍ଦ୍ରଙ୍କୁ ? ଘଟଣା ସଂପର୍କରେ ଗୁନ ସିଂହାରୀଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ପୁରୀ ଏସ୍‌ପି ଓ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଜାରି ରହିଥିବା କହିଛନ୍ତି ।