• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଥମେ ଲୁଟିଲା, ପରେ ଜିନିଷ ଫେରାଇ ଦେବ ବୋଲି କହିଲା । ଏମିତି ଏକ ଚୋର, ଯିଏ ଚୋରି କରିବା ପରେ ଏକ ମାସ ଭିତରେ ଜିନିଷ ଫେରାଇ ଦେବ ବୋଲି କହିଛି । ତାମିଲନାଡ଼ୁରେ ଘଟିଛି ଏପରି ଘଟଣା । ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ବାସଭବନରୁ ଚୋରି କରିନେଇଥିଲା ଚୋର ।

ଏହା ପରେ ମାତ୍ର ଏକ ମାସ ମଧ୍ୟରେ ଜିନିଷ ଫେରାଇବାର ପ୍ରତିଶ୍ରୁତି ଦେବା ସହ କ୍ଷମା ମଧ୍ୟ ମାଗିଛି । ଚୋରର ଏପରି ମହନୀୟତାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଘଟଣାଟି ଘଟିଛି ମେଘନାପୁରମର ସାଥାନକୁଲମ ରୋଡ୍‌ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ସେଲଭିନଙ୍କ ଘରେ । ଶିକ୍ଷକ ଓ ତାଙ୍କର ପତ୍ନୀ ଉଭୟ ଜୁନ୍ ୧୭ରେ ଚେନ୍ନାଇରେ ରହୁଥିବା ପୁଅକୁ ଭେଟିବାକୁ ଯାଇଥିଲେ ।

ପଢନ୍ତୁ ଏହି ଖବର: ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ

ସେମାନଙ୍କ ଅନୁପସ୍ଥିତିରେ ଘର ସଫା କରିବାକୁ ଉକ୍ତ ଦମ୍ପତି ଏକ ଘରୋଇ ସହାୟତା ସେଲଭିଙ୍କୁ ନିୟୋଜିତ କରିଥିଲେ । ସେଲଭି ଯେତେବେଳେ ଜୁନ୍ ୨୬ ରେ ଘରକୁ ଯାଇଥିଲେ, ସେତେବେଳେ ମୁଖ୍ୟ ଦ୍ୱାର ଖୋଲା ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ତୁରନ୍ତ ସେଲଭିନଙ୍କୁ ଜଣାଇଲେ ।

ସେ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ୬୦,୦୦୦ ଟଙ୍କା ସହ ୧୨ ଗ୍ରାମ ସୁନା ଅଳଙ୍କାର ଏବଂ ଗୋଟିଏ ରୂପା ଆଙ୍କଲେଟ୍ ଲୁଟ୍ ହୋଇଯାଇଛି । ଏହା ପରେ ସେ ଚୋରି ହୋଇଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ଚୋରଟି ଚୋରି କରିବା ସହ ଏକ କ୍ଷମାପତ୍ର ମଧ୍ୟ ଛାଡ଼ି ଦେଇଯାଇଛି ।

ଚୋରି କରିଥିବା ସମସ୍ତ ଜିନିଷକୁ ମାତ୍ର ଏକ ମାସ ମଧ୍ୟରେ ଫେରାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛି । ଏହା ସହ ଚୋରି କରିଥିବାରୁ କ୍ଷମା ମଧ୍ୟ ମାଗିଛି । ଚିଠିରେ ଲେଖାଯାଇଛି, "ମୋତେ କ୍ଷମା କର । ମୁଁ ଏହାକୁ ଏକ ମାସ ମଧ୍ୟରେ ଫେରାଇ ଦେବି । ଘରେ ମୋର କେହି ଭଲରେ ନାହାନ୍ତି । ଏଣୁ ମୁଁ ଏପରି କରିବାକୁ ବାଧ୍ୟ ହୋଇଛି ।"

ତେବେ ମେଘନାପୁରମ୍ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ବର୍ଷ କେରଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା । ଚୋରଟି ତିନି ବର୍ଷର ଶିଶୁଠାରୁ ସୁନା ହାର ଚୋରି କରିନେଇଥିଲା । ପରେ ଏହାକୁ ବିକ୍ରି କରି ମିଳିଥିବା ଟଙ୍କା ଫେରାଇବା ସହ କ୍ଷମା ମଧ୍ୟ ମାଗିଥିଲା ।

ପଢନ୍ତୁ ଏହି ଖବର: ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

    OTV is now on Whatsapp

    Join and get latest news update delivered to you via whatsapp

    Join Now