• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚତୁର ଚୋରଙ୍କ ଅଭିନବ ଫଣ୍ଡାା । ଆମେ ଆପଣଙ୍କୁ ଦୁଇଟି ଘଟଣା କହିବାକୁ ଯାଉଛୁ । ଗୋଟିଏ କୋରାପୁଟ ଲକ୍ଷ୍ମୀପୁରର, ଆଉ ଏକ ଘଟଣା ପର୍ଯ୍ୟଟନ କ୍ଷେତ୍ର ପୁରୀର । ଗୋଟିଏ ବ୍ୟାଙ୍କ ଲୁଟ୍, ଆରଟି ହେଉଛି ଲୋକଙ୍କୁ ଲୁଟ୍ ଉଦ୍ୟମ । ଉଭୟ ଘଟଣାର ଚୋରି ଟେକ୍‌ନିକ୍ ଦେଖିଲେ ଚକିତ ହୋଇଯିବେ ।

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍‌ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା । ଯାହାର ନାଁ ଶେଖର କୁଲଦିିପିଆ । ଘର କୋରାପୁଟ ନାରାୟଣପାଟଣା ଥାନା ଅନ୍ତର୍ଗତ ବିକ୍ରମପୁରରେ । ଲକ୍ଷ୍ମୀପୁରର ଏସ୍‌ବିଆଇ ଶାଖାରୁ ଲୁଟି ନେଇଥିଲା ୨୧ ପ୍ୟାକେଟ୍ ସୁନା ଗହଣା, ଯେଉଁଥିରେ ଥିଲା ୧ କିଲୋ ୧୮୯ ଗ୍ରାମ ସୁନା । ଏତକ ଲୁଟି ଖସିଯାଇଥିଲା, ଆଜିକୁ ପ୍ରାୟ ୨ ମାସ ଧରି । ହେଲେ ଚୋର ଘର ସବୁଦିନ ଅନ୍ଧାର ନୁହେଁ । ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ଼ କରି ଶେଖରକୁ ଗିରଫ କଲା ପୋଲିସ । ଆଉ ଜବତ କଲା କିଛି ଚୋରୀ ଅଳଙ୍କାର ଏବଂ ୨ ଲକ୍ଷ ୯୫ ହଜାର ଟଙ୍କା । ଏସବୁ ଟଙ୍କା ସେହି ଅଳଙ୍କାରକୁ ବିକ୍ରି କରି ପାଖରେ ରଖିଥିଲା ଶେଖର ।

ରୋଚକ କଥା ହେଉଛି ଶେଖର ଏହି ବ୍ୟାଙ୍କର ପୂର୍ବତନ ମେସେଞ୍ଜର । କୌଣସି କାରଣରୁ ୨୦୨୦, ଅଗଷ୍ଟରେ ବହିଷ୍କାର କରାଯାଇଥିଲା ଚାକିରିରୁ । ସେହି ବ୍ୟକ୍ତି କେମିତି କରିଥିଲା ଲୁଟ୍‌ର ଗେମ୍ ପ୍ଲାନ୍ ? ଶୁଣନ୍ତୁ.. ନଭେମ୍ବର ୩୦, ଅପରାହ୍ନ ପ୍ରାୟ ୩ଟା । ବ୍ୟାଙ୍କରେ ପଶି କୌଣସି ଏକ ସ୍ଥାନରେ କୌଶଳକ୍ରମେ ଛପିରହିଥିଲା ଶେଖର ।

 

ଅପରାହ୍ନ ପରେ ଡ୍ୟୁଟି ସାରି କର୍ମଚାରୀ ଫେରିଗଲେ ଘରକୁ । ବ୍ୟାଙ୍କରେ ଲୁଚିଥିବା ଶେଖର ରାତିରେ ଆରମ୍ଭ କରିଥିଲା ଅପରେସନ୍ । ବ୍ୟାଙ୍କ ମ୍ୟାନେଜରଙ୍କ ଡ୍ରରୁ ଚାବି ନେଇ ଲକର୍ ଖୋଲିବା ସହ ବନ୍ଧକ ସୁନା ଅଳଙ୍କାର ଲୁଟି ରାତି ତମାମ୍ ବ୍ୟାଙ୍କ ପରିସରରେ ହିଁ ଲୁଚିରହିଥିଲା । ଆଉ ବ୍ୟାଙ୍କ ଖୋଲିବା ପରେ ସକାଳ ୯ଟାରେ ଖସିଯାଇଥିଲା ଚତୁରତାର ସହ । ଯାହାର ପ୍ରତିଟି ଚିତ୍ର କଏଦ୍ ହୋଇଥିଲା ସିସିଟିଭିରେ । ତେବେ ବ୍ୟାଙ୍କରେ କଣ ନଥିଲା ସୁରକ୍ଷା ବ୍ୟବସ୍ଥା ? ଏଭଳି ଲୁଟ୍ ପଛରେ କୌଣସି ବ୍ୟାଙ୍କ କର୍ମଚାରୀଙ୍କ ଲିଙ୍କ୍ ନାହିଁ ତ ? ଏବେ ଏଭଳି ପ୍ରଶ୍ନ ଉଠୁଥିଲେ ବି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସେହିଭଳି ଆଉ ଏକ ଘଟଣା ହେଉଛି, ପୁରୀ ମାଳତୀ ପାଟପୁର ବସଷ୍ଟାଣ୍ଡର । ଏଠାରେ ଦେଖିବାକୁ ମିଳିଛି ଚୋରି ଉଦ୍ୟମର ଅଭିନବ ଫଣ୍ଡା । ବସ୍‌ଷ୍ଟାଣ୍ଡରେ ମହାରାଷ୍ଟ୍ରର କିଛି ପର୍ଯ୍ୟଟକ ବସିଥିଲେ । ସେଠାକୁ ୪ ଜଣ ଚୋର ଧଳା ଲୁଗା ଧରି ପହଞ୍ଚିଲେ । ସେମାନଙ୍କ ପାଖରେ ଛିଡ଼ା ହୋଇଥିବା ବୟସ୍କ ପର୍ଯ୍ୟଟକ କାଳେ ଦେଖିନେବେ, ତେଣୁ ଜଣେ ଚୋର ସଂପୃକ୍ତ ପର୍ଯ୍ୟଟକଙ୍କୁ ତଳେ କୌଣସି ଜିନିଷ ପଡ଼ିଥିବା ଦେଖାଇଥିଲା । ଏତିକି ବେଳେ ଗ୍ୟାଙ୍ଗର ଅନ୍ୟ ୩ ସଦସ୍ୟ ଲୁଗା ବଦଳାଇବାର ବାହାନା କରିଥିଲେ ପର୍ଯ୍ୟଟକଙ୍କ ବ୍ୟାଗ ପାଖରେ । ଆଉ ଲୁଗା ଆଢ଼ୁଆଳରେ ଜଣେ ବ୍ୟକ୍ତି ବ୍ୟାଗ୍‌ରୁ କିଛି ସାମଗ୍ରୀ ଚୋରି କରିଥିଲା । ସେହି ଧଳା ଲୁଗା ଭିତରେ ଲୁଚାଇ ଖସିଯିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ସିସିଟିଭିରେ ଏସବୁ ଦୃଶ୍ୟ ଦେଖୁଥିବା ବସ୍‌ଷ୍ଟାଣ୍ଡର ଜଣେ କର୍ମଚାରୀ ଦୌଡ଼ି ଆସି କାବୁ କଲେ ଜଣେ ଚୋରକୁ । ଆଉ ପୋଲିସ ଜିମା ଦେଇଥିଲେ ।