• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନୁଗୁଳ ଆମ୍ବପାଳ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ମାରିଲା କିଏ ? ଏଭଳି ଜଘନ୍ୟ ହତ୍ୟା ପଛରେ ରହିଛି କାହାର ହାତ । ସେ ନେଇ ତନାଘନା କରୁଛି ଅନୁଗୁଳ ସଦର ଥାନା ପୋଲିସ । ଘଟଣାର ରହସ୍ୟ ଭେଦ ପାଇଁ ଆଜି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ।

ଶନିବାର ବିଳମ୍ବିତ ରାତିରେ ଆମ୍ବପାଳ ଗାଁ ସଭାପତି ବାଳକୃଷ୍ଣ ନାୟକ ଶୋଇଥିବା ବେଳେ ତିନିଜଣ ଦୁର୍ବୃତ୍ତ ଆସି ତାଙ୍କୁ ଇଞ୍ଜେକସନ୍ ଦେଇ ପଳାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅନୁଗୁଳ ମେଡିକାଲକୁ ନିଆଯାଇଥିଲା । ସେଠାରୁ କଟକ ବଡ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ହତ୍ୟାସ୍ଥଳରୁ ଏକ ହାତଲେଖା ଚିଠି ସହ ଇଞ୍ଜେକ୍ସନ୍ ଓ ସିରିଞ୍ଜ୍ ଜବତ ହୋଇଥିଲା । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ପୋଲିସ ତଦନ୍ତ ଭାରି ରଖିଛି ।

ସୂଚନା ମୁତାବକ ଗତ ଶନିବାର ରାତିରେ ଗାଁର ସଭାପତି ବାଳକୃଷ୍ଣ ନାୟକ ଏକ କୁକୁଡ଼ା ଫାର୍ମରେ ଶୋଇଥିଲେ । ନିଜ ଘର ଠାରୁ କୁକୁଡ଼ା ଫାର୍ମଟି କିଛି ଦୂରରେ ରହିଥିଲା । ଫଳରେ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ଫାର୍ମ ହାଉସ ଭିତରେ ପଶି ବାଳକୃଷ୍ଣଙ୍କୁ ଧରି କିଛି ଇଞ୍ଜେକସନ ଫୋଡ଼ି ଦେଇ ପଳାଇ ଯାଇଥିଲେ ।

ପରେ ପରେ ବାଳକୃଷ୍ଣ ବିଷଜ୍ୱଳାରେ ଛଟପଟ ହେବା ସହ ବାନ୍ତି କରିଥିଲେ ଏବଂ ଅଚେତ ହୋଇଯାଇଥିଲେ । ଏହା ଦେଖି ପରିବାର ଲୋକ ତାଙ୍କୁ ଅନୁଗୁଳ ଭର୍ତ୍ତି ଡାକ୍ତରଖାନାରେ କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

(ଅନୁଗୁଳରୁ ବିରଜା ପ୍ରସାଦ ଦାସଙ୍କ ରିପୋର୍ଟ)