• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୁଟେରାଙ୍କୁ କାବୁ କରିପାରୁନାହିଁ ପୋଲିସ । ନା ଲୁଟ ରୋକି ପାରୁଛି ନା ଲୁଟେରାକୁ ଧରି ପାରୁଛି । ଏଥର ଲୁଟେରା ଟାର୍ଗେଟ କରିଛନ୍ତି ଜଣେ ବଡବାବୁଙ୍କୁ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି ।

ନଗଦ ଦେଢ ଲକ୍ଷ ଟଙ୍କା ସହ ୮ ଲକ୍ଷରୁ ଅଧିକ ସୁନା ଗହଣା ଲୁଟି ଫେରାର ମାରିଛନ୍ତି । ସେପଟେ ଲୁଟେରାଙ୍କୁ ଧରିବାକୁ ରାଜଧାନୀର କାନ୍ଥବାଡରେ ପୋଷ୍ଟର ମାରିଛି ପୋଲିସ । ଯେତେ ହୁସିଆର କଲେ ବି ରାଜଧାନୀରେ କମୁନି ଲୁଟ୍ । ଅନ୍ଧାର ହେଲେ ଭୁବନେଶ୍ୱରରେ ସକ୍ରିୟ ହେଉଛନ୍ତି ଲୁଟେରା ।

ଗୋଟିକ ପରେ ଗୋଟିଏ ଘରେ ବୁଲାଉଛନ୍ତି କଳାକନା । ଏଥର ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ପଡିଛନ୍ତି ବଡ ଅଫିସର୍ । ଖଣ୍ଡଗିରି ଗଣ୍ଡମୁଣ୍ଡା ତାଳବଣିଆରେ ରହୁଥିବା ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେ ପଶି ସଫା କରି ଦେଇଛନ୍ତି ଲୁଟେରା । ଘର ସାରା ପଡି ରହିଛି ଖାଲି ଗହଣା ବାକ୍ସ ।

ଘରେ ଥିବା ଦେଢଲକ୍ଷ ଟଙ୍କା ନଗଦ ଟଙ୍କା ସହ ୮ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଲୁଟିନେଇ ମାରିଛନ୍ତି ଚମ୍ପଟ । ଅଫିସର ଘରେ ଥିଲେ ସୁଦ୍ଧା ଲୁଟେରାମାନେ ଚତୁରତା ସହ ଲୁଟି ନେଇଛନ୍ତି । ଘଟଣା ସଂପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ ।

ଏଣେ ରାଜଧାନୀର କାନ୍ଥରେ ବାଡରେ ଲାଗିଛି ଲୁଟେରାଙ୍କ ପୋଷ୍ଟର । କୌଣସି ଲୁଟ ମାମଲାରେ ସଫଳତା ପାଉନଥିବା ପୋଲିସ କେବଳ ଲୁଟେରାଙ୍କ ପୋଷ୍ଟର ମାରି ଚାଲିଛି । ରାଜଧାନୀର ଶହେଟି ସ୍ଥାନରେ ଲୁଟେରାଙ୍କ ପୋଷ୍ଟର ମାରି ଲୋକଙ୍କୁ ହୁସିଆର କରିବା ସହ ସହାୟତା ଲୋଡିଛି କମିଶନରେଟ ପୋଲିସ ।

ରାଜଧାନୀରେ ଗତ ୩ ମାସ ମଧ୍ୟରେ ୩୫ ରୁ ଅଧିକ ଘର ସହ ୫ ଆପାର୍ଟମେଣ୍ଟର ୧୫ ରୁ ଅଧିକ ଫ୍ଲାଟରେ କଳାକନା ବୁଲାଇ ସାରିଲେଣି ଲୁଟେରା । ତା ସହ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏଟିଏମ ଲୁଟିବା ସହ ନନ୍ଦନକାନନ ଅଞ୍ଚଳରେ ଦମ୍ପତିଙ୍କୁ ହାତଗୋଡ ବାନ୍ଧି ଲୁଟିଲେ । ହେଲେ କୌଣସି ଗୋଟିଏ ବି ମାମଲାରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ ।