• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ରେଞ୍ଜ ରୋଭର ଦୁର୍ଘଟଣାରେ ଦୁଇ ଆହତଙ୍କ ଏବେ ବି ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଯୁବତୀ ଲୋପାମୁଦ୍ରା ସାହୁଙ୍କ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି ।

ଦୁର୍ଘଟଣା ପରଠାରୁ ଲୋପାମୁଦ୍ରାଙ୍କ ଚେତା ଫେରି ନ ଥିବା ଜଣା ପଡ଼ିଛି । ଲୋପାମୁଦ୍ରା ଭେଣ୍ଟିଲେଟରରେ ଥିବା ତାଙ୍କ ଭାଇ କହିଛନ୍ତି । ସେପଟେ ଘଟଣାରେ ପୋଲିସ ଗାଡ଼ିର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟି କାହାର ତାହା ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ।

ଗାଡିର ଆଗ ପଟରେ ଥିବା ଦୁଇଟି ଯାକ ସୁରକ୍ଷା ବେଲୁନ୍ ବାହାରିଥିବାରୁ ଗାଡିରେ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ ଜଣେ ଉପସ୍ଥିତ ଥିବା କୁହାଯାଉଛି । ତେବେ ଅନ୍ୟ ବ୍ୟକ୍ତି କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସେପଟେ ଏ ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ନିର୍ଦ୍ଦେଶକ ଥିବା ଏକ ସଂସ୍ଥା ନାଁରେ ଅଛି ।

ଗାଡ଼ିଟିକୁ ପୂର୍ବରୁ ବିଶାଳ, ବ୍ୟବହାର କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ତେବେ ଦୁର୍ଘଟଣା ଦିନ ନବ ଦାସଙ୍କ ପୁଅ ବିଶାଳ ଦାସ ଗାଡ଼ିରେ ବସିଛନ୍ତି କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ନାହିଁ । ଏସବୁ ନେଇ ତାଙ୍କୁ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ଏବେ ଚର୍ଚ୍ଚା । ଫେବ୍ରୁଆରୀ ୫ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ସମାନ ନମ୍ବର ଗାଡ଼ିରୁ ଓହ୍ଲାଇବାରର ଦୃଶ୍ୟ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଝାରସୁଗୁଡ଼ା ଆରଟିଓରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗାଡ଼ିଟି ଆର୍ମର୍ସରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର । ଏହି କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ବିଶାଳ ଦାସ ।

ଅନ୍ୟପଟେ ପୋଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବର ନେଇ ପୋଲିସ୍ ଦୁଇ ଦୁଇଟି ନମ୍ବର ଦେଇଥିଲା । ଗତ ମଙ୍ଗଳବାର ଅପରାହ୍ନରେ ପାୱାର ହାଉସ ଛକରେ ଘଟିଥିବା ଦୁର୍ଘଟଣା ବାବଦରେ କମିଶନରେଟ୍ ପୋଲିସର ପ୍ରେସ ରିଲିଜରେ ଗାଡ଼ି ନମ୍ବର OD-33-AF-6726 ଲେଖା ଥିଲା । କିନ୍ତୁ ତାର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରି OD-23-K-0006 ନମ୍ବର ଜାରି କରାଗଲା ।

ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଭୁଲ ବଶତଃ ପୋଲିସ ପ୍ରଥମେ ଭୁଲ ନମ୍ବର ଦେଇଥିଲା କି ୟା ପଛରେ କାହାର ଚାପ କାମ କରିଥିଲା । କେବଳ ସେତିକି ନୁହେଁ, ଗିରଫ ହୋଇଥିବା ସୌଭାଗ୍ୟ କୁମାର ବାଗ୍ ପ୍ରକୃତରେ ଦୁର୍ଘଟଣା ଦିନ ଗାଡି ଚଳାଉଥିଲେ ନା ଗାଡ଼ିରେ ଥିବା ଆଉ କେହି ଦ୍ୱିତୀୟ ବ୍ୟକ୍ତି ଗାଡ଼ି ଚଳାଉଥିଲେ । କାରଣ ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି ।

ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କରୁନି ତ ପୋଲିସ ? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।