Advertisment

ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ, ପତ୍ନୀ ଓ ରୋଷେୟା ପରିବାରକୁ ପଚରାଉଚରା

ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD Leader Dharmendra Sahoo Death

Sameer Das - Dharmendra Sahoo

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଅଧିକ ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା କମିଶନରେଟ ପୋଲିସର ୬ ଜଣିଆ ଟିମ୍ । ଅତିରିକ୍ତ ଡିସିପିଙ୍କ ସହ ସାଇବର ଥାନା ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ମିଳିତ ଟିମ୍ ଶିଶୁପାଳଗଡସ୍ଥିତ ଲକ୍ଷ୍ମୀବିହାର ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରୁଛି । ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର ଲୋକ ଓ ରୋଷେୟା ପରିବାରକୁ ପଚରାଉଚରା କରାଯାଉଛି ।

Advertisment

ସେପଟେ ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଛି । ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଘର ବାଲକୋନିରୁ ମିଳିଥିଲା । ପୂର୍ବରୁ ମଧ୍ୟ ପତ୍ନୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ । ସେହିପରି ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ । ସେଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଘଟଣା ଯାହା ଘଟିଛି ସେଥିପାଇଁ ମୁଁ ଦୁଃଖିତ । ମୋ ଜିଲ୍ଲା ପରିଷଦ ଜୋନ୍ ଯେହେତୁ, ତେଣୁ ମର୍ମାହତ । ବାକି ବିବାଦ କଣ ମୁଁ ଜାଣିନି । ପରିବାରରୁ ତ କିଛି ଆସିନି । ବାକି ବିରୋଧୀ ଦଳ କଣ କହୁଛନ୍ତି ସେନେଇ ମୁଁ ଉତ୍ତର ରଖିବାକୁ ଉଚିତ ମନେ କରୁନି’ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

Advertisment

ସୂଚନାଥାଉ କି, କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ପାରିବାରିକ କଳହକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେ ନେଲେ ତାହା ସ୍ପଷ୍ଟ ହୋଇନାହିଁ। 

ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଛି। ତେବେ ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଧର୍ମେନ୍ଦ୍ରଙ୍କ ମୋବାଇଲ୍‌କୁ ଏବେ ପୋଲିସ ଜବତ କରିଛି । ଆଉ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି । ଏଠି ପ୍ରଶ୍ନ, ସେହି ୨ଟି ମୋବାଇଲ୍‌ରେ କି ଭିଡିଓ ରହିଛି ? କାହାର ଭିଡିଓ ରହିଛି ? ମୋବାଇଲ୍‌ରେ ଲୁଚି ରହିଛି କି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? କେଉଁ ପ୍ରଭାବଶାଳୀ ନେତାଙ୍କ ରହିଛି କି ଗୁପ୍ତ ତଥ୍ୟ ? ଏବେ ସେହି ମୋବାଇଲ୍‌ରେ ଥିବା ଭିଡିଓ ସବୁ ସୁରକ୍ଷିତ ଅଛି ତ ? ମୋବାଇଲ୍‌ରୁ କେତେ ସତ ବାହାର କରିବ ପୋଲିସ ? ସେନେଇ ଲୋକଙ୍କ ମନରେ ଏବେ ନାନା ପ୍ରଶ୍ନ ଉଙ୍କି ମାରୁଛି ।

Education Minister Sameer Ranjan Das Dharmendra Sahoo
Advertisment
Advertisment