• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବଢୁଛି ଆତ୍ମହତ୍ୟା ସଂଖ୍ୟା ।

  • ପାରିବାରିକ ସମସ୍ୟା ସହ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ନେଉଛି ଜୀବନ ।

ଭୁବନେଶ୍ୱର: ପାରିବାରିକ ହେଉକି ବ୍ୟକ୍ତିଗତ, ବିଭିନ୍ନ କାରଣକୁ ନେଇ ବଢୁଛି ଆତ୍ମହତ୍ୟା ପ୍ରବଣତା । ତେବେ କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣ ଭୟ ଏହି ସଂଖ୍ୟାକୁ ଆହୁରି ବଢ଼ାଇ ଦେଇଛି । କମିଶନରେଟ୍ ପୋଲିସର ହିସାବ କହୁଛି, ରାଜଧାନୀ ଭୁବନେଶ୍ୱରରେ ଗତବର୍ଷ ୩୧୦ଜଣ ଆତ୍ମହତ୍ୟା କରିଥିବା ବେଳେ ଏବର୍ଷ ଜାନୁଆରୀରୁ ଜୁନ୍ ଭିତରେ ୧୫୧ଜଣ ନେଇ ସାରିଲେଣି ଚରମ ପଦକ୍ଷେପ । ଆଜି ପାରିବାରିକ କାରଣରୁ ହଂସପାଳ ବ୍ରିଜ୍‌ରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ଜଣେ ଯୁବତୀଙ୍କୁ କାବୁ କରିବାକୁ ନାକେଦମ୍ ହୋଇଥିଲେ ପଥଚାରୀ ଓ ପୋଲିସ୍ । 

ନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ଯୁବତୀ । ବାଟରେ ଯାଉଥିବା ଲୋକେ ଏହା ଦେଖିଦେଲେ । ତତ୍‌କ୍ଷଣାତ୍ ଅଟକାଇ ଦେଲେ, ଜୀବନ ବଞ୍ଚିଗଲା । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜ୍ ଉପରେ ମଧ୍ୟାହ୍ନରେ ହଠାତ୍ ଜଣେ ଯୁବତୀ ପୋଲ ଉପରୁ ନଦୀକୁ ଡେଇଁବାକୁ ଯାଉଥିଲେ । ଲୋକେ ଦେଖି ବାରଣ କରିଥିଲେ । ତେବେ ଆତ୍ମହତ୍ୟା ଜିଦ୍‌ରେ ଅଟଳ ଯୁବତୀ ଲୋକଙ୍କ କବଳରୁ ଖସିବାକୁ ଚେଷ୍ଟା କରୁଥିଲେ । ହେଲେ ପଥଚାରୀ ଛାଡିନଥିଲେ । 

ପାଖାପାଖି ଘଣ୍ଟାଏ ଧରି ଜିଦିଆ ଯୁବତୀ ଜଣକ ଏମିତି ସମସ୍ତଙ୍କୁ ନାକେଦମ୍ କରିବା ପରେ ପୋଲିସ୍ ପହଞ୍ଚିଥିଲା । ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହେବାରୁ ସିଧା ଟାଣିଆଣି ଭ୍ୟାନରେ ବସାଇ ଥାନାକୁ ନେଇ ଯାଇଥିଲା ।

ସୂଚନା ଅନୁସାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକ ଲକ୍ଷ୍ମୀସାଗର ଅଞ୍ଚଳର । ତାଙ୍କୁ ତାଙ୍କ ଭାଉଜ ନିର୍ଯାତନା ଦେଉଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ କିଛି ପଦକ୍ଷେପ ନନେବାରୁ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ବାଛିଥିଲେ । ହେଲେ ପଥଚାରୀଙ୍କ ଚେଷ୍ଟାରୁ ଜୀବନ ରକ୍ଷା ହୋଇଗଲା ।

ସେ ଆତ୍ମହତ୍ୟା ହେଉ କି ଆତ୍ମହତ୍ୟା ଉଦ୍ୟମ । ସାରା ରାଜ୍ୟ କଥା ଛାଡ଼ନ୍ତୁ ଖୋଦ୍ ରାଜଧାନୀରେ ଦିନକୁ ଦନ ବଢି ଚାଲିଥିବା ଏଭଳି ଘଟଣା ବଡ଼ ଚିନ୍ତାର କାରଣ । ବିଷପାନ, ରଶି ଲଗାଇ ଆତ୍ମହତ୍ୟା ସାଧାରଣ ଘଟଣା ପାଲଟିଥିବା ବେଳେ ନଦୀକୁ ଡେଇଁ ଏବଂ ଶରୀରରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ ବ୍ୟାଧିରେ ପରିଣତ ହେଲାଣି । ଯେଉଁଥିରେ ଯୁବପିଢିଙ୍କ ସଂଖ୍ୟା ଅଧିକ । ବଡ଼ କଥା ହେଲା ପୂର୍ବ ସମୟମାନଙ୍କ ତୁଳନାରେ କରୋନା କାଳରେ ଏହି ହାର ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।

ଲକଡାଉନ୍-ସଟ୍‌ଡାଉନ୍ ସମୟର ତଥ୍ୟ ଅନୁସାରେ, ୨୦୨୦ ମସିହାରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ଜାନୁଆରୀରୁ ଜୁନ୍ ଭିତରେ ସଂଖ୍ୟା ଥିଲା ୧୪୨ । ତେବେ ଚଳିତବର୍ଷ ଜାନୁଆରୀ ଆରମ୍ଭରୁ ଜୁନ୍ ଭିତରେ ୧୫୧ଜଣ ଆତ୍ମହତ୍ୟା କରି ସାରିଲେଣି । ଏମିତିକି ଲକ୍‌ଡାଉନ୍ ମାସ ମେ’ରେ ୧୬ ଓ ଜୁନ୍‌ରେ ୨୨ଜଣ ସୁଇସାଇଡ୍ କରିଛନ୍ତି । ଏହାପୂର୍ବରୁ ୨୦୧୯ ମସିହାରେ ଏହି ସଂଖ୍ୟା ଥିଲା ୨୨୦ । ତେଣୁ ଏଥିରୁ ସ୍ପଷ୍ଟ କୋଭିଡ୍ କାଳରେ ଆତ୍ମହତ୍ୟା ସଂଖ୍ୟା ବଢି ବଢି ଚାଲିଛି ।

ପାରିବାରିକ ଓ ବ୍ୟକ୍ତିଗତ ସମସ୍ୟାକୁ ଛାଡ଼ିଦେଲେ କରୋନା ସମୟରେ ବିପଦରେ ପଡ଼ିଥିବା ବୃତ୍ତିକୁ ନେଇ ବି ଅନେକ ଲୋକ ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ତାସହ ଘରେ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିବାର ଚାପ, ଋଣଭାର, କରୋନା ସଂକ୍ରମଣ ଡର ବି ଅନେକାଶଂରେ ଆତ୍ମହତ୍ୟା ଆଡକୁ ଲୋକଙ୍କୁ ଟାଣି ନେଉଛି । ତେଣୁ କୌଣସି ବ୍ୟକ୍ତି ଏଭଳି ଗଭୀର ମାନସିକ ଚାପରେ ଥିବା ଜଣାପଡ଼ିଲେ ସେମାନଙ୍କୁ କାଉନସେଲିଂ ସହ ସେମାନଙ୍କ ମନୋଭାବର ସମାଧାନ ପାଇଁ ଯତ୍ନବାନ ହେବା ଜରୁରୀ ବୋଲି କହିଛନ୍ତି ମନସ୍ତତ୍ୱବିତ୍ ।