• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା ପରେ ମୃତଦେହକୁ ଘର ଭିତରେ ରଖିଥିଲା ସ୍ୱାମୀ । ସେହି ଘରେ ସ୍ତ୍ରୀ ମୃତଦେହ ସହ ଅଭିଯୁକ୍ତ ସ୍ୱାମୀ ତିନି ଦିନ ସମୟ ବିତାଇଥିଲା ।

ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ । ଏହାପରେ ମାମଲା ଉପରୁ ପରଦା ହଟିଛି । କହିବାକୁ ଗଲେ ନିଶା ଉଜାଡ଼ି ଦେଇଛି ପରିବାର । ନିଶା ଅନେକ ଜୀବନ ନେଇଛି । କିନ୍ତୁ ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ବାକ ପାଲଟି ଯାଇଛନ୍ତି ସବୁ । ନିଶାର କୁପରିଣତି ଦେଖି ସମସ୍ତେ ହତବାକ ।

ସବୁବେଳେ ସ୍ୱାମୀ ମଦ ପିଇ ଘରେ ବିଶୃଙ୍ଖଳା କରିବା ଦେଖି ଆସିଥିବା ବେଳେ ଏହି ଘଟଣା କିନ୍ତୁ ଟିକେ ଭିନ୍ନ । ଏଠାରେ ସ୍ତ୍ରୀ ଅତ୍ୟଧିକ ମଦ ପିଉଥିବାରୁ ଧାରୁଆ ଅସ୍ତ୍ର ଓ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ ଗୋଲଖ ଜେନା ଓରଫ ବାବୁଲି । ଗଞ୍ଜାମରୁ ଆସି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାଲିଆସାହି ତାରିଣୀ ନଗର ସ୍ଥିତ ଏକ ଘରେ ଗୋଲଖ ନିଜ ସ୍ତ୍ରୀ ଓ ୩ଟି ପିଲାଙ୍କ ସହ ରହୁଥିଲେ ।

ତେବେ ସ୍ତ୍ରୀ ପ୍ରବଳ ମଦ ପିଉଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହୁଥିଲା । ୩ ଦିନ ତଳେ ଅଭିଯୁକ୍ତ ନିଜେ ପିଇବା ସହ ରାଗରେ ଜର୍ଜରିତ ହୋଇ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି । ଆଶ୍ଚର୍ଯ୍ୟର କଥା ହେଉଛି ସ୍ତ୍ରୀକୁ ମାରିବା ପରେ ସେହି ଘର ବନ୍ଦ କରି ତିନି ଦିନ ରହିଥିଲା ଅଭିଯୁକ୍ତ । ଜୋର ଜବରଦସ୍ତ ୩ ଛୁଆଙ୍କୁ ମଧ୍ୟ ସେହି ଘରେ ରଖିଥିଲା ।

ଆଜି ସକାଳୁ ପଚା ସଢା ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଅଭିଯୁକ୍ତକୁ କାବୁ କରିଥିଲା । କିନ୍ତୁ ଅଭିଯୁକ୍ତ ମନରେ ସ୍ତ୍ରୀକୁ ମାରିବା ନେଇ ଟିକେ ମଧ୍ୟ ପଶ୍ଚାତାପ ନଥିଲା । ସେ ଯାହା କରିଛି ଠିକ କରିଛି ବୋଲି ପୋଲିସ ଆଗରେ ବୟାନ ରଖିଛି । ସେପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । କେବଳ ନିଶା ନାଁ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ ।