• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ଟଙ୍କାରେ ପେଟ ପୁରିଲାନି ଯେ, ଦିବ୍ୟାଙ୍ଗଙ୍କ ରାସନକୁ ଖାଇଗଲେ ଡିଲର । ପୁଣି ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୪ ମାସ ହେଲାଣି ଦିବ୍ୟାଙ୍ଗଙ୍କ ନାଁରେ ରାସନ ଲୁଟ୍‌ କରୁଛନ୍ତି ଡିଲର । ଆଉ ରାସନ ଲୁଟ୍‌ ସମ୍ପର୍କରେ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସମାଧାନ ହେଉନି । ଯାହାକୁ ନେଇ ସମ୍ପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତି କ୍ଷୋଭ ପ୍ରକାଶ କରିଛନ୍ତି ।

ସରକାର ଦେଉଥିବା ରାସନ ପାଇବା ପାଇଁ ଦିବ୍ୟାଙ୍ଗଙ୍କ ପରିବାର ବାରମ୍ବାର ଡିଲରଙ୍କୁ ଗୁହାରି କରିଥିଲା, ନେହୁରା ବି ହୋଇଥିଲା । ହେଲେ କିଛି ଶୁଣିନଥିଲେ ଡିଲର ବରଂ କହିଥିଲେ ‘ମୋର ଉପର ଲେବୁଲରେ ବହୁତ ଲୋକ ଚିହ୍ନା ଅଛନ୍ତି । ଯାହାକୁ ଅଭିଯୋଗ କରିବା କଥା କର, ମୋର କିଛି ହେବନି ।’

ବଇରାଗୀ ଦାସ ମାନସିକ ଅନଗ୍ରସର ହୋଇଥିବା କାରଣରୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ତାଙ୍କୁ ରାସନ ମିଳୁଥିଲା । ହେଲେ ଏବେ ଆଉ ଚାଉଳ ପାଉନାହାନ୍ତି ବଇରାଗୀ । କାହିଁକି ଚାଉଳ ଦେଉନ ବୋଲି ଡିଲରଙ୍କୁ ପ୍ରଶ୍ନ କରିବାରୁ, ଏହି କଥାକୁ ଗୁରୁତ୍ୱ ଦେଇନଥିଲେ । ସବୁଠାରୁ ବଡ଼ କଥା ହେଲା ପୂର୍ବରୁ ୧୦ କିଲୋ ଚାଉଳରୁ ୨ କିଲୋ କାଟି ଦେଉଥିଲେ ଡିଲର । ଆଉ ଏବେ ପୂରା ୧୦ କିଲୋ ଚାଉଳ ନଦେବାରୁ ସାମ୍ନାକୁ ଆସିଛି ସତ ।

ରାସନ ନପାଇବା ପରେ ଏବେ ଭୋକ ଉପାସରେ ବଇରାଗୀଙ୍କ ପରିବାର । କେତେବେଳେ ମାଗିଯାଚି କଣ ଖାଉଛନ୍ତି ନହେଲେ ଉପାସରେ ୟା ତା ପିଣ୍ଡାରେ ଶୋଉଛନ୍ତି । ଗୋଟିଏ ପଟେ ସରକାର କହୁଛନ୍ତି, କେହି ବି ଭୋକ ଉପାସରେ ରହିବେନି । ହେଲେ ପ୍ରକୃତରେ ହିତାଧିକାରୀଙ୍କୁ କେମିତି ହଇରାଣ କରାଯାଉଛି ତାହାର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ । ସେପଟେ ନିଆଳି ବ୍ଲକ୍ ଅଧ୍ୟକ୍ଷ କହିଛନ୍ତି ଘଟଣା ସମ୍ପର୍କରେ ମୁଁ ଅନୁଧ୍ୟାନ କରିବା ପରେ ତାଙ୍କୁ ପୁଣି ଚାଉଳ ଦିଆଯିବ । ଦେଖିବାକୁ ବାକି ରହିଲା କେବେ ଚାଉଳ ପାଉଛନ୍ତି ବଇରାଗୀ ।

 

 

(ରିପୋର୍ଟ- ବିନୟ ମିଶ୍ର)