Advertisment

Viral Audio: କୋହଭରା କାହାଣୀ ! ବଡ଼ ଭାଇକୁ ଫାରମାଲିନ୍‌ ଦେଇ ମାରିଦେଲା ସାନ ଭାଇ..

ବିଚଳିତ କରୁଛି ମୃତ୍ୟୁପୂର୍ବର ୨ ଭାଇଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓ । ଅଭିଯୋଗ ସତ୍ତ୍ବେ ଘସିପୁରା ପୋଲିସର ନିରବତାକୁ ନେଇ ଉଠିଲା ପ୍ରଶ୍ନ ।

author-image
Satyendu Shekher Mishra
Crime

Crime

କଥାରେ ଅଛି... କ୍ଷୀର ଯଦି ଖାଇବ ଘରେ ଥିବ ଗାଈ, ଯୁଦ୍ଧ ଯଦି କରିବ ସାଙ୍ଗରେ ଥିବ ଭାଇ। ହେଲେ ଏବେ କିନ୍ତୁ ଭଗାରୀ ସାଜି ଓଲଟା ଭାଇ ସହ ଯୁଦ୍ଧ କରୁଛି ଭାଇ, ପୁଣି ବିଷ ଖୁଆଇ ଭାଇକୁ ମାରୁଛି ଭାଇ। ଏମିତି ଏକ ଘଟଣା କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ସାମ୍ନାକୁ ଆସିଛି । ସାନ ଭାଇ ବଡ଼ଭାଇକୁ ଖାଦ୍ୟରେ ବିଷ ଦେଇଛି । ଆଉ ହସ୍ପିଟାଲ୍‌ ବେଡ୍‌ରେ ପଡ଼ି ସାନ ଭାଇକୁ ପଚାରୁଛି କାହିଁ ଦେଲୁ ମୋତେ ବିଷ ? ଯାହାର ଅଡିଓ ଏବେ ଖୁବ୍‌ ଭାଇରାଲ ହାଉଛି । 

Advertisment

ଆସନ୍ନ ମୃତ୍ୟୁ ଅବସ୍ଥାରେ ଥିବା ବଡ଼ଭାଇ ସେହି ସାନଭାଇ ସହ ଫୋନ୍ କଲରେ ବିକଳ ଅବସ୍ଥାରେ କଥାବାର୍ତ୍ତାର ଅଡ଼ିଓ ଯିଏ ଶୁଣୁଛନ୍ତି, ସମସ୍ତଙ୍କ ଛାତି ଫାଟିଯାଉଛି। ଭାଇରାଲ ହେଉଥ‍ବା ଅଡିଓରେ ବଡ଼ ଭାଇ ପଚାରୁଛି ସାନ ଭାଇକୁ... ‘ଏମିତି କ’ଣ ଦୋଷ ହେଲା ଯେ, ବିଷ ଦେଇ ମାରିବାକୁ ଚାହିଁଲୁ । କେଉଁ ବିଷ ଦେଇଛୁ ତାର ନାଁ ଟିକେ କହ । କେତେ ଥର ଦେଇଛୁ ସେଇଟା ବି କହ । ମୁଁ ମରିବାକୁ ବସିଛି । ମୋ ଆଖିକୁ କିଛି ଦେଖାଯାଉନି । ମୁଁ କଥା ବି କହିପାରୁନି ।’ କାଳେ ଡାକ୍ତରୀ ଚିକିତ୍ସା ଦ୍ୱାରା ଜୀବନ ବଞ୍ଚିଯିବ । ତେଣୁ ବିଷର ନାଁ କହିବାକୁ ସାନଭାଇକୁ ଆକୁଳ ନିବେଦନ କରୁଛନ୍ତି ଆସନ୍ନ ମୃତ୍ୟୁଶଯ୍ୟାରେ ଥିବା ବଡ଼ଭାଇ ।

ବଡ଼ଭାଇ ଓ ସାନଭାଇଙ୍କ ସହ କଥାବାର୍ତ୍ତାର ଏହି ଅଡ଼ିଓ ଯିଏ ଶୁଣୁଛନ୍ତି, କୋହରେ ଛାତି କୋରି ହୋଇଯାଉଛି, ବଡ଼ଭାଇ ପ୍ରତି ସାନଭାଇର କୁକର୍ମକୁ ନିନ୍ଦା କରୁଛନ୍ତି। ଆକଟ କରିବାକୁ ଯାଇ ଦି’ପଦ କଥା କହିଦେଲେ ବୋଲି ସାନଭାଇ ସ୍ଲୋ ପଏଜନ୍ ଦେଇଦେଇଛି ବଡ଼ଭାଇଙ୍କୁ। ଶେଷରେ ମୃତ୍ୟୁସହ ସଂଘର୍ଷର କିଛିଦିନ ପରେ ଆଖିବୁଜି ଦେଇଛନ୍ତି ବଡ଼ଭାଇ। ହେଲେ ମୃତ୍ୟୁ ପୂର୍ବର ଜମାନବନ୍ଦୀ ସ୍ୱରୂପ ଦୁଇ ଭାଇଙ୍କ କଥାବାର୍ତ୍ତାର ଅଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଦୁଇ ଭାଇ ହେଲେ କେନ୍ଦୁଝର ଘସିପୁରା ଥାନା ଶାଳପଡ଼ା ଗୁଣ୍ଡିଚା କଲୋନୀର । ବଡ଼ଭାଇ ଦେବବ୍ରତ ଦାସ ଏବଂ ସାନଭାଇ ସତ୍ୟବ୍ରତ ଦାସ। ଘସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁରାରେ କୁକୁଡ଼ା ଫାର୍ମଟିଏ କରି ପାଠପଢ଼ି ଚାକିରି କରିବାର ସ୍ୱପ୍ନ ଦେଖୁଥିଲେ ଦେବବ୍ରତ। ସେଥିପାଇଁ ପ୍ରାୟ ସମୟରେ ରହୁଥିଲେ ଫାର୍ମ ହାଉସରେ। ତାହାରି ଭିତରେ ସାନଭାଇ ସତ୍ୟବ୍ରତକୁ ଆଗକୁ ବଢ଼ିବା ପାଇଁ ତାଗିଦ୍ କରୁଥିଲେ ଦେବବ୍ରତ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ତିକ୍ତତା।

ତେଣୁ ସାନଭାଇ ନିଷ୍ପତ୍ତି ନେଇଥିଲା ବଡ଼ଭାଇଙ୍କୁ ବିଷଦେଇ ହତ୍ୟା କରିବ। ଯେଉଁଥିପାଇଁ ବିଭିନ୍ନ ସମୟରେ ଦେବବ୍ରତଙ୍କ ଖାଦ୍ୟରେ କ୍ରମାଗତ ବିଷ ମିଶାଇ ଆସୁଥିଲା ସତ୍ୟବ୍ରତ। ପରିଣାମ ସ୍ୱରୂପ ଦେବବ୍ରତଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା। କିଛିଦିନ ତଳେ ଦେବବ୍ରତ ଶୋଇଥିବା ଅବସ୍ଥାରେ ଫାର୍ମହାଉସ୍ କୋଠରୀକୁ ବାହାରପଟୁ ବନ୍ଦ କରିବା ସହ ଫାର୍ମାଲିନ ମିଶ୍ରିତ ଧୂଆଁ ପ୍ରୟୋଗ କରିଥିଲା ସତ୍ୟବ୍ରତ।

ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଗତ ୩ ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ ଦେବବ୍ରତଙ୍କ ବାପା ଘସିପୁରା ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ଗୁରୁତ୍ୱ ଦେଇନଥିବା କହିଛନ୍ତି ବାପା ପ୍ରଦୀପ ଦାସ।

ଦେବବ୍ରତଙ୍କ ମୃତ୍ୟୁ ଯେ, ସ୍ୱାଭାବିକ ନୁହଁ। ପୂରା ଘଟଣାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେଉଛି। ତେବେ ଏଭଳି ଏକ ଅସ୍ୱାଭାବିକ ମୃତ୍ୟୁ ଏବଂ ଦୁଇ ଭାଇଙ୍କ
କଥାବାର୍ତ୍ତାର ଅଡ଼ିଓ ଭାଇରାଲ୍ ହେଉଥିଲେ ବି କାହିଁକି ମାମଲାକୁ ଗୁରୁତ୍ୱର ସହ ନେଉନି ଘସିପୁରା ପୋଲିସ ? ମୃତ୍ୟୁ ପୂର୍ବରୁ ବାପା ପ୍ରଦୀପ ଦାସ ଥାନାକୁ ଜଣାଇଥିଲେ ବି ପୋଲିସ୍ ଏବେ ଆଉ କେଉଁ ପ୍ରମାଣ ଅପେକ୍ଷାରେ ଅଛି ? ଏଭଳି ସମ୍ବେଦନଶୀଳ ଘଟଣାକୁ ମାସେ ପୁରିବାକୁ ବସିଲାଣି। ପୋଲିସ ନିଜ ଆଡୁ କ’ଣ ମାମଲା ରୁଜୁ କରି ତଦନ୍ତ କରିପାରିବ ନାହିଁକି ?

Murder
Advertisment
Advertisment