Advertisment

୯୦ ଲକ୍ଷ ମାଗିଥିଲେ, ହେଲେ ଜାଳିପୋଡ଼ି ମାରିଦେଲେ କାହିଁକି ?

ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର ।

author-image
Manoranjan Behera
ଅଦ୍ୟତନ ହୋଇଛି
Jharsuguda Minor Murder

Minor Boy Death

ନା କାହା ସହ ଶତ୍ରୁତା ଥିଲା, ନା କାହା ସହ ମନୋମାଳିନ୍ୟ ଥିଲା । ହେଲେ ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ଯେଭଳି ହତ୍ୟା କଲେ ଅପହର୍ତ୍ତା, ସାରା ଝାରସୁଗୁଡ଼ା ଆଜି ସ୍ତବ୍ଧ । ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ୨ ଯୁବକଙ୍କ କୌଣସି ଅପରାଧିକ ପୃଷ୍ଟଭୂମି ନାହିଁ କିମ୍ବା ମୃତ ନାବାଳକଙ୍କ ବାପା କୋଟିପତି ବ୍ୟବସାୟୀ ବି ନୁହଁନ୍ତି। ଅଥଚ ଟଙ୍କା ପାଇଁ କିଡନ୍ୟାପ୍ କରି ଯେଭଳି ଜଘନ୍ୟ କାଣ୍ଡ ଭିଆଇଲେ ଦୁର୍ବୃତ୍ତ, ତାକୁ ନେଇ ନାନା ଶଙ୍କା ଲାଗିରହିଥିବାବେଳେ ଢିଲା ଆଇନଶୃଙ୍ଖଳାକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ନାବାଳକଙ୍କ ସଂପର୍କୀୟ ଓ ଝାରସୁଗୁଡ଼ା ବାସିନ୍ଦା ।

Advertisment

ଆଖିରେ ଅନେକ ସ୍ୱପ୍ନ, ମନରେ ନାନା କଳ୍ପନା । ଭବିଷ୍ୟତରେ ଜଣେ ଭଲ କ୍ରିକେଟ୍ ଖେଳାଳି ହୋଇ ଝାରସୁଗୁଡ଼ା ପାଇଁ ଗର୍ବ ଆଉ ଗୌରବ ଆଣିବାର ଝୁଙ୍କ୍ ଭରି ରହିଥିଲା କିଶୋର ପ୍ରାଣରେ । ସେହି ସ୍ୱପ୍ନକୁ ସାକାର କରିବାକୁ ଯିବା ଭିତରେ ୧୫ ବର୍ଷିୟ ସମର୍ଥ ଅଗ୍ରୱାଲ ଯେ, ଅପହରଣକାରୀଙ୍କ ହାବୁଡ଼ରେ ପଡ଼ିବ ଓ ୫୦ ଲକ୍ଷ ଟଙ୍କା ପାଇଁ ତା ଜୀବନ ବାଜିରେ ଲାଗିବ, ନା କେହି ଭାବିଥିଲେ ନା କେହି କଳନା କରିଥିଲେ । ହେଲେ ସେଇୟା ହିଁ ଘଟିଲା ।

ଅଧିକ ପଢ଼ନ୍ତୁ: କଳାଦିନ '୨୯' ତାରିଖ ! ନବ ଦାସ ଗୁଳିକାଣ୍ଡର ୨ ମାସ ପରେ ନାବାଳକକୁ ହତ୍ୟା

Advertisment

ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର । କ୍ଷୁବ୍ଧ ପରିବାର ଦୋଷୀ ବିରୋଧରେ କଡ଼ା ଦଣ୍ଡ ଦାବି କରିବା ସହ ନେହୁରା ହୋଇଛନ୍ତି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସଜାଡ଼ିବାକୁ ।

ଦୁଇ ଦୁର୍ବୃତ୍ତ ହେଉଛନ୍ତି ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲ । ଏମାନଙ୍କ ସହ ନା କୌଣସି ଶତ୍ରୁତା ଥିଲା ନା କୌଣସି ମନୋମାଳିନ୍ୟ ଥିଲା । କୁହାଯାଉଛି, ଝାରସୁଗୁଡ଼ା ବୃନ୍ଦାବନ କଲୋନୀରେ ଅମିତ ଥିଲା ସମର୍ଥଙ୍କ ପଡ଼ୋଶୀ । ଏପରିକି ଅମିତର ଝିଅ ସମର୍ଥଙ୍କୁ କୁଆଡ଼େ ଭାଇ କରିବା ସହ ରାକ୍ଷୀ ବାନ୍ଧୁଥିଲା । ହେଲେ ୨୭ ମାର୍ଚ୍ଚରେ ହଠାତ କ’ଣ ହେଲା କେଜାଣି, ଘରୁ ଏକ ସ୍ମୁଟର ଧରି କ୍ରିକେଟ୍ ଖେଳିବାକୁ ଯିବା ସମୟରେ ଦିନେଶ ସହ ମିଶି ସମର୍ଥକୁ କିଡନ୍ୟାପ୍ କଲା ଅମିତ । ଆଉ ରାତିରେ ପ୍ରଥମେ ୫୦ ଲକ୍ଷ ଦାବି କରି 
ସମର୍ଥଙ୍କ ବାପା ସୁନୀତଙ୍କୁ ଫୋନ କରିଥିଲେ ଅମିତ ଓ ଦିନେଶ ।

ଏତିକି ଜାଣିବା ପରେ ଥାନାର ଦ୍ୱାରସ୍ଥ ହେଲେ ସମର୍ଥଙ୍କ ବାପା । ପୋଲିସ ବି ଆରମ୍ଭ କରିଥିଲା ଛାନଭିନ୍। ଆଉ ତା’ ପରଦିନ ଅର୍ଥାତ ୨୮ ତାରିଖରେ ସମର୍ଥଙ୍କ ବାପାଙ୍କ ପାଖକୁ ଆସିଲା ଆଉ ଏକ ଧମକପୂର୍ଣ୍ଣ ଫୋନ କଲ୍ । ପୋଲିସର କହିବା କଥା, ସେତେବେଳକୁ ସମର୍ଥଙ୍କୁ ହତ୍ୟା କରିସାରିଥିଲେ । ଆଉ ପ୍ରମାଣ ଲୁଚାଇବାକୁ ଯାଇ ପେଟ୍ରୋଲ ଢ଼ାଳି ସମର୍ଥଙ୍କ ମୃତଦେହକୁ ଜାଳିଦେଇଥିଲେ ଦୁଇ ଜଣ। 

ଏଠି ପ୍ରଶ୍ନ, ସମର୍ଥଙ୍କ ବାପା କୌଣସି କୋଟିପତି ବ୍ୟବସାୟୀ ନୁହଁନ୍ତି ଏବଂ ଏତେ ଲକ୍ଷ ଟଙ୍କା ଦେଇପାରିବେନି ବୋଲି ଜାଣିଥିବା ଅମିତ କାହିଁକି ରଚିଥିଲା କିଡନ୍ୟାପ୍ ପ୍ଲାନ ? ଅମିତ ଓ ଦିନେଶଙ୍କ କୌଣସି ଅପରାଧିକ ପୃଷ୍ଠଭୂମି ବି ନାହିଁ । ଅଥଚ କାହିଁକି ଭିଆଇଲେ ଏଭଳି ଲୋମଟାଙ୍କୁରା କାଣ୍ଡ ? ଘଟଣା ପଛରେ ଟଙ୍କା ନା ଆଉ କିଛି କାରଣ ରହିଛି ? ସେଦିଗକୁ ଧରି ପୋଲିସ ଖୋଳତାଡ଼ ଜାରି ରଖିଛି । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ।

ସେପଟେ ସମର୍ଥଙ୍କୁ ଝୁରୁଛନ୍ତି ତାଙ୍କ ସାଙ୍ଗସାଥୀ, କ୍ରିକେଟ କୋଚ୍ । ଏଭଳି ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି । 

(ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା, ଝାରସୁଗୁଡ଼ାରୁ ଭାଗୀରଥି ସାହୁ ଏବଂ ସମ୍ବଲପୁରରୁ ସଞ୍ଜୟ ଜେନା)

Murder Crimes In Odisha
Advertisment
Advertisment