• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ । ନାବାଳିକା ଜଣକ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୀଡ଼ିତାଙ୍କ ପାଖକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛି ପୋଲିସ ।

ଅନ୍ୟପଟେ ଦୋଷୀକୁ କଠୋର ଦଣ୍ଡ ଦେବାକୁ ନାବାଳିକାର ବାପା ଦାବି କରିଛନ୍ତି । ସେପଟେ ପୀଡ଼ିତାଙ୍କୁ ଭେଟିଛନ୍ତି ନବରଙ୍ଗପୁର ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି । ସେମାନେ ହେଲେ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ବାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ । ଏ ଘଟଣା ଗୁରୁ-ଶିଷ୍ୟର ପବିତ୍ର ପରମ୍ପରାକୁ କଳଙ୍କିତ କରିଛି ।

ତିନିଦିନ ତଳେ ଏ ଘଟଣା ଘଟିଥିବା ସତ୍ତ୍ବେ, ଲୋକଲଜ୍ୟା ଦୃଷ୍ଟିରୁ ପୀଡ଼ିତା ଜଣକ ଘରେ କହି ପାରିନଥିଲେ । ପରେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ମେଡ଼ିସିନ ଖାଇବା ପରେ ମଧ୍ୟ ଯନ୍ତ୍ରଣା ନକମିବାରୁ କାର୍ଯ୍ୟରତ ନର୍ସଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଏକୁଟିଆ ପାଇ ପଚାରିବାରୁ ନାବାଳିକା ଜଣକ ଦୁଷ୍କର୍ମ ହୋଇଥିବା କଥା କହିଥିଲେ ।

ଅନ୍ୟପଟେ ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କୁ ବିଜେପିର କଡା ଟାର୍ଗେଟ । ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷିତ ନୁହଁନ୍ତି । ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡ଼ିଶା ଏକ ନମ୍ବର । ଏ ପ୍ରସଙ୍ଗରେ ସମ୍ବେଦନଶୀଳ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ରାଜ୍ୟରେ ଶିକ୍ଷାନୁଷ୍ଠାନ ବି ଝିଅଙ୍କ ପାଇଁ ସୁରକ୍ଷିତ ନୁହେଁ । ଆଇନ ମନ୍ତ୍ରୀଙ୍କ ଜିଲ୍ଲାରେ ଏ ଘଟଣା ହେଲେ ସେ ମଧ୍ୟ ନୀରବ ରହୁଛନ୍ତି । ମହିଳା ବିରୋଧୀ ଅପରାଧ ବଢୁଥିବା ବେଳେ କାହିଁକି ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବିଜେପି ତରଫରୁ ଦାବି କରା ଯାଇଛି । ରାଜ୍ୟରେ ମହିଳା ବିରୋଧୀ ଅପରାଧରେ କଣ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛନ୍ତି ସୋନାଲି ସାହୁ ।

ରାଜ୍ୟରେ କେତେ ସୁରକ୍ଷିତ ମାଆ, ଶିଶୁ ଓ କନ୍ୟା । ଖଟିଆରେ ବୁହା ହୋଇ ଜନନୀ ଯନ୍ତ୍ରଣା ଭୋଗୁଥିବା ବେଳେ ପୁଷ୍ଟିକର ଆହାର ନପାଇ କାଲିର ଭବିଷ୍ୟତ କାଳର କରାଳ ମୁହଁରେ । ଏପଟେ ପ୍ରତ୍ୟେକ ଦିନ ରାଜ୍ୟରେ କୌଣସି ନା କୌଣସି ସ୍ଥାନରେ ନାବାଳିକା ଅତ୍ୟାଚାରିତା, ଜର୍ଜରିତା । ନର ରାକ୍ଷସ ମାନଙ୍କ ଲୋଲୁପ ଦୃଷ୍ଟି କବଳରୁ ବର୍ତ୍ତି ପାରୁ ନାହାନ୍ତି କନ୍ୟାରତ୍ନ । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ସ୍ଥାଣୁତା, ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।