• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୟଙ୍କର...ବୀଭତ୍ସ...ବେଦନାଦାୟକ...ଶୁଣିଲେ ଲୋମଟାଙ୍କୁରି ଯିବ... । ଏମିତି ଏକ ଅନ୍ଧବିଶ୍ୱାସର କାହାଣୀ, ଯାହା ବୋଧହୁଏ ଆପଣ କେବେ ଶୁଣିନଥିବେ । ଅସୁସ୍ଥ ଯୁବତୀଙ୍କୁ ସୁସ୍ଥ କରାଇଦେବା ନାଁରେ ତାଙ୍କ ମୁଣ୍ଡ ଭିତରେ ତାନ୍ତ୍ରିକ ୪ ବର୍ଷ ଧରି ଛୁଞ୍ଚି ଆକାରର ମାଳ ମାଳ କଣ୍ଟା ଫୋଡ଼ିବା ଅଭିଯୋଗ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଜଣେ ଯୁବତୀ । ବୟସ ମାତ୍ର ୧୯ ବର୍ଷ । କିନ୍ତୁ ଦୁର୍ଭାଗ୍ୟ, ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା । ଗୋଟିଏ କି ଯୋଡ଼ିଏ ନୁହଁ । ମାଳ ମାଳ କଣ୍ଟା ଫୋଡ଼ିଦିଆଯାଇଛି ତାଙ୍କ ତାଳୁରେ । ଦିନେ କି ଅଧେ ନୁହେଁ, ଦୀର୍ଘ ୪ ବର୍ଷ ଧରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଏବଂ ସିଟି ସ୍କାନରୁ ମୁଣ୍ଡରେ ପ୍ରାୟ ୧୦ଟି ଖଣ୍ଡେ କଣ୍ଟା ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରୁ ଆଜି ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

୨୦୨୧ ମସିହାର କଥା । ଯୁବତୀଙ୍କ ବାପାଙ୍କ କହିବା କଥା, ଶାରିରୀକ ସମସ୍ୟା ଲାଗି ରହୁଥିବାରୁ ଝିଅକୁ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ସନ୍ତୋଷ ରଣା ନାମକ ଏହି ବ୍ୟକ୍ତି ପାଖକୁ ନେଇଥିଲେ । ହେଲେ ସନ୍ତୋଷ ନା ଥିଲା କୌଣସି ଡାକ୍ତର ନା ଥିଲା କୌଣସି ମେଡ଼ିକାଲ୍ ପ୍ରାକ୍ଟିସନର । ସନ୍ତୋଷ ରଣା କୁଆଡ଼େ ଅନ୍ଧାରୀ ଚିକିତ୍ସା କରି ବିଭିନ୍ନ ରୋଗ ବୈରାଗକୁ ଦୂର କରୁଥିଲା । ସେହି ବିଶ୍ବାସରେ ସଂପୃକ୍ତ ଯୁବତୀ ମଧ୍ୟ ଚିକିତ୍ସା ପାଇଁ ତା ପାଖକୁ ଯାଇଥିଲେ । ଆଉ ଚିକିତ୍ସାକ୍ରମରେ ଏଭଳି ଭାବେ ଛୁଞ୍ଚି ଆକାରର ମାଳ ମାଳ କଣ୍ଟା ଫୋଡ଼ି ଦେଇଥିଲା ଯୁବତୀଙ୍କ ମୁଣ୍ଡରେ । ସେହି ସମୟରେ ମୁର୍ଚ୍ଛା ହୋଇଯିବାରୁ ତାଙ୍କ ସହ ସେଦିନ କ’ଣ ଘଟିଥିଲା, ନା ଯୁବତୀ ଜାଣିପାରିଥିଲେ ନା ସଂପର୍କୀୟ । ତାହାରି ଭିତରେ ବିତିଯାଇଥିଲା ୪ ବର୍ଷ । ତଥାପି ଶାରୀରକ ସମସ୍ୟା ଓ ଯନ୍ତ୍ରଣାରୁ କୌଣସି ଉପଶମ ପାଇପାରିନଥିଲେ ଯୁବତୀ । ବରଂ ଗୋଟିଏ ପରେ ଗୋଟିଏ କଣ୍ଟା ଦେଖାଯିବାରୁ ଗତକାଲି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସଂପୃକ୍ତ ଯୁବତୀଙ୍କ ସୁସ୍ଥତା ପାଇଁ କେଉଁ ବିଶ୍ବାସ ଆଧାରରେ ମୁଣ୍ଡରେ ଏଭଳି କଣ୍ଟା ଫୋଡ଼ିଥିଲା ଅଭିଯୁକ୍ତ ସନ୍ତୋଷ ରଣା ? ୪ ବର୍ଷ ଧରି ଯୁବତୀଙ୍କ ପରିବାର ଏକଥା ଜାଣିପାରିଲେନି କେମିତି ? ଚିକିତ୍ସା ବିଜ୍ଞାନ ଥାଉ ଥାଉ ତନ୍ତ୍ର ବିଦ୍ୟା ଉପରେ ବିଶ୍ବାସ କରୁଥିବା ସନ୍ତୋଷ ରଣା ଭଳି ଜଣେ ଭଣ୍ଡ ଚିକିତ୍ସକ ଉପରେ କାହିଁକି ଭରଷିଲେ ଯୁବତୀଙ୍କ ପରିବାର ? ନା ଏହି ଅଘଟଣ ପଛରେ ରହିଛି ଅନ୍ୟ କୌଣସି କାରଣ ? ଏଭଳି ନାନା ପ୍ରଶ୍ନ ଭିତରେ ଯୁବତୀଙ୍କ ବାପାଙ୍କ ଏତଲା ଆଧାରରେ ସନ୍ତୋଷ ରଣାକୁ ଗିରଫ ପରେ କୋର୍ଟଚାଲାଣ କରି ତଦନ୍ତ କରୁଛି ପୋଲିସ।

  • Reported by:
  • MANARANJAN JOSHI , Ghateswar Mishra , Antim Panigrahi

OTV is now on Whatsapp

Join and get latest news update delivered to you via whatsapp

Join Now