Advertisment

ଶ୍ୱେତା ମୃତ୍ୟୁ ମାମଲାରେ ବଢିଲା ବୟଫ୍ରେଣ୍ଡ ସୌମ୍ୟଙ୍କ ଅଡୁଆ

ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Sweta Death Case

୨୫ ବର୍ଷିୟା ଉଚ୍ଚ ଶିକ୍ଷିତା ଝିଅ ପାଇଁ ନ୍ୟାୟ ମାଗୁଛନ୍ତି ମାଆ। ରାଜ୍ୟ ସରକାରଙ୍କୁ ଗୁହାରି କରୁଛନ୍ତି। ଝିଅ ପ୍ରତି ଅନ୍ୟାୟ ହୋଇଛି, ତାକୁ ନ୍ୟାୟ ମିଳୁ। ଝିଅ ଯିବାର ୬ ଦିନ ପରେ ଭିଡିଓ ମାଧ୍ୟମରେ ଆଜି ଶ୍ୱେତାଙ୍କ ମାଆ ଦାବି କରିଛନ୍ତି, ସୌମ୍ୟଜିତ୍‌ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Advertisment

ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି। ସୌମ୍ୟଜିତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ହାଜର ହେବା ପାଇଁ ସୌମ୍ୟଜିତଙ୍କୁ ନୋଟିସ କରିଛି।

ଘଟଣାର ତଦନ୍ତ ବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ୧୮ ତାରିଖ ରାତିରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା। ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଲଗାତର କଲ୍ କରିଚାଲିଥିଲେ ଶ୍ୱେତା। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ। ପୋଲିସ କହିଛି, ଶ୍ୱେତାଙ୍କ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉଛି। ଘଟଣା ବାବଦରେ ଖୁବଶୀଘ୍ର ସୌମ୍ୟଜିତଙ୍କୁ ପଚରାଉଚରା କରାଯିବ। ଏଭଳି ସ୍ଥିତିରେ ସୌମ୍ୟଜିତ କେଉଁଠି ଅଛନ୍ତି, ସେନେଇ ପୋଲିସକୁ କୌଣସି ସୂଚନା ମିଳିପାରିନାହିଁ। ସେପଟେ ପୋଲିସର ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ। 

Advertisment

ସେପଟେ ସନ୍ଦେହ ବଢ଼ାଇଛି ସୌମ୍ୟଜିତଙ୍କ ସମ୍ବଲପୁରସ୍ଥିତ ଘର ଆଗର ସିସିଟିଭି ଫୁଟେଜ। ଯେଉଁଥିରେ ଗତକାଲି ରାତି ପ୍ରାୟ ୧୦ ଟା ୬ ମିନିଟରେ ସୌମ୍ୟଜିତଙ୍କ ଘରୁ ଜଣେ ମଟର ସାଇକେଲରେ ବାହାରୁଥିବାର ଦୃଶ୍ୟ ରହିଛି। ପରେ ଆଉ ଜଣେ ମାସ୍କ ପିନ୍ଧା ଯୁବକ ଘରୁ ବାହାରି ସେହି ମଟର ସାଇକେଲ ପଛରେ ବସୁଛନ୍ତି। ପରେ ଉଭୟ କେଉଁ ଆଡ଼େ ଚାଲିଯାଉଛନ୍ତି। ପ୍ରାୟ ୧୦ ମିନିଟ ପରେ ସେହି ମଟର ସାଇକେଲ ଫେରୁଛି, ହେଲେ ପଛରେ ବସିଥିବା ଯୁବକ ଜଣଙ୍କ ଆଉ ବାଇକରେ ନଥିବା ସିସିଟିଭିରେ ଦେଖାଯାଉଛି। ତେବେ ବାଇକ୍‌ରେ ଯାଇଥିବା ଯୁବକ କିଏ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପାଖ ପଡ଼ୋଶୀ ଲୋକ ବି ସୌମ୍ୟଜିତଙ୍କ ସଂପର୍କରେ କୌଣସି ସୂଚନା ଦେଇପାରିନାହାନ୍ତି।

କୁହାଯାଉଛି, ଉଭୟ ଶ୍ୱେତା ଏବଂ ସୌମ୍ୟଜିତ୍ ପରସ୍ପରକୁ ଭଲ ପାଉଥିଲେ। ଏପରିକି କଥା ବିବାହ ଯାଏଁ ଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଏକ ଅଡିଓ କଲ୍ ସାମ୍ନାକୁ ଆସିଛି। ଯେଉଁଥିରେ ସୌମ୍ୟଜିତ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି। ଏପରିକି ତାଙ୍କ ଘର ଲୋକଙ୍କୁ କଲ୍ ନକରିବାକୁ ବି ଶ୍ୱେତାଙ୍କୁ ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ।
ଶ୍ୱେତାଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି ତଥାପି ସସପେନ୍ସରେ ରହିଛି ପୁରା ଘଟଣା। ଗୋଟିଏ ପଟେ ଶ୍ୱେତାଙ୍କ ପରିବାର ଝିଅର ମୃତ୍ୟୁ ପାଇଁ ସିଧାସଳଖ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ରଙ୍କୁ ଦାୟୀ କରୁଛନ୍ତି।

ଅନ୍ୟପଟେ ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର। ଏପରିକି ଆମ ସମ୍ବଲପୁର ପ୍ରତିନିଧି ସୌମ୍ୟଜିତଙ୍କ ଘରକୁ ଯାଇ ବାରମ୍ବାର ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ ବି ସୌମ୍ୟଙ୍କ ପରିବାର ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି। ସେହପରି ନିଜେ ସୌମ୍ୟଜିତ୍ ମଧ୍ୟ ତାଙ୍କ ଫୋନ୍ ରିସିଭ୍ କରୁନାହାନ୍ତି। ତେଣୁ ଏ ମାମଲାରେ ଯାହା ବି ତଥ୍ୟ ସାମ୍ନାକୁ ଆସିଛି, ତାହା ଏକତରଫା ବୋଲି କୁହାଯାଇପାରେ। ସୌମ୍ୟଜିତ କିମ୍ବା ତାଙ୍କ ପରିବାର ମୁହଁ ଖୋଲିଲେ ହିଁ ଏ ମାମଲାର ଆଉ ଏକ ଦିଗ ସାମ୍ନାକୁ ଆସିବ।

ରିପୋର୍ଟ: ସଞ୍ଜୟ ଜେନା, ବିବର୍ତ୍ତନ ପଣ୍ଡା ଓ ଆଲୋକ ମହାନ୍ତି

Sweta Death Case Saumyajit
Advertisment
Advertisment