• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘନେଇବାରେ ଲାଗିଛି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ ମାମଲା । ଅକ୍ଟୋବର ୬ରେ ଅର୍ଚ୍ଚନା ଆଉ ଗତକାଲି ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହେବା ପରେ ଏବେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ବିଶେଷ କରି ଗିରଫ ହୋଇଥିବା ଜଗବନ୍ଧୁ ଠାରୁ ପୋଲିସ ଜବତ କରିଥିବା ଡାଏରୀକୁ ନେଇ ଏବେ ଲାଗିରହିଛି ଚର୍ଚ୍ଚା । ଜଗବନ୍ଧୁକୁ ଗିରଫ ପରେ ତା ଘରୁ ଡାଏରୀ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଗିରଫ ଜଗବନ୍ଧୁ ନିକଟରୁ ୪ଟି ମୋବାଇଲ ଓ ଗୋଟିଏ ଲାପ୍‌ଟପ୍ ମଧ୍ୟ ମିଳିଛି । ତେବେ ଜବତ ଡାଏରୀରେ କାହା ନାଁ ରହିଛି ଏବଂ ତଦନ୍ତ ବେଳେ ତାହା ସାମ୍ନାକୁ ଆସିବ କି ନାହିଁ , ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ । ଡିସିପି କହିଛନ୍ତି ଏ ମାମଲାରେ ଯାହାର ବି ସଂପୃକ୍ତି ଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା । ଉଭୟଙ୍କ ନାଁରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦାୟ ଆଦି ଅଭିଯୋଗ ରହିଥିଲା । ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି ।

ସେପଟେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ RBIକୁ ମାଗାଯାଇଥିଲା । ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି ଏବଂ ଆଗକୁ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି । ସେପଟେ ଗିରଫ ପରେ ଜଗବନ୍ଧୁର ଜାମିନ୍ ଆବେଦନ ଖାରଜ ହେବାରୁ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ତେବେ କ’ଣ ରହିଛି ଜଗବନ୍ଧୁର ଏହି ରହସ୍ୟଜନକ ଡାଏରୀରେ ? ଡାଏରୀରେ ରହିଛି କି ନେତା, ମନ୍ତ୍ରୀ, ବାବୁ ଭାୟାଙ୍କ ନାଁ ? ଡାଏରୀରେ ରହିଛି କି ଆର୍ଥିକ କାରବାରର ଗୁମର ? କାହାଠୁ କେତେ ଟଙ୍କା ଆସୁଥିଲା, ଡାଏରୀରେ ଲେଖାଯାଇଛି କି ହିସାବ ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଡାଏରୀରେ ଥିବା ତଥ୍ୟ ପୋଲିସ ସାମ୍ନାକୁ ଆଣିବ ନା ତଦନ୍ତ ଆଳରେ ତଥ୍ୟକୁ ଗୁପ୍ତ ରଖିବ, ତାକୁ  ଅପେକ୍ଷା ।

ଅନ୍ୟପଟେ ଆଜିଠୁ ବିଜେପି କରିବ ଜୋରଦାର ଆନ୍ଦୋଳନ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜିଠୁ ଆନ୍ଦୋଳନକୁ ତୀବ୍ର କରିବ ବିଜେପି । ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣା ଦେବ ଦଳ । ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତାକାଲି ସକାଳ ୧୦ଟା ଯାଏଁ ବିଜେପି ଧାରଣାରେ ବସିବ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ଦାବି ଉଠାଇ ଆନ୍ଦୋଳନ କରିବ ବିଜେପି । କେବଳ ଅର୍ଚ୍ଚନା ମାମଲା ନୁହଁ, ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବି ସମୀର ଦାଶଙ୍କୁ ଜେରା ପାଇଁ ଦାବି କରିଛି ବିଜେପି । ଏହି ଦୁଇଟି ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୪୮ ଘଣ୍ଟା ଭିତରେ ତଦନ୍ତ ନହେଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେପି । ତେବେ ବିଜେଡ଼ି କହିଛି, ଆଇନ ତା ବାଟରେ ଯିବ ।