• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସସ୍‌ପେନ୍ସ ବଢୁଛି ।

  • ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା ।

  • ହାତଲେଖାରୁ ସ୍ପଷ୍ଟ ବାରି ହେଉଛି ନିରାଶାପୂର୍ଣ୍ଣ ସମ୍ପର୍କ ସହ ଭୀଷଣ ପଶ୍ଚାତାପ ।

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍‌ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା । ସୌମ୍ୟଙ୍କ ସରକାରୀ ବାସଭବନରୁ ମିଳିଥିବା ହାତଲେଖାରୁ ସ୍ପଷ୍ଟ ବାରି ହେଉଛି ନିରାଶାପୂର୍ଣ୍ଣ ସମ୍ପର୍କ ସହ ଭୀଷଣ ପଶ୍ଚାତାପ । ହେଲେ କିଏ ଲେଖିଛନ୍ତି, ଜଣାପଡ଼ିନଥିବା ବେଳେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ପରୋକ୍ଷରେ ନିଜେ ଲେଖିଥିବା ସ୍ୱୀକାର କରିଛନ୍ତି । ତେଣେ ଗୁରାଣ୍ଡି ଥାନା ଓଆଇସି ଏବଂ ଡିଏଫ୍ଓଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ପୋଲିସ ଏମାନଙ୍କୁ ପଚରାଉଚରା କରିବ । ତେବେ ସପ୍ତାହେ ବିତିଥିଲେ ବି ସୌମ୍ୟ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା, ସ୍ପଷ୍ଟ ହୋଇପାରିନଥିବାରୁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । 

ଗଲା ଡିସେମ୍ବର ପହିଲାରେ ସାତ ଜନ୍ମ ପାଇଁ ସାଥୀ ହେବାର ମଧୂର ବନ୍ଧନର ବାନ୍ଧି ହୋଇଥିଲେ ସୌମ୍ୟ ଓ ବଦ୍ୟାଭାରତୀ ପଣ୍ଡା । ହେଲେ ସାତ ମାସ ବି ଗଲାନି ସଂପର୍କ । ଖିନ୍‌ଭିନ୍‌ ହୋଇଗଲା ଦାମ୍ପତ୍ୟ ଜୀବନ । ପତ୍ନୀ ମଥାରୁ ଲିଭିଗଲା ସିନ୍ଦୂର । ହେଲେ ଏଥିପାଇଁ ଦାୟୀ କିଏ ? ସୌମ୍ୟରଂଜନ ନା ପତ୍ନୀ ବିଦ୍ୟାଭାରତୀ ? ସସ୍‌ପେନ୍ସ ଉପରୁ ଖୋଲୁଛି ଗୋଟିଏ ପରେ ଗୋଟିଏ ପର୍ଦା । ଏସିଏଫ୍ ସୌମ୍ୟଙ୍କ ପାରଳାଖେମୁଣ୍ଡି ସରକାରୀ ବାସଭବନରୁ ମିଳିଥିବା ହାତଲେଖା କହୁଛି ନୂଆ କାହାଣୀା । ଯାହାକୁ ଗଣମାଧ୍ୟମକୁ ଦେଇଛନ୍ତି ସୌମ୍ୟଙ୍କ ଭାଇ । ଏଥିରେ ରହିଛି ଘୃଣା, ପଶ୍ଚାତାପ ଆଉ ଆତ୍ମଗ୍ଲାନିର କାହାଣୀ ।

କିଏ ଏବଂ କାହା ଉଦ୍ଦେଶ୍ୟରେ ଏହା ଲେଖାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟା ନିଜେ ଲେଖିଥିବା ପରୋକ୍ଷରେ ସ୍ୱୀକାର କରିଛନ୍ତି । ମନ ଖରାପ ଥିଲେ ଯାହା ମନକୁ ଆସେ ଲେଖେ ବୋଲି କହିଛନ୍ତି ।

ଇତିମଧ୍ୟରେ ଦୁଇ ଦୁଇଟି ହାତଲେଖା ସାମ୍ନାକୁ ଆସିଲାଣି । ଅନ୍ୟଟି ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଏବେକାର ଲେଖା ନିଜେ ବିଦ୍ୟାଭାରତୀ ଲେଖିଥିବା କହୁଛନ୍ତି । ତେବେ କଣ ଦାମ୍ପତ୍ୟ କଳିରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି ନା ବୃତ୍ତିଗତ ବିବାଦରୁ ପ୍ରାଣହାନୀ ହୋଇଛି ? ତେଣେ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର ଏବଂ ହତ୍ୟା ଅଭିଯୋଗ ଆଣି ଡିଏଫ୍ଓ ସଂଗ୍ରାମ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟଙ୍କ ବାପା । ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ବାପା । ସଂପୃକ୍ତ ଓଆଇସିଙ୍କୁ ଆସିବାର କାରଣ ସମ୍ପର୍କରେ ପଚରାଉଚରା କରାଯିବା ସହ ଡିଏଫ୍ଓଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି କହିଛନ୍ତି ଗଜପତି ଏସ୍‌ପି । ତାସହ ମୋବାଇଲ କଲ ଡିଟେଲ୍ସ, ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଧରି ତଦନ୍ତ କରାଯିବ ।

ସୌମ୍ୟଙ୍କ ମୃତ୍ୟୁ କେମିତି ଘଟିଲା ? ଏହା ପଛରେ ଦୋଷୀ କିଏ ? ପୋଲିସ୍ କେବଳ ବିଦ୍ୟା, ଡିଏଫ୍ଓ ସଂଗ୍ରାମ ଏବଂ ରୋଷେୟା ମନ୍ମଥ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରଥମେ ରୋଷେୟା ଓ ପରେ ମୟୂରଭଂଜ କପ୍ତିପଦା ଘରକୁ ଯାଇ ବିଦ୍ୟାଙ୍କୁ କେବଳ ପଚରାଉଚରା କରି ପାରଳାଖେମୁଣ୍ଡି ଫେରିଛି ପୋଲିସ ଟିମ୍ । ତେଣେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଏସ୍ପିଙ୍କ ସହ ଆଜି ବି ଆଲୋଚନା କରିଛନ୍ତି । ତେବେ ଆଇନଜୀବୀଙ୍କ କହିବା କଥା, ଏହି ମାମଲାରେ ଅନ୍ତତଃ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରି ପଚରାଉଚରା କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ।