• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହିଁକି ଅସହଜ ଲାଗୁଛି ଗୋବିନ୍ଦ ସାହୁର ଆତ୍ମହତ୍ୟା ? ଜେଲ୍ ପରିସରରେ ସୁଇସାଇଡ୍‌କୁ କାହିଁକି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟ କି ଗୋବିନ୍ଦଙ୍କ ଓକିଲ ? ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ସୁଇସାଇଡ୍ କରିବା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ସନ୍ଦେହର ସୀମା ବଢ଼ି ବଢ଼ି ଚାଲିଛି । ଏମିତିକି ଗୋବିନ୍ଦଙ୍କ ଓକିଲ ପ୍ରଶ୍ନ କରିଛନ୍ତି-ଯଦି ଏହା ଏକ ସାଧାରଣ ଆତ୍ମହତ୍ୟା ତେବେ ଶବ ପଞ୍ଚନମା ପାଇଁ ୮ ଘଣ୍ଟା ଲାଗିଲା କେମିତି ? କଣ୍ଟାବାଞ୍ଜିରେ ପଞ୍ଚନାମା ନ କରି ବଲାଙ୍ଗିର ନେବାର କାରଣ କଣ ? ପଞ୍ଚନାମା ପାଇଁ ବୁର୍ଲାରୁ FMT ଡାକ୍ତରଙ୍କୁ ଡକାଯିବା ପଛରେ କି ରହସ୍ୟ ?

ତାସହ ଗୋବିନ୍ଦର କିଭଳି ଓ କେଉଁଠି ମୃତ୍ୟୁ ହେଲା ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହା କହିବାକୁ ୧୨ ଘଣ୍ଟା ଲାଗିଲା କାହିଁକି ? ଯଦିଓ କ୍ରାଇମବ୍ରାଞ୍ଚ୍ ଓ ଫୋରେନ୍ସିକ୍ ଟିମ୍ ଗୋବିନ୍ଦ ମୃତ୍ୟୁର ତନାଘନା କରୁଛି, ହେଲେ ଏ ତଦନ୍ତକୁ ଆଦୌ ଭରସା କରିପାରୁ ନାହାନ୍ତି ମୃତ ଗୋବିନ୍ଦଙ୍କ କକା ଶ୍ୱଶୁର । ସେ କହିଛନ୍ତି- ବହୁ ବଡ଼ ବଡ଼ ଲୋକଙ୍କ ସହ ତାଙ୍କ ଜ୍ୱାଇଁଙ୍କର ସମ୍ପର୍କ ଥିଲା, ସେନେଇ ବି ଚର୍ଚ୍ଚା ହେଉଥିଲା । ତେଣୁ ଗୋବିନ୍ଦଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ବାରି ହେଉଛି ଓ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି । ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: କଣ୍ଟାବାଞ୍ଜିରେ ଆତ୍ମହତ୍ୟା, ବଲାଙ୍ଗିରରେ ବ୍ୟବଚ୍ଛେଦ; ୩୬ ଘଣ୍ଟା ପରେ ମୃତଦେହ ହସ୍ତାନ୍ତର

ସେହିପରି ମୃତ ଗୋବିନ୍ଦଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନ୍‌ଭଲପ୍ ମିଳିଥିବା କହିଛନ୍ତି ତାଙ୍କ ଶାଳକ । ଯାହାକୁ କଣ୍ଟାବାଂଜି ଆଇଆଇସି ନିଜ ପାଖରେ ରଖିଛନ୍ତି । ସେଥିରେ କଣ ଲେଖା ଅଛି ସେକଥା ଜାଣନ୍ତିନି ବୋଲି କହିଛନ୍ତି । ସେପଟେ ଉତ୍ତରାଞ୍ଚଳ ଆଇଜି କହିଛନ୍ତି-ସବୁ ପ୍ରମାଣ ମାମଲାର ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । 

ସେପଟେ ଗୋବିନ୍ଦ ସାହୁ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ଗୋବିନ୍ଦ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ତେଣୁ ପୁରା ଘଟଣାର ସିବିଆଇ ନହେଲେ ହାଇକୋର୍ଟଙ୍କ ନିରୀକ୍ଷଣରେ SIT ତଦନ୍ତ ହେଉ ବୋଲି ବିଜେପି ଦାବି କରିଛି । ସେହିପରି ମାହାଙ୍ଗା ଡବଲ୍ ମର୍ଡର ଓ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର ଉଦାହରଣ ଦେଇ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏବେ ସାକ୍ଷୀ ସଫେଇ ଅଭିଯାନ ଚାଲିଛି ।

ଅନ୍ୟପକ୍ଷରେ କଂଗ୍ରେସ କହିଛି ଗୋବିନ୍ଦ ମୃତ୍ୟୁ ରହସ୍ୟ ଜାଣିବାକୁ ଦଳ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣ୍ଟାବାଂଜି ଯିବ ଓ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବ । ଜବାବରେ ବିଜେଡି କହିଛି-ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇ ତଦନ୍ତ ଦାବି କରୁଛି । ରାଜ୍ୟ ସରକାର କେବେ ଆଇନ୍ ସହ ସାଲିସ୍ କରିନାହାନ୍ତି ।

ଗୋବିନ୍ଦ ଜେଲ୍ କିଚେନ୍ ପଛପଟ ଝରକାରେ ବେକରେ ନିଜ ଗାମୁଛା ଗୁଡ଼ାଇବା ସହ ଝୁଲିପଡ଼ି ଆତ୍ମହତ୍ୟା କରିଥିବା କହିଛନ୍ତି ଜେଲ୍ DIG । ତେବେ ଝରକାରେ ଆତ୍ମହତ୍ୟା ଅନେକ ପ୍ରଶ୍ନ ଠିଆ କରିଥିବା ବେଳେ ସେଇ ଜାଗାରେ ହିଁ ସିସିଟିଭି ନଥିବା ସନ୍ଦେହକୁ ବଢ଼ାଉଛି ।