• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ସେ ଯାହା ବି ହେଉ, ଯାହା ଦଣ୍ଡ ଦେବା କଥା, ଉପରବାଲା ତ ଦେଇଦେଲା । ତାଆଗରୁ ଯଦି ମୃତ୍ୟୁଦଣ୍ଡ ଶୁଣାଇଥାନ୍ତେ ନ୍ୟାୟାଳୟ, ତାହେଲେ ଆମେ ଆହୁରି ଖୁସି ହୋଇଥାନ୍ତୁ ।’

ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେରଙ୍କ ରହିଛି ଏଭଳି ମନ୍ତବ୍ୟ । ବାପା ସୁଚନ୍ଦ୍ର ଏବଂ ମା ତୁଳସୀ ଚାହିଁଥିଲେ ଗୋବିନ୍ଦକୁ ଫାଶିଦଣ୍ଡ ମିଳୁ । କିନ୍ତୁ ଝିଅ ମମିିତାର ଜନ୍ମଦିନର ଦିନକ ଆଗରୁ ନିଜେ ଜୀବନ ହାରିଦେଲା ଗୋବିନ୍ଦ । ଏହା ମମିତା ପାଇଁ ଗିଫ୍ଟ ବୋଲି କହିଛନ୍ତି ପରିବାର ଲୋକେ ।

ଈଶ୍ୱରଙ୍କ ଦୁଆରେ ହତ୍ୟାକାରୀ ଗୋବିନ୍ଦ ତ ଦଣ୍ଡ ପାଇଲା, ହେଲେ ତାର ସନ୍ଦେହ ଜନକ ମୃତ୍ୟୁ କିନ୍ତୁ ଛାଡ଼ିଦେଇଗଲା ଅନେକ ଅସମାହିତ ପ୍ରଶ୍ନ । ଜେଲ୍ ବ୍ୟବସ୍ଥାର ମୁଖା ଖୋଲିଦେଲା । ଯାହାକୁ ନେଇ ଏବେ ଅକଳରେ ରାଜ୍ୟ ସରକାର । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜି ଜେଲ୍‌ରେ ପଶି ସୁଇସାଇଡ୍ ମିଷ୍ଟ୍ରିର ଖୋଳତାଡ଼ କରୁଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ଉପ କାରାଗାର ଯାଇ ଜେଲ୍ ଡିଆଇଜି ଅନୁସୂୟ ଜେନାଙ୍କ ଉପସ୍ଥିତିରେ ତଦନ୍ତ କରୁଛି । ଯେଉଁଥିରେ ସାମିଲ ଅଛନ୍ତି ଫରେନ୍‌ସିକ୍ ଏବଂ ସାଇବର ଏକ୍ସପର୍ଟ । ତେବେ ସ୍ୱାଭାବିକ ଆଚରଣ କରୁଥିବା ଅଭିଯୁକ୍ତଟିଏ ଜୀବନ ହାରିଦେଲା କାହିଁକି ? ଗୋବିନ୍ଦ, ମୃତ୍ୟୁର କଠିନ ରାସ୍ତା ବାଛିବା ପଛର ରହସ୍ୟ କଣ ? ମୃତ୍ୟୁର ୩୬ ଘଣ୍ଟା ପରେ ବି ସାମ୍ନାକୁ ଆସିନି ତଥ୍ୟ ।

ତେଣେ ବିଭାଗୀୟ ଅବହେଳାକୁ ସ୍ୱୀକାର କରିଛନ୍ତି ଜେଲ୍ DIG ଶୁଭକାନ୍ତ ମିଶ୍ର । କହିଛନ୍ତି, ଜେଲ୍‌ରେ ସମସ୍ତଙ୍କ ସହ ଗୋବିନ୍ଦର ଭଲ ସଂପର୍କ ଥିଲା । ୱାର୍ଡରଙ୍କ ଅବହେଳାରୁ ଆତ୍ମହତ୍ୟା କରିବାକୁ ସେ ସୁଯୋଗ ପାଇଲା । ଜେଲ୍ କିଚେନ୍ ପଛପଟ ଝରକାରେ ବେକରେ ନିଜ ଗାମୁଛା ଗୁଡ଼ାଇବା ସହ ଝୁଲିପଡ଼ି ଆତ୍ମହତ୍ୟା କରିଥିବା କହିଛନ୍ତି ଜେଲ୍ DIG । ଟ୍ୟାପ୍‌ରୁ ପାଣି ନେବାକୁ ଆସିଥିବା ଅନ୍ୟ ଜଣେ ବନ୍ଦୀ ଦେଖି ପାଟି କରିଥିଲେ । ଆତ୍ମହତ୍ୟା କରିଥିବା ଜାଗାରେ ସିସିଟିଭି ନଥିଲା । ବିଚାର ବିଭାଗୀୟ ତଦନ୍ତରୁ କାହାର ଅବହେଳା ହୋଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜେଲ୍ ଡିଆଇଜି । ଏହି ଘଟଣାରେ ଗତକାଲି ଜେଲ୍ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ସେପଟେ ଏନ୍ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶରେ ଆଜି ସକାଳୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ୍‌ରେ ଏଫ୍.ଏମ୍.ଟି ଡାକ୍ତରୀ ଟିମ୍ ମୃତଦେହର ବ୍ୟବଛେଦ କରିଛିି । ଯାହାର ଭିଡ଼ିଓ ରେକର୍ଡିଂ ବି କରାଯାଇଛି । ବ୍ୟବଛେଦ ପରେ ମୃତଦେହକୁ ପୋଲିସ ହସ୍ତାନ୍ତର କରିଥିଲେ ବି ସଂପର୍କୀୟ କିନ୍ତୁ ଡେଡ୍‌ବଡି ନେବାକୁ ଚାହିଁନଥିଲେ । ସେମାନେ ଦାବି କରିଥିଲେ ପୋଲିସ ନେଇକି ଯାଉ । ଯାହାକୁ ନେଇ କିଛି ସମୟ ପାଇଁ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ପରେ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଥିବା ଗୋବିନ୍ଦର ବଡ଼ ଝିଅ ବାପାର ମୃତଦେହକୁ ମହାଲିଙ୍ଗକୁ ନେଇଥିଲେ । ଅପରପକ୍ଷେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମକୁ କଣ୍ଟାବାଞ୍ଜି ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ହାଜର କରାଯାଇଥିଲା । କିନ୍ତୁ ସାଙ୍ଗରେ ଆଉ ନଥିଲା ଗୋବିନ୍ଦ ।

ସେପଟେ କଣ୍ଟାବାଞ୍ଜି ଉପକାରାଗାରରେ ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ପାଇଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଆଜି ପ୍ରଥମ ଦିନରେ ଜେଲ୍ କର୍ମଚାରୀ, ବିଚରାଧିନ ବନ୍ଦୀଙ୍କୁ ପଚରାଉଚରା ସହିିତ କିଛି ଗୁୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି କ୍ରାଇମବ୍ରାଞ୍ଚ । ଯେଉଁଠି ଆତ୍ମହତ୍ୟା କରିଥିଲା ଗୋବିନ୍ଦ । ସେହି ସ୍ଥାନରୁ ଏକ ଗାମୁଛା, କିଚେନ୍ କ୍ଲଥ୍, ଚପଲ ସହ କାଠଖଣ୍ଡକୁ ଜବତ କରିଛି ସାଇଣ୍ଟିଫିକ୍ ଟିମ୍ । ଏସବୁକୁ ଭଲ ଭାବେ ପ୍ୟାକ୍ ସହ ସିଲ୍ କରାଯାଇଛି ସାକ୍ଷୀଙ୍କ ଉପସ୍ଥିତିରେ । ଏବେ ବି ତଦନ୍ତ ଜାରି ରହିଛି । ସପୂର୍ଣ୍ଣ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇ ଖୋଳତାଡ଼ ଜାରି ରଖିଛି ।