• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୂପ ବି ଥିଲା.. ଅଭିନୟର ଗୁଣ ବି ଥିଲା । କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ । ହେଲେ ସେହି ଗ୍ଲାମର ଦୁନିଆରେ ଜୀବନ ଜୀଉଁଥିବା ଯୁବତୀଙ୍କ ମିଳିଛି ଝୁଲନ୍ତା ମୃତଦେହ । ମିଳିଛି ହାତ ଲେଖା ଡାଏରୀ । ଆଉ ସେଥିରେ ଯେଉଁ ହାତ ଲେଖା ରହିଛି ତାକୁ ନେଇ ଏବେ ଚର୍ଚ୍ଚା ।

ଝୁଲନ୍ତା ଅବସ୍ଥାରେ ମୃତ୍ୟୁକୁ ନେଇ ନାନା ଆଲୋଚନା । ପ୍ରାଣ ହରାଇଥିବା ଯୁବତୀ ହେଲେ ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଓଝା । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ମିଳିଛି ମୃତଦେହ । ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ନାଇଁଥିବା ଅବସ୍ଥାରେ ପ୍ରାଣ ଯାଇଛି ରଶ୍ମିରେଖାଙ୍କର ।

ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଗତ ପ୍ରାୟ ୨ମାସ ଧରି ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଥିଲେ ରଶ୍ମିରେଖା । ହେଲେ ଆଜିକୁ ୩/୪ ଦିନ ହେଲାଣି ସନ୍ତୋଷ ବାହାରେ ରହୁଛନ୍ତି । ଘର ମାଲିକଙ୍କଠୁ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ କରୁଛି । ଏହି ଖୋଳତାଡ଼ ଭିତରେ ରଶ୍ମିରେଖାଙ୍କ ବାପା, ମାଆ ସନ୍ତୋଷକୁ ହିଁ ଦାୟୀ କରିବା ସହ ଉଭୟେ ବିବାହ କରିଥିବା କଥା ସେମାନେ ଜାଣିନଥିବା କହିଛନ୍ତି ।

ଜବତ ହାତଲେଖାରେ ସନ୍ତୋଷ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ମଧ୍ୟ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି । ତେବେ ସନ୍ତୋଷଙ୍କ ଅନୁପସ୍ଥିତିରେ କାହିଁକି ଘଟିଲା ଏଭଳି ମୃତ୍ୟୁ ? ଡାଏରୀର ଦୁଇ ପୃଷ୍ଠାରେ ଏଭଳି ଲେଖି ନିଜେ ଜୀବନ ହାରିଦେଲେ କି ରଶ୍ମିରେଖା ?

ଯଦି ଏହା ଆତ୍ମହତ୍ୟା, ତେବେ କାହିଁକି ? ଯଦି ଆତ୍ମହତ୍ୟା ନୁହେଁ, ତେବେ ତାଙ୍କୁ କିଏ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିନିି ତ ? ଶଙ୍ଖା ଆଉ ସିନ୍ଦୂରର ରହସ୍ୟ କଣ ? ଏଭଳି ନାନା ପ୍ରଶ୍ନ ଭିତରେ ସାମ୍ନାକୁ ଆସିଛି ତ୍ରିକୋଣୀୟ ସଂପର୍କର ସୁରାଗ୍ । ଆଉ ସେହି ସୁରାଗ୍ ଦେଇଛି ସନ୍ତୋଷଙ୍କ ସହ କଥାବାର୍ତ୍ତାକୁ ନେଇ ଭାଇରାଲ୍ ହେଉଥିବା ଏକ ଟେଲିଫୋନିକ ଅଡ଼ିଓ । ଯେଉଁଥିରେ ଉଭୟେ ରାଜା ନାମକ ଜଣେ ଯୁବକଙ୍କ ବିଷୟରେ କଥା ହେଉଛନ୍ତି ।

ଅଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । ଅଡିଓରୁ ଯାହା ଜଣାପଡୁଛି, ରାଜାକୁ ଆଦୌ ବରଦାସ୍ତ କରିପାରୁନାହାଁନ୍ତି ସନ୍ତୋଷ । ତେବେ ରାଜା ଓ ସନ୍ତୋଷ ମଧ୍ୟରେ କାହିଁକି ଉଠିଥିଲା ବିବାଦ ? ରଶ୍ମିରେଖାଙ୍କୁ ନେଇ କୌଣସି ବିବାଦ ଥିଲା କି ? ଏଭଳି ନାନା ପ୍ରଶ୍ନ, ନାନା ଆଶଙ୍କା । ଭୁବନେଶ୍ୱର ଡିସିପି କହିଛନ୍ତି, ଏହା ଆତ୍ମହତ୍ୟା ମାମଲା ବୋଲି କ୍ଲିୟର କଟ୍ ଜଣାପଡୁଛି । ଘଟଣାସ୍ଥଳରୁ ଏକ ହାତଲେଖା ଓ ଲାପ୍‌ଟପ୍ ମିଳିଛି । ରଶ୍ମିରେଖା ଡିପ୍ରେସନରେ ଥିବା ପରି ଜଣାପଡୁଛି ।