• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁରେନ୍ଦ୍ର ମରିବା ପରେ ହେଲା ଜମି ବିକ୍ରି । ମୃତ୍ୟୁ ପରେ ତାଙ୍କ ନାଁରେ ଥିବା ଜମି ଆଉ ଜଣଙ୍କ ନାଁକୁ କେମିତି ହେଲା ସ୍ଥାନାନ୍ତର ? କିଏ ବିକ୍ରି କଲା ଜମି ? ଜଣେ ମୃତ ବ୍ୟକ୍ତି କିପରି ନିଜ ଜମି ବିକ୍ରି କରିପାରିବ ? ଜମି ବିକ୍ରି ଖବର ପରିବାର ଲୋକ ଜାଣିବା ପରେ ଚିନ୍ତାରେ ପଡ଼ିଗଲେ । ପୋଲିସ ପାଖରେ ନେହୁରା ହେଲେ । ବାରମ୍ବାର ଦୌଡ଼ିଲେ ଥାନାକୁ । ଏହାପରେ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ବି ଭେଟିଲେ । ହେଲେ ଫଳ ଶୂନ । କେହି କିଛି ଶୁଣିବାକୁ ନାରାଜ ।

ଏଭଳି ଏକ ଘଟଣା ଘଟିଛି, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ରେ । ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି । କୋଡପଦର ଗ୍ରାମର ସୁରେନ୍ଦ୍ର ଖମାରୀ । ମୃତ୍ୟୁ ହେବାର ୩ ମାସ ପରେ ଭୂତ ହୋଇ ଜମି ବିକ୍ରି କଲେ । ଏସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପୋଲିସରେ ଅଭିଯୋଗ କଲେ । ହେଲେ ଜମି ଜାଲିଆତି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି କୌଣସି ସୁଫଳ ମିଳୁନି । ଜମି କେବେ ଫେରି ପାଇବେ ତାକୁ ନେଇ ଚିନ୍ତାରେ ମୃତ ସୁରେନ୍ଦ୍ର ଖମାରୀଙ୍କ ପରିବାର । ପୋଲିସ୍ ଠାରୁ ତହସିଲଦାର ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେଣି ସୁରେନ୍ଦ୍ରଙ୍କ ପୁଅ । ହେଲେ ଆଜି ପର୍ଯ୍ୟନ୍ତ କାହାକୁ ବି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ପୋଲିସ ।

ମନମୁଣ୍ଡା ଥାନାରେ ଗତ ଜୁନ ୨୮ ତାରିଖରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଜୁଲାଇ ମାସ ୧୧ ତାରିଖରେ ପୋଲିସ୍ ମାମଲା ରୁଜୁ କଲା । ହେଲେ ତଦନ୍ତର ନାଁ ଧରୁନି ପୋଲିସ । କେବଳ ତଦନ୍ତ ଚାଲିଛି କହି କଥାକୁ ଏଡ଼ାଇ ଦେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍‌ ସୁରେନ୍ଦ୍ରଙ୍କ ପରିବାର । ମାନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଘଟଣାକୁ ଗୁରୁତ୍ୱର ସହ ନେଉ ନଥିବା ପରିବାର ଅଭିଯୋଗ କରିଛି ।

ଶେଷରେ ପୋଲିସ୍‌ଠାରୁ ନିରାଶ ହୋଇ ସୁରେନ୍ଦ୍ରଙ୍କ ପୁଅ ବୌଦ୍ଧ ତହସିଲଦାରଙ୍କୁ ଏନେଇ ଅଭିଯୋଗ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଯଥାଶୀଘ୍ର ତାଙ୍କ ଜମି ଫେରାଇବା, ଘଟଣାରେ ସଂପୃକ୍ତ ଥିବା ଜମି ମାଫିଆ ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ ।

ତେବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ କଥା ଦେଇଛନ୍ତି ଯେ, ସୁରେନ୍ଦ୍ରଙ୍କ ଜମି ଯଥାଶୀଘ୍ର ତାଙ୍କ ପରିବାର ଫେରିପାଇବେ । ଏହାସହ ଏଥିରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।