ragging
ରାଗିଂ ନୁହେଁ ତ, ସତେ ଯେମିତି ଥାର୍ଡ ଡିଗ୍ରୀ। ଓଜନିଆ ଡମ୍ବଲ୍, ଜ୍ୟାମିତି ବାକ୍ସର ମୁନିଆ କମ୍ପାସ୍ ଓ ଯନ୍ତ୍ରଣାଦାୟକ ଲୋସନରେ ଦିଆଯାଉଥିଲା ଟର୍ଚର୍। କେରଳ କୋଟ୍ଟାୟାମ ସରକାରୀ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କୁ ଏଭଳି ଅକଥନୀୟ ରାଗିଂ ଦେଉଥିବା ଅଭିଯୋଗରେ ତୃତୀୟ ବର୍ଷର ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ଏଥିସହ କଲେଜରୁ ସେମାନଙ୍କୁ ସସପେଣ୍ଡ୍ କରାଯାଇଛି। ଏପଟେ ବୁର୍ଲା ଭିମସାରରୁ ବି ସାମ୍ନାକୁ ଆସିଛି ଜୁନିୟରଙ୍କୁ ସିନିୟରଙ୍କ ଗାଳିଗୁଲଜ ଓ ଠେଲାପେଲା ଅଭିଯୋଗ।
ଅଧିକ ପଢନ୍ତୁ: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ
ଯେତେବେଳେ ସୀମା ଟପିଯାଏ ସିନିୟରଙ୍କ ରାଗିଂ। ବର୍ବରତା ଓ ନୃଶଂସତାର ସବୁ ସରହଦ ଡେଇଁଯାଏ ଅମାନୁଷିକ ଅତ୍ୟାଚାର। କେରଳ କୋଟ୍ଟାୟାମର ସରକାରୀ ନର୍ସିଂ କଲେଜରେ, ଏଭଳି ଭୟଙ୍କର ରାଗିଂଙ୍କ ଶିକାର ହୋଇଛନ୍ତି ୩ ଜଣ ପ୍ରଥମ ବର୍ଷର ଛାତ୍ର। ଆଗକୁ ବଢ଼ିବା ଆଗରୁ, ପ୍ରଥମେ ନଜର ପକାନ୍ତୁ କିଭଳି ରୁଗ୍ଣ ମାନସିକତାର ଶିକାର ଥିଲେ ତୃତୀୟ ବର୍ଷର ସିନିୟର ଏବଂ କିଭଳି ରୁମଟାଙ୍କୁରା ରାଗିଂର ଶିକାର ହୋଇଥିଲେ ଜୁନିୟର୍।
ପ୍ରତି ରବିବାର ଶାରୀରିକ ଓ ମାନସିକ ନିର୍ଯାତନା ସହ ଆର୍ଥିକ ଶୋଷଣର ବି ଶିକାର ହେଉଥିଲେ ଜୁନିୟର। ସିନିୟରମାନେ ରବିବାରିଆ ଦାରୁ-ପାର୍ଟି ପାଇଁ ଧମକଚମକ ଦେଇ ଜୁନିୟରଙ୍କଠାରୁ ବଟି ଆଦାୟ କରୁଥିଲେ। ମଦ ପାଇଁ ଟଙ୍କା ଦେବାକୁ ମନା କଲେ ନିର୍ଘାତ ମାଡ଼ ଖାଇବାକୁ ପଡ଼ୁଥିଲା। ସପ୍ତାହେ କି ମାସେ ନୁହେଁ, ଗତବର୍ଷ ନଭେମ୍ବରରୁ ୩ ମାସ ଧରି ଲଗାତାର ଏଭଳି ଅକଥନୀୟ ରାଗିଂର ଶିକାର ହେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ ମୁହଁ ଖୋଲିଲେ ପରିଣତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ ସିନିୟର୍।
ସହିବାର ବି ଗୋଟିଏ ସୀମା ଥାଏ । ଶେଷରେ ପରିବାର ଲୋକଙ୍କ ଆଗରେ ରାଗିଂ ନେଇ ମୁହଁ ଖୋଲିଥିଲେ ପ୍ରଥମ ବର୍ଷର ୩ଜଣ ଛାତ୍ର । ଏନେଇ କୋଟ୍ଟାୟାମ ଗାନ୍ଧିନଗର ଥାନାରେ ଅଭିଯୋଗ ପରେ, ତୃତୀୟ ବର୍ଷର ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ରାହୁଲ ରାଜ୍, ଏନ୍ଏସ୍ ଜିଭା, ଏନ୍.ପି. ବିବେକ, ରିଜିଲ୍ ଜିତ୍ ଏବଂ ସାମୁଏଲ୍ ଜନସନ୍। ସେମାନଙ୍କ ବିରୋଧରେ ଆଣ୍ଟି ରାଗିଂ ଆକ୍ଟର ଦଫା ୩ ଓ ୪ ସହିତ BNS ୧୧୮(୧) ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩୦୮(୨) ବଳପୂର୍ବକ ବଟି ଆଦାୟ, ଏବଂ ୩୫୧(୧) ଧମକଚମକ ଦେବା ଆଦି ଧାରାରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ନର୍ସିଂ କଲେଜରୁ ସସପେଣ୍ଡ କରାଯାଇଛି।
ଗତମାସ କେରଳ କୋଚ୍ଚିରୁ ବି ସାମ୍ନାକୁ ଆସିଥିଲା ରାଗିଂ ବ୍ୟାଧିର ଆଉ ଏକ ଉଦବେଗଜନକ ଚିତ୍ର। ନିର୍ଯାତନା ସହିନପାରି ଜୀବନ ହାରିଥିଲେ ଜଣେ ୧୪ ବର୍ଷୀୟ ଛାତ୍ର। ସ୍କୁଲରେ ସିନିୟରମାନେ ତାଙ୍କୁ ଟୟଲେଟ୍ ସିଟ୍ ଚାଟିବାକୁ ବାଧ୍ୟ କରୁଥିଲେ ଓ କମୋଡରେ ମୁହଁ ଭର୍ତ୍ତି କରିଦେଉଥିଲେ ବୋଲି ଅଭିଯୋଗ କରିଥିଲେ ମୃତକଙ୍କ ମାଆ । ଖାଲି କେରଳ କାହିଁକି ଓଡ଼ିଶାରେ ବି ରାଗିଂ ବ୍ୟାଧି କିଛି କମ୍ ନୁହେଁ । କିଛି ମାସ ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏଥିପାଇଁ ବିବାଦ ଘେରକୁ ଆସିଥିବା ବେଳେ, ବୁର୍ଲା ଭିମସାରରୁ ଆସିଛି ଆଉ ଏକ ସଦ୍ୟ ଘଟଣା । ଗତ ୭ ତାରିଖରେ ଜଣେ ଦ୍ବିତୀୟ ବର୍ଷ ଛାତ୍ରଙ୍କ ହଷ୍ଟେଲ ରୁମରେ ପଶି କିଛି ତୃତୀୟ ବର୍ଷ ଛାତ୍ର ଗାଳିଗୁଲଜ ଓ ଠେଲାପେଲା କରିଥିବା, ପୀଡ଼ିତଙ୍କ ମାଆ ଅଭିଯୋଗ କରିଛନ୍ତି । ଏହାର ସତ୍ୟାସତ୍ୟ ପରଖିବାକୁ ଡିନ୍ ଏକ କମିଟି ଗଠନ କରିଥିବା ବେଳେ, ଆଣ୍ଟିରାଗିଂ କମିଟିର ସବକିମିଟି ଏହାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ragging_1739371058.jpg)