• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି । ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି । ଏହି ଦୁଇଟି ଟିମ୍ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଖୋଜି ବାହାର କରିବ । କାରଣ, ଶର୍ମିଷ୍ଠା ମିଳିବା ପରେ ହିଁ ମାନସ ମର୍ଡର ମିଷ୍ଟ୍ରିର ବାକି ରହସ୍ୟ ଖୋଲିବ ।

ମେମୋରି ଚିପ୍‌ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । ପ୍ରଥମ ପାହାଚ, ଚାନ୍ଦବାଲି । ଯେଉଁଠୁ କ୍ୟାମେରାମ୍ୟାନ୍ ମାନସଙ୍କୁ ଉଠାଇ ନେଇଥିଲେ ଅପହରଣକାରୀ ।

ତଦନ୍ତ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ପ୍ରଥମେ ଭଦ୍ରକ ଏସ୍‌ପି ଅଫିସରେ ପହଁଚିଥିଲା । ମାମଲା ଏବଂ ଭଦ୍ରକ ପୋଲିସ କରିଥିବା ତଦନ୍ତର ଅଗ୍ରଗତି ନେଇ ଟିମ୍ ଏସ୍‌ପି ଚରଣ ସିଂ ମୀନାଙ୍କ ସହ ଆଲୋଚନା କରିଥିଲା । ଏହାପରେ ଟିମ୍ ବାହାରିଥିଲା ଚାନ୍ଦବାଲି । ଥାନାରେ ପହଁଚି ମାନସ ହତ୍ୟା ସମ୍ପର୍କିତ ମାମଲାର ସମସ୍ତ କାଗଜପତ୍ରକୁ ଟିକନିଖ୍ ଯାଞ୍ଚ କରିଥିଲା । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସକାଳେ ମାନସଙ୍କୁ ଅପହରଣ କରାଯାଇଥିବା ପଳାସପୁରରେ ଯାଇ ଖିଅ ଖୋଜିବ କ୍ରାଇମବ୍ରାଞ୍ଚ ଟିମ୍ ।

ଏପଟେ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ଯାଇଛି ଦୁଇଟି ଟିମ୍ । ଭଦ୍ରକ ପୋଲିସର ଗୋଟିଏ ଟିମ୍ ଏବଂ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ରାଜ୍ୟ ବାହାରେ ଖୋଳତାଡ଼ ଆରମ୍ଭ କରିଛି । ଏହି ଟିମ୍ ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ରେଡ୍ କରିବ ଏବଂ ଶର୍ମିଷ୍ଠାଙ୍କୁ ଧରି ଓଡ଼ିଶା ଆଣିବ । ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ, କୋଲକାତା କିମ୍ବା ବେଙ୍ଗାଲୁରୁରେ ଶର୍ମିଷ୍ଠା ଲୁଚିଥିବା ପୋଲିସ ହାତରେ ଲାଗିଛି ସୁରାକ ।

ତେଣୁ ଶର୍ମିଷ୍ଠାଙ୍କୁ ଠାବ କରିବାକୁ ଏସବୁ ରାଜ୍ୟ ପୋଲିସର ସହାୟତା ମଧ୍ୟ ନିଆଯାଉଛି । ତାସହ ବୈଷୟିକ ଟିମ୍ ସହାୟତାରେ ସିଡିଆର, ଲୋକେସନ୍ ଆନାଲିସିସ ଏବଂ ଏଟିଏମ୍ ଟ୍ରାଞ୍ଜାକ୍‌ସନ୍‌ର ଚାଲିଛି ଘନ ଘନ ଯାଞ୍ଚ । ତେବେ ମାମଲାର ଫୋକସରେ ରହିଛି ସେହି ମେମୋରି ଚିପ୍ । ଯାହା ପାଇଁ ମାନସଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା କୁହାଯାଉଛି ।

ଏହାରି ଭିତରେ ସାମ୍ନାକୁ ଆସିଛି ଶର୍ମିଷ୍ଠାଙ୍କ ଆଉ ଏକ ସତ । ଗିରଫଦାରୀ ଏଡାଇବାକୁ ଶାଶୁ ଘରେ ଲୁଚିଥିଲେ ଶର୍ମିଷ୍ଠା । ୩ ଦିନ ଧରି ଆତ୍ମଗୋପନ କରିଥିଲେ ଯାଜପୁର ଜିଲ୍ଲା କାଳିଆପାଣି ଥାନା କୋଳିପସି ଗାଁରେ । ଶର୍ମିଷ୍ଠାଙ୍କ ଶାଶୁ ଶାନ୍ତିଲତା କହିଛନ୍ତି, ମାର୍ଚ୍ଚ ୭ ତାରିଖ ବିଳମ୍ବିତ ରାତିରେ ଝୁନା ଭୋଇ ନାମକ ଜଣେ ମହିଳାଙ୍କ ସହ ଘରକୁ ଆସିଥିଲେ ଶର୍ମିିଷ୍ଠା । ଏକ ଡକ୍ୟୁମେଣ୍ଟାରୀ ସୁଟିଂ କରିବାକୁ ଆସିଛି ବୋଲି ମିଛ କହି ୩ ଦିନ ରହିଥିଲେ । ପରେ ୧୦ ତାରିଖ ସକାଳେ ଚାଲି ଯାଇଥିଲେ ।