• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଉଁଠି ଲୁଚିଛନ୍ତି ମାଡାମ୍ ଶର୍ମିଷ୍ଠା ? ପୋଲିସ ଗିରଫଦାରୀ ଏଡାଇବାକୁ ରାଜ୍ୟ ଭିତରେ ନା ରାଜ୍ୟ ବାହାରେ କରିଛନ୍ତି ଆତ୍ମଗୋପନ ? କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଭଦ୍ରକ ପୋଲିସ୍ ଏଯାଏଁ ଶର୍ମିଷ୍ଠାଙ୍କ ନିକଟରେ ପହଞ୍ଚି ପାରିନି । ହେଲେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ କବଜାକୁ ନେଇଛି । କୁହଯାଉଛି, ହତ୍ୟା ରହସ୍ୟ ସାମ୍ନାକୁ ଆସିବା ପରେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ଭାଇ ପରମେଶ୍ୱର ହିଁ ନେଇଥିଲା ମୁଖ୍ୟ ଭୂମିକା । ଶର୍ମିଷ୍ଠା ପୋଲିସ୍ ପଞ୍ଝାରୁ କେମିତି ଖସିଯାଇପାରିବେ, ସେ ନେଇ ପ୍ଲାନ୍ ପ୍ରସ୍ତୁତ କରିଥିଲା ପରମେଶ୍ୱର । ବିଜୟଓ୍ୱାଡାରେ ରହି ଶର୍ମିଷ୍ଠା କେଉଁଠିକୁ କେମିତି ଯିବେ, ସେ ବ୍ୟବସ୍ଥା କରିବା ସହ ତାଙ୍କୁ ଆର୍ଥିକ ସହାୟତା କରିଥିବା କୁହାଯାଉଛି ।

ତେବେ ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ପରମେଶ୍ୱରଙ୍କୁ ଅଧିକ ଜେରା ହିଁ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ଆଶା କରାଯାଉଛି ।

ଏପଟେ ଏହି ବହୁ ଚର୍ଚ୍ଚିତ ମର୍ଡର ମିଷ୍ଟ୍ରି ସହ ଯୋଡ଼ି ହୋଇଛି ପଲିଟିକାଲ ଲିଙ୍କ୍ । ହତ୍ୟା ଘଟଣା ଓ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପଛରେ ରାଜ୍ୟର ହାଇପ୍ରୋଫାଲାଇଲ ନେତା-ମନ୍ତ୍ରୀଙ୍କ ହାତ ଥିବା କଥା ସିଧାସଳଖ କ୍ୟାମେରା ସାମ୍ନାରେ କହିଛନ୍ତି ମାନସଙ୍କ ପରିବାର ଲୋକେ । ଏମିତିକି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଆଣି ଏମାନଙ୍କ ବିରୋଧରେ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଅଭିଯୁକ୍ତ ଶର୍ମିଷ୍ଠାଙ୍କର ଏହି ଦୁଇ ମନ୍ତ୍ରୀଙ୍କ ସହ ସମ୍ପର୍କ ଥିବାରୁ ପୋଲିସ ଧରିବାରେ ବିଳମ୍ବ କରୁଥିବା ଆରୋପ ବି ଲଗାଇଛନ୍ତି ।

ଏଣେ ମାନସ ହତ୍ୟା ରହସ୍ୟ ଉନ୍ମୋଚନ କରିବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା କହିଛନ୍ତି ଭଦ୍ରକ ଏସ୍‌ପି । ଶର୍ମିଷ୍ଠାଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ୩ଟି ଟିମ୍ ବୁଲୁଥିବା ବେଳେ ରାଜ୍ୟ ଭିତରେ ଚାଲିଛି ଖୋଳତାଡ଼ । ତେବେ ଶର୍ମିଷ୍ଠା ଏଯାଏଁ ଧରାପଡୁନଥିବା ଏବଂ ସେ କାହା ଛତ୍ରଛାୟା ତଳେ ରହୁଥିବା ଚର୍ଚ୍ଚା ଆଲୋଚନା ପରେ ପୋଲିସ୍ ଏ ମାମଲାରେ କାହାରି ଚାପରେ ନଥିବା ସ୍ପଷ୍ଟ କରିଛନ୍ତି ଭଦ୍ରକ ଏସ୍‌ପି ।

କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି, ସେତିକି ଖୋଲିବାରେ ଲାଗିଛି ଏ ଜଘନ୍ୟ ଅପରାଧ ପଛର କଳା କାହାଣୀ । ଏବେ ଅପେକ୍ଷା ପୋଲିସ୍ ଡେଭିଲ ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିବାକୁ ଆଉ କେତେ ଦିନ ଲାଗୁଛିି ?  

ଏପଟେ ଭୁବନେଶ୍ୱରରେ ଶର୍ମିଷ୍ଠା ରାଉତଙ୍କ ଘରେ ଓ ଅଫିସରେ ରେଡ୍ କରିଛି ଚାନ୍ଦବାଲି ପୋଲିସ । ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ତାଙ୍କ ଘର ଓ ଅଫିସ୍‌ରେ ରେଡ୍ କରି ପୋଲିସ କିଛି କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ସେହିଭଳି ଶର୍ମିଷ୍ଠାଙ୍କ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରେ ମଧ୍ୟ ପୋଲିସ ରେଡ୍ କରାଯାଉଥିବା ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି ।