• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାବଧାନ୍, ମାତିଛନ୍ତି ମୂର୍ତ୍ତିଚୋର । ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ । ଗତ ମାର୍ଚ୍ଚ ମାସରେ ପୁରୀ ବୀରନରସିଂହପୁରର ଏକ ମନ୍ଦିରରୁ ୫ ମୂର୍ତ୍ତି ଚୋରି ହେବା ପରେ ଗତ ୮ ତାରିଖ ରାତିରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ଚୋରି ହୋଇଛି ୮ଟି ମୂଲ୍ୟବାନ ମୂର୍ତ୍ତି । ବାଲିଅନ୍ତା ଥାନା ଅଞ୍ଚଳରେ ତ ଗତ ୬ମାସରେ ୫ ମନ୍ଦିରରୁ ହରଣଚାଳ ହେଲାଣି ୩୯ରୁ ଅଧିକ ମୂର୍ତ୍ତି । ଯାହାକି ପୋଲିସର ନିଦ ହଜାଇଥିବା ବେଳେ ଭକ୍ତଙ୍କ ମନରେ ବିଦ୍ୱେଷ ସୃଷ୍ଟି କରିଛି ।

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା । ଯାହାର ସଦ୍ୟତମ ଶିକାର ହୋଇଛି ଖୋଦ୍ ରାଜଧାନୀ ଉପକଣ୍ଠରେ ଥିବା ଟଙ୍କପାଣି ମନ୍ଦିର । ଏବେ ଖାଲି ପଡ଼ିଛି ମାଆଙ୍କ ଆସ୍ଥାନ । ଗତ ୮ ତାରିଖ ରାତିରେ ଏଠୁ ଚୋରି ହୋଇଛି । ସାତ ସାତଟି ମୂଲ୍ୟବାନ ମୂର୍ତ୍ତି ଯାହାଙ୍କ ମଧ୍ୟରେ ଅଛି ଲକ୍ଷ୍ମୀ-ନାରାୟଣ, ଚନ୍ଦ୍ରଶେଖର, ପାର୍ବତୀ, ଚତୁର୍ଭୁଜା ଦୁର୍ଗା ଓ ଆଣ୍ଠୁଆ ଗୋପାଳ ଭଳି ଠାକୁରଙ୍କ ପ୍ରାଚୀନ ଅଷ୍ଟଧାତୁ ପ୍ରତିମୂର୍ତ୍ତି । ଫୁଟେରୁ ଦେଢ଼ ଫୁଟ୍ ଉଚ୍ଚର ଏସବୁ ମୂର୍ତ୍ତି ଗୁଡ଼ିକୁ ମିଶାଇଲେ ଆନୁମାନିକ ଓଜନ ୧ କ୍ୱିଣ୍ଟାଲରୁ ଅଧିକ ହେବ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ପୂଜକ ସକାଳେ ମୂର୍ତ୍ତି ଚୋରି ହୋଇଥିବା ଜାଣି ବାଲିଅନ୍ତା ଥାନାରେ ଏତଲା ଦେଇଛନ୍ତି ।

 

ତଥ୍ୟ କହୁଛି କେମିଶନରେଟ୍ ପୋଲିସ୍ ଅଧୀନରେ ଆସୁଥିବା ବାଲିଅନ୍ତା ଥାନା ଅଞ୍ଚଳରେ ଗତ ୬ମାସରେ ୫ ମନ୍ଦିରରୁ ହରଣଚାଳ ହେଲାଣି ୩୯ରୁ ଅଧିକ ମୂର୍ତ୍ତି । ଡିସେମ୍ବର ୧ରେ ଭିଙ୍ଗାରପୁର ଗୋପୀନାଥ ମନ୍ଦିରରୁ ୧୨ଟି ମୂର୍ତ୍ତି ସହ ପ୍ରାୟ ୧୫ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ଚୋରି ହୋଇଥିଲା । ସେମିତି ଫେବ୍ରୁଆରୀ ୨ରେ ବାଳକାଟୀ ବାଲୁଙ୍କେଶ୍ୱର ମନ୍ଦିରରୁ ଶିବ-ପାର୍ବତୀ ମୂର୍ତ୍ତି ଚୋରି ପରେ ଏପ୍ରିଲ୍ ୨୮ ରାତିରେ ପ୍ରତାପରୁଦ୍ରପୁର ଆଖଣ୍ଡଳମଣି ମନ୍ଦିରରୁ ୩ଟି ଓ କେନ୍ଦୁବିଲ୍ୱସ୍ଥିତ ନୃସିଂହନାଥ ମନ୍ଦିରରୁ ୧୦ରୁ ଅଧିକ ମୂର୍ତ୍ତି ଧରି ପାର୍ ହୋଇଯାଇଥିଲା ଦୁର୍ବୃତ୍ତ । ତେବେ ଏ ସମସ୍ତ ଘଟଣାରେ ଏଯାଏଁ ଚୋରଙ୍କ ଟେର୍ ପାଇନି ପୋଲିସ୍ ।

ସେମିତି ପୁରୀ ଜିଲ୍ଲାରେ ବି ଉପଦ୍ରବ ଚଳାଇଛନ୍ତି ମୂର୍ତ୍ତିଚୋର । ଗଲା ୪ମାସ ଭିତରେ ୫ରୁ ଅଧିକ ମୂର୍ତ୍ତିଚୋରି ମାମଲା ପୋଲିସ୍‌ର ନିଦ ହଜାଇ ଦେଇଛି । ମାର୍ଚ୍ଚ ୧୧ରେ ବୀରନରସିଂହପୁର ଗୋପୀନାଥ ଦେବଙ୍କ ମନ୍ଦିରକୁ ଦିଅଁଶୂନ୍ୟ କରି ୫ମୂର୍ତ୍ତି ଗାଏବ କରିଥିଲେ ଚୋର । ତେଣୁ ମନ୍ଦିରରୁ ଘନ ଘନ ମୂର୍ତ୍ତି ଚୋରି ପରେ ପ୍ରଶ୍ନ, କାହିଁକି ଚୋରଙ୍କ ଟାର୍ଗେଟରେ ଅଷ୍ଟଧାତୁ ମୂର୍ତ୍ତି ? ବିଶେଷକରି ଦୁର୍ଗା, ବାଲ୍ ଗୋପାଳ, ଲକ୍ଷ୍ମୀ ନାରାୟଣ ମୂର୍ତ୍ତିକୁ କାହିଁକି ଟାର୍ଗେଟ କରୁଛନ୍ତି ମୂର୍ତ୍ତି ଚୋର ? କୁହାଯାଉଛି, ଆନ୍ତର୍ଜାତିକ ବଜାରରେ ଏସବୁ ମୂର୍ତ୍ତିର ଢେର୍ ଚାହିଦା ରହିଛି । ୨ ଫୁଟ ଉଚ୍ଚତାର ଗୋଟିଏ ଗୋଟିଏ ମୂର୍ତ୍ତି ୮ରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ।  ଐତିହାସିକଙ୍କ ମତରେ, ଅଷ୍ଟଧାତୁ ମୂର୍ତ୍ତିରେ ସୁନା, ରୁପା, ପିତ୍ତଳ ଭଳି ବହୁ ମୂଲ୍ୟବାନ ଧାତୁ ମିଶିଥାଏ ତାଛଡ଼ା ଯେଉଁ ମୂର୍ତ୍ତି ଯେତେ ପୁରୁଣା, ତାର ଦର ସେତେ ଅଧିକ । ତେଣୁ ଚୋରଙ୍କ ଟାର୍ଗେଟ୍‌ରେ ରହୁଛି ମନ୍ଦିର ।