• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜୁଳି ଉପଭୋକ୍ତାଙ୍କ ସହ ସାଂଘାତିକ ଧୋକାଧାଡି । ବିଲ୍‌ରେ କାରସାଦି କରି କୋଟି କୋଟି ଲୁଟୁଛି ଟାଟା ପାୱାର । ଯାହାର ଟେର ପାଉ ନାହାନ୍ତି ଉପଭୋକ୍ତା । ତେବେ ଓଟିଭି ହାତରେ ଲାଗିଛି ଏହି ତଞ୍ଚକତାର ଠୋସ୍ ପ୍ରମାଣ । ପ୍ରୋ-ରାଟା ବିଲିଂ କରି ଗ୍ରାହକଙ୍କୁ ଚୁନା ଲଗାଉଛି ବିଦ୍ୟୁତ୍ ବିତରଣ କଂପାନି । ପ୍ରୋ-ରାଟା ବିଲିଂ ଅର୍ଥାତ କମ୍ ଦିନର ରିଡିଂ ଦେଖି ମାସକର ଆକଳନ କରି ବିଲ୍ ପ୍ରସ୍ତୁତ କରିବା ।

ବିଲ୍‌ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି । ଯାହାଦ୍ୱାରା ଉପଭୋକ୍ତାଙ୍କୁ ଥରେ କିମ୍ବା ୨ ଥର ଅଧିକ ଇଲେକ୍ଟ୍ରି ଫି ବାବଦ ଦେୟ ଦେବାକୁ ପଡୁଛି । ଅନ୍ୟପକ୍ଷରେ ୨୫ ଦିନରେ ବିଲ୍ ହେବା ଦ୍ୱାରା ସ୍ଲାବ୍‌ର ଅନୁପାଳନ ହେଉନି ।

ଭୁବନେଶ୍ୱର ବାସିନ୍ଦା ସୌଭାଗ୍ୟ ଦେଓଙ୍କ ମେ’ ମାସ ବିଲ୍ ଉପରେ ନଜର ପକାଲେ ଜଣାପଡ଼ିବ, ପ୍ରଥମ ୫୦ ପରିବର୍ତ୍ତେ ୪୮, ଦ୍ୱିତୀୟ ୧୫୦ ପରିବର୍ତ୍ତେ ୧୪୪ ୟୁନିଟ୍‌ରେ ବିଲ ହିସାବ ହୋଇଛି । ଅର୍ଥାତ୍ ସୌଭାଗ୍ୟଙ୍କୁ ଅଧିକ ୮ ୟୁନିଟ୍ ସର୍ବୋଚ୍ଚ ସ୍ଲାବ୍‌ରେ ଦେବାକୁ ପଡିଛି । ହିସାବ କଲେ ତାଙ୍କୁ ଏହି ବିଲ୍‌ରେ ୪୫ରୁ ୫୦ ଟଙ୍କା ଚୁନ ଲଗାଇଛି ଟାଟା ପାଓ୍ୱାର । ବାଲେଶ୍ୱରର ପ୍ରିୟବ୍ରତ ମହାପାତ୍ରଙ୍କର ବି ଏମିତି ବିଲ୍ କରାଯାଇଛି ।

ଓଇଆର୍‌ସିର ସବୁ ନିୟମକୁ ଫୁ କରି ଏମିତି ହରିଲୁଟ୍ ଚଲାଇଛି ଟାଟା ପାଓ୍ୱାର । ଓଇଆରସି କଣ୍ଡିସନ ଅଫ ସପ୍ଲାଏ କୋଡ୍‌ ୨୦୧୯ର କ୍ଲଜ ୧୪୮ ଅନୁସାରେ, କେବଳ ନୂଆ ସଂଯୋଗ ଓ କନେକ୍ସନ କଟିବା ବେଳେ ହିଁ ଉପୋଭକ୍ତାଙ୍କୁ ପ୍ରୋ-ରାଟା ବିଲିଂ ଦିଆଯାଏ । ଅନ୍ୟ ଏକ କ୍ଲଜ ଅନୁସାରେ ଆବଶ୍ୟକସ୍ଥଳେ ୩ ଦିନ ଅଧିକ କିମ୍ଭା ଆଗରୁ ଅର୍ଥାତ ୨୭ ଦିନ କିମ୍ଭା ୩୩ ଦିନରେ ବିଲ୍ ହୋଇପାରେ ।

ତେବେ ରିଡିଂ ମାସକର ହେବା ଜରୁରୀ ତେଣୁ ଟାଟା ପାଓ୍ୱାର ନିୟମର ଖୋଲା ଉଲଂଘନ କରୁଥିଲେ ମଧ୍ୟ ଓଇଆର୍‌ସି କାହିଁକି ଚୁପ୍ । ତାକୁ ନେଇ ଉଠିଛି ପ୍ରଶ୍ନ । ଟାଟା ପାଓ୍ୱାରର ତଞ୍ଚକତା ବିଷୟରେ ଓଇଆର୍‌ସି ଅବଗତ ଅଛନ୍ତି ନା ଜାଣିଶୁଣି ଚୁପ୍ ରହିଛନ୍ତି । ରାଜ୍ୟରେ ୯୫ ଲକ୍ଷରୁ ଅଧିକ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ଏମାନଙ୍କ ଭିତରୁ ଯଦି ୫୦ ପ୍ରତିଶତ ବି ଏମିତି ଠକେଇର ଶୀକାର ହେଉଥିବେ ତେବେ ଟାଟା ପାଓ୍ୱାର ମାସକୁ ବେଆଇନ ଉପାୟରେ ୧୨ କୋଟିରୁ ଅଧିକ ଆଦାୟ କରୁଛି । ମାତ୍ର ବିଲ୍‌ରେ କୌଣସି ବେଆଇନ କାମ ହେଉ ନଥିବା ଟାଟା ପାୱାର କର୍ତ୍ତୃପକ୍ଷ ଯୁକ୍ତି ରଖିଛନ୍ତି ।

ବିଜୁଳି ବିଲରେ ତଞ୍ଚକତା, ଅଧିକ ବିଲ ଆସିବା ବିଷୟ ଗତକାଲି ଶକ୍ତି ସମ୍ଭନ୍ଧୀୟ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଆଲୋଚନା ହୋଇଥିଲା । ଖୋଦ ଶାସକ ଦଳ ବିଧାୟକମାନେ ଏହି ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ତେଣୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ କରି ବିଲ ସମସ୍ୟାର ସମାଧାନ ପାଇଁ ଟାଟା ପାୱାରକୁ ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶ ଦେଇଛି ।