• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ । ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଧରାହେଲେ ଆଉ ଚାରି ଫେରାର ଅଭିଯୁକ୍ତ । ହତ୍ୟାକାଣ୍ଡ ପରେ ପରେ ଏମାନେ ସିଧା ସାତପଡ଼ା ପଳାଇଥିଲେ । ଚିଲିକା ହ୍ରଦ ଭିତରେ ବୋଟ୍‌ରେ ଦୁଇ ରାତି ଲୁଚିଥିଲେ । ପ୍ରାୟ ସପ୍ତାହେ କାଳ ପୋଲିସ୍ ଆଖିରେ ଧୂଳି ଦେଇ ଏଣେ ତେଣେ ଘୂରି ବୁଲିବା ପରେ କେମିତି ହେଲେ ଗିରଫ ?

ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ । ୧୬ ତାରିଖରେ କୃଷ୍ଣଙ୍କୁ ବାରବାଟୀ ଯାଗାଘରେ ହତ୍ୟା କରିବା ପରେ ମୋଟର ସାଇକେଲରେ ତୁରନ୍ତ ସାତପଡ଼ା ପଳାଇଥିଲେ । ଦୁଇଦିନ ସେଠି ଜଙ୍ଗଲ ଭିତରେ ଲୁଚିବା ପରେ ପୋଲିସ ଗିରଫଦାରୀରୁ ବର୍ତ୍ତିବାକୁ ଦୁଇ ଦିନ କାଳ ଚିଲିକା ଭିତରେ ବୋଟ୍‌ରେ ଲୁଚିଥିଲେ । ସେଠୁ ବାଲୁଗାଁରୁ ବ୍ରହ୍ମପୁର ଯାଇ ୨୦ ତାରିଖରେ କୋରାପୁଟରେ ପହଞ୍ଚିଥିଲେ । ହେଲେ ସେଠାରୁ ପଡ଼ୋଶୀ ରାଜ୍ୟକୁ ଫେରାର ପାଇଁ ଚେଷ୍ଟା କରିବାବେଳେ କିନ୍ତୁ କାବୁ କରିଥିଲା ପୋଲିସ୍ ।

ଯେହେତୁ ଏମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁନଥିଲେ, ତେଣୁ ସେମାନଙ୍କୁ ଟ୍ରାକ୍ କରିବା ପୋଲିସ୍ ପାଇଁ ଥିଲା କାଠିକର ପାଠ । ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ଟିକନିଖ୍ ତଥ୍ୟ ପାଇବାକୁ ପୁରୀ ପୋଲିସ୍ ଆପଣାଇଥିଲା ଟ୍ରାଡିସନାଲ ମେଥଡ୍ । ବିଭିନ୍ନ ଜିଲ୍ଲାର ଥାନା ସହ ପଡ଼ୋଶୀ ରାଜ୍ୟମାନଙ୍କ ଥାନାକୁ ନିରନ୍ତର ଯୋଗାଯୋଗ କରିଥିଲା ପୋଲିସ । ଆଜି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କୁନମୁନ, ଟୁଟୁ, ହରିଙ୍କ ନାଁ ମୂଳ ଏଫଆଇଆରରେ ଥିଲା । ତେବେ ଟୁଟୁ ମହାପାତ୍ର ନାଁ ବ୍ରହ୍ମପୁରର ବହୁଚର୍ଚ୍ଚିତ ଚିକେନ୍ ରବି ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗ ବି ରହିଛି । ଅଭିଯୁକ୍ତ ଜଗନ ଖଟେଇ, କୁନମୁନ୍, ଟୁଟୁ ଓ ହରିଙ୍କୁ ଫେରାର କରିବାର ବ୍ଲୁ ପ୍ରିଣ୍ଟ ରଚିବା ସହ ସେମାନଙ୍କୁ ଲୁଚାଇ ରଖିବାରେ ବି ସହାୟତା କରିଥିଲା । ଏବେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟରସାଇକେଲ ଓ ବନ୍ଧୁକକୁ ଜବତ ପାଇଁ ଚେଷ୍ଟା ଚଳାଇଛି ପୋଲିସ୍ ।

ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଏମାନଙ୍କୁ ମିଶାଇ ମୋଟ୍ ୧୦ଜଣଙ୍କୁ ଗିରଫ କରି ସାରିଲାଣି ପୁରୀ ପୋଲିସ୍ । ଗତକାଲି ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ତା’ ପୁଅ ଦୋଳଗୋବିନ୍ଦ ସମେତ କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାକୁ ବି ଗିରଫ କରିଥିଲା । କୃଷ୍ଣଙ୍କ ଉପରକୁ ଫାୟାରିଂ ବେଳେ ବାବା ମହାପାତ୍ର ସମେତ କୁନମୁନ୍ ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିଲେ ବୋଲି ଏତଲାରେ ଏହା ଉଲ୍ଲେଖ ରହିଛି ।

ତେଣୁ ଏ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହେବା ପରେ ଏବେ ପର୍ଯ୍ୟାୟକ୍ରମେ ରିମାଣ୍ଡରେ ଆଣି କ୍ରାଇମ ପ୍ଲଟ୍ ରିକ୍ରିଏସନ୍ କରାଯିବ । ଯେଉଁଥିରୁ ଘଟଣାଦିନ କିଏ କେଉଁ ପୋଜିସନରେ ଥିଲେ ? କୃଷ୍ଣଙ୍କ ଉପରକୁ ଅଭିଯୁକ୍ତ କେମିତି ଆସି ଗୁଳି ଚଳାଇଥିଲେ ? ଏସବୁ ପୋଲିସ ଆଗରେ ଦେଖାଇବେ ଡେମୋ । ଏଥିସହ ଘଟଣାରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ ଲାଗି ବି ଉଦ୍ୟମ କରାଯିବ ବୋଲି କହିଛନ୍ତି ପୁରୀ ଏସ୍‌ପି । ସେପଟେ ସେବାୟତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନା ଜମିଜମା ବିବାଦରୁ ହୋଇଛି କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ? ସପ୍ତାହକ ଭିତରେ ସବୁ ଅଭିଯୁକ୍ତ ଧରାପଡ଼ିବା ପରେ କେତେ ଶୀଘ୍ର ସ୍ପଷ୍ଟ ହେଉଛି ମର୍ଡର ପଛର କାରଣ ତାକୁ ଏବେ ପୁରୀବାସୀଙ୍କ ଅପେକ୍ଷା ।