• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ଖିଅ । ଶର୍ମିଷ୍ଠା ଆଣ୍ଡ କୋଙ୍କ କ୍ରାଇମ ନେଟ୍‌ୱାର୍କର ଅନ୍ୟତମ ଅଭିଯୁକ୍ତ ନିରଂଜନ ସେଠୀଙ୍କ ଭୂମିକା ଆସିଲା ସାମ୍ନାକୁ । ଅପହରଣ, ହତ୍ୟା, ଅପରାଧିକ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ପାଇଁ ଢାଲ ସାଜିଥିବା ନିରଂଜନଙ୍କ ଖୋଲୁଛି ଅସଲ ମୁଖା ।

ମିିଳିଥିବା ସୂଚନା ଅନୁଯାୟୀ, ସେଦିନ ଥିଲା ଫେବ୍ରୁୟାରୀ ୭ । ଚାନ୍ଦବାଲି ପଳାସପୁରରୁ ସକାଳୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । ସେଠାରେ ଦିନସାରା ରଖିବା ପରେ ସଂଧ୍ୟାରେ ମାନସଙ୍କୁ ନିଆଯାଇଥିଲା ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ନ୍ୟୁଜ୍ ଅଫିସକୁ । ଏହି ସମୟରେ ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ବି ପହଞ୍ଚିଥିଲେ ।

ସେତେବେଳେ ଶର୍ମିଷ୍ଠା, ଝୁନା, ଝୁନାର ସ୍ୱାମୀ, ରାଜ୍ ସେଠାରେ ଥିଲେ । ଜଣେ କଂମ୍ପ୍ୟୁଟର ଅପରେଟର ଓ ଶର୍ମିଷ୍ଠାଙ୍କ ଭାଉଜ ବି ଥିଲେ । ସମସ୍ତଙ୍କ ଉପସ୍ଥିତିରେ ନିରଞ୍ଜନ ମାନସକୁ ପିଟିବା ସହ ରାତି ୧୦ଟାରେ ନିରଞ୍ଜନ ସଂପୂର୍ଣ୍ଣ ଅଫିସରୁ ଚାଲି ଯାଇଥିଲେ ବୋଲି ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଛନ୍ତି ନିରଂଜନ । କେବଳ ଗୋଟିଏ ଦିନ ନୁହଁ, ଭୁବନେଶ୍ୱର ଏୟାରଫିଲ୍ଡ଼ ଥାନା ଅନ୍ତର୍ଗତ ସ୍କାଏ ଟାୱାରରେ ଥିବା ସମ୍ପୂର୍ଣ୍ଣ ନ୍ୟୁଜ୍ ଅଫିସକୁ ନିରଂଜନ ଅନେକ ବାର ଯାଇଥିବା କହିଥିଲେ ଫ୍ଲାଟର୍ ଜଣେ ସିକ୍ୟୁରିଟି ଗାର୍ଡ । ଏଭଳି ତଥ୍ୟ ପରେ ଶର୍ମିଷ୍ଠା ଓ ନିରଂଜନଙ୍କୁ ସାଙ୍ଗରେ ନେଇ ସମ୍ପୂର୍ଣ୍ଣ ନ୍ୟୁଜ୍ ଅଫିସରେ ସିନ୍ ରିକ୍ରିଏଟ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରାୟ ୧୫ ମିନିଟ୍ କାଳ ଉଭୟଙ୍କୁ ଅଫିସ ଭିତରେ ପଚରାଉଚରା କରିଛି ।

ଏହାପରେ ଶର୍ମିଷ୍ଠା ଓ ତାଙ୍କ ନଣନ୍ଦଙ୍କ ଭଡ଼ାରେ ରହୁଥିବା ୨୦୪ ନମ୍ବର ଫ୍ଲାଟ୍‌ରେ ବି ସିନ୍ ରିକ୍ରିଏଟ୍ କରି ଏକ ମୋବାଇଲ୍‌କୁ ଜବତ କରିଛି । ଯେଉଁ ମୋବାଇଲକୁ ଛାଡ଼ିଦେଇ ଫେରାର ହୋଇଯାଇଥିଲେ ଶର୍ମିଷ୍ଠା । କେବଳ ମୋବାଇଲ୍ ନୁହେଁ, ନିରଂଜନଙ୍କ ଏକ ଗୋପନୀୟ ଡାଏରୀ ମିଳିଛି । ତେବେ ଶର୍ମିଷ୍ଠାଙ୍କ ନଣନ୍ଦ ଗତକାଲି ଫ୍ଲାଟ ବାସିନ୍ଦାଙ୍କୁ ଏକ ଅଣ୍ଡରଟେକିଂ ଲେଖି ଫ୍ଲାଟରୁ ଜିନିଷପତ୍ର ନେଇ ଚାଲିଯାଇଛି ।

ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀଙ୍କ ଭୂମିକା ଏତିକିରେ ସରିନି । ଅପରାଧ ପରେ ସୀମାପାର୍ କରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହ ଗାଡ଼ି ଦେଇଥିଲେ ନିରଂଜନ । ସେହି ଗାଡ଼ିରେ ମାର୍ଚ୍ଚ ୭ରେ ଝୁନା ଭୋଇଙ୍କ ସହ ସୀମାପାର୍ ହୋଇଗଲେ ଶର୍ମିଷ୍ଠା । ଜେରାବେଳେ କ୍ରାଇମବ୍ରାଞ୍ଚ ଆଗରେ ନିରଂଜନ ଏହା ସ୍ୱୀକାର କରିଛନ୍ତି । ପ୍ରଥମେ ଝୁନା ଓ ଶର୍ମିଷ୍ଠା ଯାଜପୁର କାଳିଆପାଣି ସ୍ଥିତ ଶାଶୂ ଘରକୁ ଯାଇଥିଲେ ।

ସେଠାରେ ୩ ଦିନର ରହଣୀ ପରେ କୋଲକାତା ଦେଇ ଗୌହାଟୀ ପଳାଇଥିଲେ । ଆଉ ଟଙ୍କା ସରିବା ପରେ କୋଲକାତାରୁ ଓଡ଼ିଶା ଫେରିବାବେଳେ ଭଦ୍ରକ ନଳଙ୍ଗାରେ ଶର୍ମିଷ୍ଠା ଓ ଝୁନା ଧରାପଡ଼ିିଥିଲେ । ତେବେ ଇତିମଧ୍ୟରେ ୫ଦିନିଆ ରିମାଣ୍ଡରେ ନେଇ ଅପହରଣ, ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ରର ପ୍ରତ୍ୟେକଟି ପ୍ରମାଣ ହାତେଇ ସାରିଛି କ୍ରାଇମବ୍ରାଞ୍ଚ । କାହାର କେଉଁ ଭୂମିକା ଥିଲା, ସେନେଇ ବି କ୍ରାଇମବ୍ରାଞ୍ଚ ମିଡିଆକୁ ତଥ୍ୟ ଦେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, କେଉଁ କାରଣ ପାଇଁ ସଂଘଟିତ ହେଲା ଅପରାଧ ? ଅପରାଧ ପଛରେ ଯେଉଁ ମେମୋରୀ ଚିପ୍ କଥା କୁହାଯାଉଛି, ସେହି ମେମୋରୀ ଚିପ୍‌ର ରହସ୍ୟ କଣ ? ତାହା ଏଯାଏଁ ସାମ୍ନାକୁ ଆସିନି ।

ମାର୍ଚ୍ଚ ୨୯ରୁ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନକୁ ୫ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜି ସମସ୍ତଙ୍କର ରିମାଣ୍ଡ ଅବଧି ସରୁଛି । ଆସନ୍ତାକାଲି ଚାନ୍ଦବାଲି JMFCରେ ପୁଣି ହାଜର କରାଯିବ । କୁହାଯାଉଛି, ପୁଣି ଥରେ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ।