• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ବନ୍ଧାହେଲେ । ମାନସଙ୍କୁ ଅପହରଣଠୁ ମୃତଦେହ ପୋତିବା ଯାଏଁ ବ୍ୟବହୃତ କାର୍ ବି ମିଳିଗଲା । ଅନ୍ୟତମ ମାଷ୍ଟରମାଇଣ୍ଡ ନିରଂଜନ ସେଠୀ ବି କଷ୍ଟୋଡିକୁ ଗଲେ । ଅଥଚ ପାୱାର୍ କରିଡରର ଜଣାଶୁଣା ଶର୍ମିଷ୍ଠା ଏବେ କେଉଁଠି ? ଜାଣିପାରୁନି ପୋଲିସ । ତେବେ ରାଜ୍ୟର ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠାଙ୍କ ଲିଙ୍କ୍ ଅଭିଯୋଗ ପରେ ମାମଲାର ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?

କାହିିଁକି ଓ କେମିତି ଘଟିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ? ତଦନ୍ତର ଗତି ଯେତିକି ବଢୁଛି, ସେତିକି ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା, ନୟାଗଡ଼ରେ ଡେଡ୍‌ ବଡି । ସମସ୍ତ ମିଷ୍ଟ୍ରିର ପରଦା ଖୋଲୁଛି ପୋଲିସ । ଆଉ ସବୁ ଅପରାଧର ମୁକସାକ୍ଷୀ ହେଉଛି ଶର୍ମିଷ୍ଠାଙ୍କ କାର୍ ।

 

OD-02 BA 6599 । ଏହି କାରରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ଦୟାଲ୍ ଆଶ୍ରମକୁ ଆଣିଥିଲେ ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସହ ୫ ଜଣ । ଆଉ ମରଣାନ୍ତକ ଆକ୍ରମଣ ଯୋଗୁଁ ପ୍ରାଣ ହରାଇବା ପରେ ମାନସଙ୍କ ମୃତଦେହକୁ ଆଗ ଓ ପଛ ସିଟ୍ ମଝିରେ ତଳେ ରଖି ନୟାଗଡ଼ ବଧିପାଟଣା ପାଖ ପାହାଡ଼ ନିକଟକୁ ନେଇ ପୋତି ଦେଇଥିଲେ । ଏହି କାରକୁ ଆଜି ବିଳମ୍ବରେ ହେଲେ ବି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟରୁ ଜବତ କରିଛି ଚାନ୍ଦବାଲି ପୋଲିସ । ଯେଉଁଥିରେ ଲାଗିଛି ସମ୍ପୂର୍ଣ୍ଣା ନ୍ୟୁଜ୍‌ ୱେବ୍‌ ପୋର୍ଟାଲର ଷ୍ଟିକର । ଏହି ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ପୋଲିସ ତଦନ୍ତ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ କରିିଥିବା ସୂଚନା ମିଳିଛି ।

କାରର ସନ୍ଧାନ କରୁ କରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡଙ୍କ କହିବା କଥା, ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ଅଫିସ୍‌ରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍‌ନିକାଲ୍ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କର ଥିଲା ଅବାଧ ପ୍ରବେଶ । ସପ୍ତାହକୁ ୨/୩ ଥର ଆସୁଥିଲେ ନିରଂଜନ । ସିକ୍ୟୁରିଟି ଚେକ୍ ବେଳେ ନିରଂଜନଙ୍କ କୌଣସି ଯାଞ୍ଚ କିମ୍ବା ଏଣ୍ଟ୍ରି ସମ୍ପର୍କୀତ ଦସ୍ତଖତ କରିବାକୁ ବାରଣ କରୁଥିଲେ ଶର୍ମିଷ୍ଠା । ନିରଞ୍ଜନ ନିଜ ଲୋକ । ସେ ଆମ ଚାନେଲ୍‌ର ଚେୟାରମ୍ୟାନ୍ ବୋଲି ସିକ୍ୟୁରିଟି ଗାର୍ଡକୁ ଶର୍ମିଷ୍ଠା କହିଥିବା ନେଇ ଓଟିଭିକୁ କହିଛନ୍ତି ସ୍କାଏ ଟାୱାର୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ।

ଏଠି ପ୍ରଶ୍ନ, ଶର୍ମିଷ୍ଠା-ନିରଂଜନଙ୍କ ସମ୍ପର୍କ ଭିତରେ କାହିଁକି ଏଭଳି ନିବିଡ଼ିତା ? କେତେଦିନ ହେଲା ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ସଂପର୍କ ? ନିରଂଜନଙ୍କ ସଂସ୍ପର୍ଶରେ ଆସି କେଉଁ ବଡ଼ବଡ଼ିଆଙ୍କ ଯାଏଁ ପହଞ୍ଚିଛନ୍ତି ଶର୍ମିଷ୍ଠା ? ଏବେ ଏଭଳି ପ୍ରଶ୍ନ ଉଠିଥିବା ବେଳେ ଭଉଣୀ ଶର୍ମିଷ୍ଠାଙ୍କୁ ଫେରାର୍ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କୁ ବିଜୟୱାଡ଼ାରେ ଲୁଚାଇ ରଖିଥିଲେ ପରମେଶ୍ୱର । ଏପରିକି ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ମାର୍ଚ୍ଚ ୧୩ରେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ବି ଦେଇଥିଲେ । ଆଉ ସେହି ଟଙ୍କାକୁ ଶର୍ମିଷ୍ଠା ଏଟିଏମ୍‌ରୁ ଡ୍ର କରି ଖସିଯିବା ବେଳେ ପୂର୍ବରୁ ବିଜୟୱାଡ଼ା ଯାଇଥିବା ଚାନ୍ଦବାଲି ପୋଲିସ ଜାଣିପାରିଥିଲା । ଫଳରେ ପରମେଶ୍ୱରଙ୍କୁ ବିଜୟୱାଡ଼ାରୁ ଧରିଥିଲା । ତାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଦଫା ବି ଲଗାଇଛି ପୋଲିସ୍ । ପରମେଶ୍ୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଣ ପାଇଁ ପୋଲିସ ମୋତେ ଧରିଛି ମୁଁ ଜାଣିନାହିଁ । ଭଉଣୀ ଶର୍ମିଷ୍ଠା ଯଦି ଦୋଷ କରିଛି, ତେବେ ସେ ଦଣ୍ଡ ପାଉ ।

ତେବେ ଶର୍ମିଷ୍ଠା କେଉଁଠି ଓ କାହା ଛତ୍ରଛାୟାରେ ଏତେଦିନ ଧରି ଆତ୍ମଗୋପନ କରିଛନ୍ତି ? ଯେଉଁ ମେମୋରି ଚିପ୍‌ରେ ଥିବା ଭିଡ଼ିଓ ପାଇଁ ହତ୍ୟା କରାଯାଇଛି ବୋଲି କୁହାଯାଉଛି, ତାପଛର ସତ କଣ ? କାହା ପାଖରେ ଅଛି ରହସ୍ୟ ଜନକ ଚିପ୍ ? ଏସବୁ ପ୍ରଶ୍ନକୁ ଧରି ଏବେ ମାମଲାର ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ ଜଣେ ଡିଏସ୍‌ପି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରିଛି । ଗୋଟିଏ ଟିମ୍ ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଏବଂ ଅନ୍ୟ ଏକ ଟିମ୍ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ କରିବ । ତାସହ କଲ୍ ଡିଟେଲ୍‌ସ, ଏଟିଏମ୍ ଟ୍ରାନ୍‌ଜାକ୍‌ସନ, ଲୋକେସନ ଆନାଲିସିସ୍ ସହ ଫରେନ୍‌ସିକ୍ ଟିମ୍‌ର ସହାୟତା ନେଇ ଘଟଣାର ଖୁଲାସା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।