• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ । ଉଜୁଡ଼ିଗଲା ନୂଆ ସଂସାର, ଭାଙ୍ଗିଗଲା ଦାମ୍ପତ୍ୟ ଜୀବନ । କଥା ଏତିକିରେ ସରିନି । ମନ୍ଦିର ଦର୍ଶନ ଆଳ କରି ସ୍ୱାମୀଙ୍କୁ ସାଙ୍ଗରେ ନେଇ ନିସ୍ତୁକ ମାଡ଼ ମରାଇଛନ୍ତି ପତ୍ନୀ । ତାସହ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ।

ନା କାନକୁ ଶୁଣିବାକୁ ଭଲ ଲାଗୁଛି, ନା ସହଜରେ କଥାଟାକୁ ଗ୍ରହଣ କରିହେଉଛି । ହେଲେ ଅଭିଯୋଗ କିନ୍ତୁ ଆସିଛି ଠିକ୍ ଏହିଭଳି । ବଳରାମ ସାହୁ ନାମକ ଯୁବକ ନୂଆ କରି ବିବାହ କରିଥିଲେ । ଏବେ ତାଙ୍କ ଅଭିଯୋଗ, ଯେଉଁଦିନ ଚଉଠି ରାତି ଥିଲା ସେଦିନ କୁଆଡ଼େ ବୟଫ୍ରେଣ୍ଡ ସହ ଭିଡ଼ିଓ ଚାଟିଂ କରୁଥିଲେ ତାଙ୍କ ପତ୍ନୀ । ଠିକ୍ ଏହି ସମୟରେ ରାତି ଅଧରେ ଉଠିପଡ଼ି ପତ୍ନୀର ଏଭଳି କାଣ୍ଡକୁ ଦେଖିନେଇଥିଲେ ସ୍ୱାମୀ ବଳରାମ । ପଚାରିବାରୁ କ୍ଷମା ମାଗିଲେ ନବବିବାହିତା ପତ୍ନୀ ।

ସେତେବେଳେ କ୍ଷମା ମାଗିଲେ ସିନା କିନ୍ତୁ ତା’ପରଦିନ ଲିଙ୍ଗରାଜ ମନ୍ଦିର ଯିବା ଆଳ କରି ସ୍ୱାମୀ ବଳରାମଙ୍କୁ ସାଙ୍ଗରେ ନେବା ସହ ସଂପର୍କୀୟଙ୍କ ସହ ମିଶି ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ବଳରାମ । ଏପରିକି ହତ୍ୟା ଧମକ ବି ଦେଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରିଥିବା ବେଳେ ମନ୍ଦିର ଯିବା ପୂର୍ବରୁ ବଳରାମଙ୍କ ଘରେ ଥିବା ସମସ୍ତ ସୁନା, ଗହଣା ସହ ଟଙ୍କା ଧରି ବାପଘରକୁ ଚାଲିଯାଇଥିଲେ ତାଙ୍କ ପତ୍ନୀ । ବର୍ତ୍ତମାନ ଏସବୁ ଘଟଣା ସମ୍ପର୍କରେ ଭରତପୁର ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ବଳରାମ ।

ମେ’ ୧୨ ତାରିଖ । ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ । ତାପୁଣି ବିନା ଯୌତୁକରେ । କିନ୍ତୁ ଚଉଠି ରାତିରେ ଯେଉଁ ଘଟଣା ଘଟିଲା ତାକୁ ନେଇ ଏବେ ଏହି ନବ ଦମ୍ପତ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବଳରାମ ଆଣୁଥିବା ସମସ୍ତ ଅଭିଯୋଗକୁ ନବବିବାହିତା ପତ୍ନୀ ଖଣ୍ଡନ କରିବା ସହ ପାଲଟା ଆକ୍ରମଣର ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଯଦି ବୟଫ୍ରେଣ୍ଡ ଥିଲା ତେବେ ସେ ତାଙ୍କୁ ପ୍ରେମ ବିବାହ କରିଥାନ୍ତେ । ବଳରାମ ଯାହା କହୁଛନ୍ତି, ସବୁ ମିଛ କଥା । ସେଦିନ ରାତିସାରା ବଳରାମ ଧମକ ଦେଇଥିଲେ ଏବଂ ମୋତେ ବ୍ଲେମ୍ କରିବାକୁ ସେମାନେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ବଳରାମଙ୍କ ନବବିବାହିତା ପତ୍ନୀ ।

ଏଠି ପ୍ରଶ୍ନ ଉଠୁଛି, ନବବିବାହିତା ପତ୍ନୀଙ୍କ ବିରୋଧରେ ନ୍ୟୁଡ୍ ଭିଡ଼ିଓ କଲ୍ ଅଭିଯୋଗ ପଛର ସତ କଣ ? ବିବାହର ମାତ୍ର କେଇ ଘଣ୍ଟା ଭିତରେ ଉଠିଥିବା ଝଡ଼ ପଛର ରହସ୍ୟ କଣ ? କିଏ ସତ କହୁଛନ୍ତି ? ସ୍ୱାମୀ ବଳରାମ ନା ତାଙ୍କ ନବବିବାହିତା ପତ୍ନୀ ? ସେପଟେ କମିଶନରେଟ୍ ପୋଲିସ ବଳରାମଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।

ଘଟଣା ପଛରେ ସତ୍ୟତା ଯାହା ଥାଉନା କାହିଁକି ତାହା ତ ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ଆସନ୍ତାକାଲି ବଳରାମଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ସତକୁ ପଦାକୁ ଆଣିବେ ବୋଲି କହିଛନ୍ତି।