• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିରଞ୍ଜନ-ଶର୍ମିଷ୍ଠା ନିଇତି ଚାଲିଥିଲା ଗପସପ । ଘଂଟା ଘଂଟା ଧରି ଫୋନରେ କଥାବାର୍ତ୍ତା । ଦିନକୁ କମ୍ ସେ କମ୍ ୫-୬ଥର । ନିରଞ୍ଜନଙ୍କ ଫୋନରୁ ଅଧିକାଂଶ କଲ୍ ଯାଉଥିଲା ଶର୍ମିଷ୍ଠାଙ୍କ ପାଖକୁ । ମାନସଙ୍କ ଅପହରଣ ପରଠାରୁ ବଢିଥିଲା କଲ୍ ସଂଖ୍ୟା । ଦିନକୁ ୨୦ରୁ ୨୫ ଥର ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର କଲ୍ କରିଥିଲେ ନିରଂଜନ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ କଲ୍ ଡିଟେଲ ଲୋକେସନ ଆନାଲିସିସ୍‌ରୁ ସାମ୍ନାକୁ ଆସିଛି ଏହି ତଥ୍ୟ । ଜଣାପଡିଛି ଯେ, ଶର୍ମିଷ୍ଠାଙ୍କ ସହ ବାରମ୍ବାର କଥା ହେଉଥିଲେ ନିରଞ୍ଜନ । ଏପରିକି ସେ ଫେରାର ହେବା ଏବଂ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବା ପରେ ବି ଶର୍ମିଷ୍ଠାଙ୍କ ପରିବାର ଲୋକଙ୍କୁ ନିରଞ୍ଜନ ଫୋନ୍ କରିଥିବା ପ୍ରମାଣ ପାଇଛି ପୋଲିସ ।

କେବଳ ଫୋନ୍ ନୁହେଁ, ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମକୁ ବାରମ୍ବାର ଆସୁଥିଲେ ନିରଂଜନ । ସେଦିନ ମାନସଙ୍କୁ ଅପହରଣ କରାଯିବା ପରେ ଆଶ୍ରମକୁ ଅଣାଯାଇଥିଲା । ଦୟାଲ ଆଶ୍ରମର କେୟାରଟେକରଙ୍କ କହିବା ଅନୁସାରେ, ମାନସଙ୍କୁ ଅପହରଣ କରି ଆଶ୍ରମରେ ରଖାଯାଇଥିଲା । ସେଠି ତାଙ୍କୁ ନିସ୍ତୁକ ମାଡ଼ ମରା ଯାଇଥିଲା । ଏସବୁ ଘଟଣାକୁ ସେ ନିଜେ ଦେଖିଥିବା କହିଛନ୍ତି । ସେପଟେ ଗତ ଫେବ୍ରୁଆରୀ ୭ ତାରିଖରେ ନିରଞ୍ଜନ ଦୟାଲ ଆଶ୍ରମରେ ସାଢେ ୩ ଘଣ୍ଟା ରହିଥିବା ମୋବାଇଲ୍ ଲୋକେସନ୍ ଆନାଲିସିସ୍‌ରୁ ଜଣାପଡ଼ିଛି ।

ଗିରଫ ହୋଇଥିବା ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରଂଜନ ନାୟକକୁ ଏବେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ରଖାଯାଇଛି । ସେଲ୍ ନମ୍ବର ୧୧ରେ ରାତି କଟାଇଛନ୍ତି ପୂର୍ବତନ ଓଆଇଏସ୍ ଅଫିସର ନିରଂଜନ । ଘର ଖାଦ୍ୟ ଖାଇବା ଲାଗି ଅନୁମତି ନ ମିଳିବାରୁ ଜେଲ୍‌ରେ ଗତକାଲି ରାତିରେ ଚୁଡା ଓ ଚିନି ଖାଇଥିଲେ ନିରଞ୍ଜନ । ସେପଟେ ଭଦ୍ରକ ପୋଲିସ୍ ଏବେ ନିରଂଜନଙ୍କୁ ରିମାଣ୍ଡରେ ନେବନି ଶର୍ମିଷ୍ଠା ରାଉତ ଧରା ପଡିବା ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା ରଖିଛି ପୋଲିସ୍ । ସେପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ । ଏଥିସହ ୪ ସପ୍ତାହ ମଧ୍ୟରେ ହାଜର ହେବାକୁ ଶର୍ମିଷ୍ଠାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।