• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ । ଏହି ମୃତ୍ୟୁ କିନ୍ତୁ ସ୍ୱାଭାବିକ ନୁହେଁ । ଆକସ୍ମିକ ମୃତ୍ୟୁ ପଛରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ହେଉଛି, ଯୌତୁକ ପାଇଁ ନିର୍ଯାତନା ଦେଇ ଝିଅକୁ ମାରିଦେଇଛନ୍ତି ଶାଶୂଘର ଲୋକେ ।

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ହେଲେ ଗତ ୨୯ ତାରିଖ ଦିନ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଭାବତୀଙ୍କ ମାଆ ।

ପ୍ରଭାବତୀଙ୍କ ପରିବାରର କହିବା କଥା, ପ୍ରକାଶଙ୍କ ସହ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବିବାହ ସିନା ବୈଦିକ ରୀତିରେ ହୋଇଥିଲା, କିନ୍ତୁ ଘଟସୂତ୍ର ହୋଇଥିଲା ମାଟ୍ରିମୋନି ସାଇଟ୍‌ରେ । ଏମ୍‌ବିଏ କରିଥିବା ପ୍ରଭାବତୀ ପସନ୍ଦ କରିଥିଲେ ସଫ୍ଟଓୟାର ଇଂଜିନିୟର ପ୍ରକାଶଙ୍କୁ । ଆଉ ଝିଅର ପସନ୍ଦ ମୁତାବକ ବାପା, ମାଆବି ହଁ ଭରି ଗତ ଏପ୍ରିଲ୍ ୨୮ରେ ବାହା କରାଇଥିଲେ । କିନ୍ତୁ ଦାମ୍ପତ୍ୟ ଜୀବନର ମାସେ ନପୁରୁଣୁ ସ୍ୱାମୀ ଓ ପରିବାର ଲୋକେ କୁଆଡ଼େ କାର୍, ବ୍ରେସଲେଟ୍ ଆଉ ଟଙ୍କା ମାଗୁଥିଲେ । ଏଥିପାଇଁ ପ୍ରଭାବତୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

 

ସେହି ନିର୍ଯାତନା କାରଣରୁ ଘର ଭିତରୁ ଗତ ୨୯ରେ ଝିଅର ମୃତଦେହ ମିଳିଥିଲା ଝୁଲନ୍ତା ଅବସ୍ଥାରେ । ଏସମ୍ପର୍କରେ ବାପଘର ଲୋକେ ଖବର ପାଇ ପହଞ୍ଚିବା ପୂର୍ବରୁ ଝିଅର ମରଶରୀରକୁ ମଶାଣି ନେଇଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଭାବତୀଙ୍କ ବାପା ।ୟ

ଏସମ୍ପର୍କରେ ଖଣ୍ଡଗିରି ପୋଲିସ ୩୦୨, ୩୦୪ (B), ୪୯୮ (A), ୩୪/IPC ଦଫା ଲଗାଇ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ତାଙ୍କ ବାପା, ମା ଓ ପରିବାର ସଦସ୍ୟଙ୍କ ସଂପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି । ଏନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୁକ୍ତ ପ୍ରକାଶ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିବାକୁ ଚାହିଁନଥିଲେ ।

ପ୍ରଭାବତୀଙ୍କ ମୃତ୍ୟୁର କାରଣ ଯୌତୁକ ନିର୍ଯାତନା ନା ଆଉ କିଛି । ତାହା ତ ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ, ୨୦୨୦ର ଏନ୍‌ସିଆର୍‌ବି ତଥ୍ୟକୁ ଯଦି ଦେଖିବା ତାହେଲେ, ରାଜ୍ୟରେ ୩୨୦ ଜଣଙ୍କ ଯୌତୁକ ଜନିତ ମୃତ୍ୟୁ ସହ ଓଡ଼ିଶାର ସ୍ଥାନ ରହିଛି ପଞ୍ଚମରେ । ଅର୍ଥାତ ଏବେ ବି ଯୌତୁକ ଜୁଇରେ ଜଳୁଛନ୍ତି ବୋହୁମାନେ ।