• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ କମିଶନରେଟ୍ ପୋଲିସକୁ ଏଟିଏମ୍ ଲୁଟେରାଙ୍କ ଖୋଲା ଚାଲେଞ୍ଜ । ରାଜଧାନୀରେ ଏଟିଏମ୍ ଲୁଟେରାଙ୍କ ନୂଆ ତରିକା । ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଅନାୟାସରେ ତାଡ଼ି ନେଇ ସେଥିରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଗତକାଲି ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମ୍‌ରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନଙ୍କୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା ।

ମାତ୍ର ୨୦ ମିନିଟ୍‌ରେ ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମ୍ ସମ୍ପୂର୍ଣ୍ଣ ତାଡ଼ି ନେବା ସହ ମେସିନରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟିିବାରେ ସଫଳ ଲୁଟେରା । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳର ପ୍ରାୟ ତିନି କ୍ୱିଣ୍ଟାଲ ଓଜନର ଏଟିଏମ୍‌ ମେସିନକୁ ସମ୍ପୂର୍ଣ୍ଣ ଉଠାଇ ଆଣିବା ପରେ ତାକୁ ଭାଙ୍ଗିି ଛିନଛତ୍ର କରି ଫିଙ୍ଗି ଦେଇଛନ୍ତି ଲୁଟେରା ଦଳ । କମିଶନରେଟ୍ ପୋଲିସର ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ଟା ବେଳେ ହୋଇଛି ଏହି ବଡ଼ ଧରଣର ଲୁଟ୍ । ଧଉଳି ଥାନା ଇନ୍ଦିରା କଳୋନୀ ଅଞ୍ଚଳରେ ଥିବା ଏଟିଏମ୍‌ର ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଥିବା ଲୁଟ୍ ସମୟରେ ଦୃଶ୍ୟରୁ ସ୍ପଷ୍ଟ ଯେ, ଏଟିଏମ୍‌ ଭିତରେ ପଶିଥିଲେ ୩ ଲୁଟେରା । ଆଉ ଆଖି ପିଛୁଳାକେ ଆରମ୍ଭ କରିଥିଲେ ଅପରେସନ୍ ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଲୁଟେରାମାନେ ଲୁଟ୍ ପାଇଁ ବ୍ୟବହାର କରିଥିବା ଗାଡ଼ିଟି ଏକ ଚୋରା ଗାଡ଼ି । ଯାହାକି ଅପରାଧ ସ୍ଥଳଠୁ ମାତ୍ର ୨ କିଲୋମିଟର ଦୂରରୁ ଗତକାଲି ରାତିରେ ଏକ ନର୍ସରୀରୁ ଚୋରି ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଲୁଟେରାମାନେ ଲୁଟ୍ ପରେ ଗାଡ଼ିଟିକୁ କିଛି ଦୂରରେ ଛାଡ଼ି ଦେଇ ଯାଇଥିବାରୁ ତାର ସନ୍ଧାନ ମିଳିଛି । କିନ୍ତୁ ହାଇଟେକ୍ ଲୁଟେରାଙ୍କ ସମ୍ପର୍କରେ ଏଯାଏଁ ସାମାନ୍ୟତମ ଟେର୍ ପାଇନି ପୋଲିସ । ଫୋରେନସିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ତଦନ୍ତ ବେଳେ ମେସିନର ଭଙ୍ଗା ଅଂଶ ଓ କିଛି ଚିରା ନୋଟ୍ ମିଳିଛି । ପୋଲିସ କହିଛି ଏ ଧରଣର ଲୁଟ୍ ରାଜଧାନୀରେ ସମ୍ପୂର୍ଣ୍ଣ ନୂଆ । କାରଣ ପୂର୍ବରୁ ଲୁଟେରାମାନେ ଏଟିଏମ୍ ଉଠାଇ ନେଇଥିଲେ ବି ଟଙ୍କା ନେବାର ସଫଳ ହୋଇନଥିଲେ । ତେଣୁ ଏଥିରେ କିଛି ପେଷାଦାର ଅପାରଧୀ ସଂପୃକ୍ତ ଥିବା ଅନୁମାନ କରୁଛି ପୋଲିସ ।

 

କମିଶନରେଟ୍ ପୋଲିସ ସ୍ୱୀକାର କରିଛି ଯେ, ଗତକାଲିର ଏ ଚୋରି ଘଟଣା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ୍ । ତେବେ ଏଠାରେ ପ୍ରଶ୍ନ ଯେ, ଆଲାର୍ମ ବ୍ୟବସ୍ଥା ଥାଇ ବି ଚୋରି ବେଳେ ଏସବୁ କେମିତି କାମକଲାନି ? ଲୁଟେରାମାନେ ଏତେ କମ୍ ସମୟରେ ଏତେବଡ଼ ମେସିନ୍‌କୁ କେମିତି ତାଡ଼ିଲେ ଏବଂ ଏତେ ସହଜରେ ଏଟିଏମ୍ ଭାଙ୍ଗି ଟଙ୍କା ନେବାରେ କିପରି ସଫଳ ହେଲେ ? ତେଣୁ ଏଟିଏମ୍ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ କେହି ଭିତିରି ଲୋକଙ୍କର ଏଥିରେ ଲିଙ୍କ୍ ନାହିଁ ତ ?