/odishatv-khabar/media/post_attachments/uploadimage/library/16_9/16_9_0/Crime_1664950617.jpg)
Crime
ବର୍ବର, ବିଭତ୍ସ, ଭୟାନକ । ପୂର୍ବ ଶତ୍ରୁତାର କରୁଣ ପରିଣତି । ଘରେ ପୂରେଇ ଲଙ୍କା ଧୂଆଁ ଦେଇଦେଲେ । ରୁମରେ ପେଟ୍ରୋଲ ଢାଳିଲେ । ମନ ସେତିକିରେ ସନ୍ତୁଷ୍ଟ ହେଲା ନାହିଁ ଯେ ଘରୁ ଜୀବନ ବଂଚାଇବା ପାଇଁ ଯୁବକ ଜଣକ ବାହାରିବା ବେଳେ ପୂର୍ବରୁ ଛକି ରହିଥିବା ଗାଁର କିଛି ଯୁବକ ଭୟାନକ ଆକ୍ରମଣ କରିଥିଲେ । ଆଉ ଆକ୍ରମଣର ମାତ୍ରା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ଟଳିପଡିଥିଲେ ଯୁବକ ।
ଏଭଳି ଏକ ଅମାବୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ହୁଣ୍ଡାଳାରେ । ସମୟ ରାତି ପ୍ରାୟ ୧୨ଟା ହେବ । ଗାଁର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଣବ କୁମାର ମହାନ୍ତଙ୍କୁ ଅତି ଅମାନବୀୟ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ପରିବାର ଲୋକଙ୍କ କହିବା ଅନୁସାରେ ରବିବାର ରାତିରେ କୌଣସି କାରଣରୁ ପ୍ରଣବଙ୍କ ସହ ଗାଁରେ ଥିବା ଦାଶ ପରିବାର ସହ ଝଗଡ଼ା ହୋଇଥିଲା । ଯେଉଁଥିରେ ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ହେଲେ ଦାଶ ପରିବାରର ରାଗ ଏତେ ଅଧିକ ଥିଲା ଯେ, ସେମାନେ ଚୁପ୍ ନବସି ଦୁଇ ବସ୍ତା ଶୁଖିଲା ଲଙ୍କାରେ ନିଆଁ ଲଗାଇ ରୁମ ଭିତରେ ଭର୍ତ୍ତି କରିଥିଲେ। କେବଳ ଏତିକି ନୁହେଁ ବରଂ ଲମ୍ବା ବାଉଁଶ ସାହାଯ୍ୟରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ପ୍ରଣବଙ୍କ ଦେହରେ । ଲଙ୍କା ଧୂଆଁ ଓ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରଣବ ଘର ବାହାରକୁ ପଳାଇ ଆସିଥିଲେ । ଆଉ ପୂର୍ବରୁ ଅପେକ୍ଷା କରିଥିବା ନରରାକ୍ଷସ ଶକ୍ତିଦାଶ ଓ ଭୁବନ ଦାଶ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ତାଙ୍କ ଜୀବନ ନେଇଯାଇଥିଲେ । ତେବେ ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)