• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱରରେ ବଢୁଛି ବାଲିମାଫିଆଙ୍କ ରାଜୁତି । ଦିନ ରାତି ୨୪ ଘଂଟା ମନଇଚ୍ଛା ନଇରୁ ବେଆଇନ ବାଲି ଚୋରା ଚାଲାଣ କରୁଛନ୍ତି । ତାହା ପୁଣି ପ୍ରଶାସନର ଦୃଷ୍ଟି ଆଢୁଆଳରେ । ଆଶ୍ଚର୍ଯ୍ୟର କଥା ଜଳେଶ୍ୱର ତହସିଲରେ ବେଆଇନ ବାଲି ଉତ୍ତୋଳନ ହେଉଥିବାରୁ ଜାତୀୟ ଗ୍ରୀନ ଟ୍ରିବୁନାଲ ବା ଏନଜିଟିରେ ମାମଲା ବିଚାରଧୀନ ଅଛି । ହେଲେ ଏହାକୁ ଖାତିର ନକରି ଜିଲ୍ଲାର ଦକ୍ଷିଣ ପ୍ରହରାଜପୁର, ମାଳିପାଳ, ରାଜନଗର ଆଦି ଅଂଚଳେରେ ଲକ୍ଷାଧିକ ଟଙ୍କାର ବାଲି ଲୁଟ୍‌ କରୁଛନ୍ତି ମାଫିଆ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡିଶାରୁ ବାଲି ଉଠାଇ ଚଢା ଦରରେ ପଡୋଶୀ ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି ବାଲି ମାଫିଆ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସୁବର୍ଣ୍ଣରେଖା ନଇରେ ସ୍ଥାନେ ସ୍ଥାନେ ବନ୍ଧ ବସାଇ ଶହଶହ ଟ୍ରିପ୍‌ ବାଲି ଚୋରାଚାଲାଣ କରୁଛନ୍ତି ମାଫିଆ । ଆଉ ବେଆଇନ୍ ବାଲି ଚାଲାଣ ହେଉଥିବା କାରଣରୁ ବିପଦରେ ନଈ ପାଖ ଗାଁ ଲୋକ । ଏନେଇ ପ୍ରଶାସନ ପାଖରେ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ କୌଣସି ଲାଭ ହେଉନି । କାରଣ ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହେଉଛି । ତେଣୁ ମନଇଚ୍ଛା ବାଲି ବିକ୍ରି କରୁଛନ୍ତି ମାଫିଆ।

ଜଳେଶ୍ୱର ତହସିଲ ଅଧୀନରେ ଶେଖରପୁର ଗ୍ରାମ ପଂଚାୟତରେ ରହିଛି ରାଜନଗର ଗାଁ । ଏହି ମୌଜାରେ ୫ ହେକ୍ଟର ଜାଗାରେ ବାଲି ଉତ୍ତୋଳନ ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ ଏଇ ସ୍ଥାନରେ ବାଲି ଉତ୍ତୋଳନ ହେଲେ ଆଗାମୀ ବନ୍ୟାରେ ଗାଁ ପ୍ରତି ବଡ଼ ବିପଦ ସୃଷ୍ଟି ହେବା ସହିତ ରାଜନଗର ମୌଜା ପୂରା ବୁଡିଯିବ । ତେଣୁ ସମୟ ଥାଉ ଥାଉ ଏବେଠୁ ପ୍ରଶାସନ ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ଜୋରଦାର ଦାବି ହେଉଛି ।

ସେପଟେ ଲୋକଙ୍କ ଅଭିଯୋଗକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସ୍କ୍ୱାର୍ଡ ଗଠନ ହୋଇଛି । ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ବାଲିମାଫିଆଙ୍କ ଉପରେ ନେଉଛି କାର୍ଯ୍ୟାନୁଷ୍ଠାନ ।

(ରିପୋର୍ଟ- ଅଜିତ କୁମାର ଦାସ, ଜଳେଶ୍ୱର)