• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା ମାମଲାରେ କଡ଼ା ଦଣ୍ଡ । ୬ ବର୍ଷ ତଳର ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକଙ୍କୁ ବଡ଼ ଦଣ୍ଡ । ଦଫା ୩୦୨ ହତ୍ୟା ଏବଂ ୨୦୧ ପ୍ରମାଣ ନଷ୍ଟ ଅଭିଯୋଗରେ ଅନୁପ ସାଏଙ୍କୁ ହୋଇଛି ଆଜୀବନ ସଜ୍ଜା । ଏଥିସହ ୧୨୦ (ବି) ଅପରାଧିକ ଷଡଯନ୍ତ୍ରରେ ଅଧିକ ୭ବର୍ଷ ଏବଂ ଦଫା ୩୪ରେ ହତ୍ୟାକାଣ୍ଡରେ ଏକାଧିକଙ୍କ ସଂପୃିକ୍ତ ନେଇ ମାମଲାର ଚୂଡାନ୍ତ ଶୁଣାଣି କରିଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ । ମାମଲାରେ ୫୦ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ଉଭୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ତେବେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ମୁକ୍ତ କରିଛନ୍ତି ।

ମେ’ ୬ -୨୦୧୬ । ଛତିଶଗଡ଼ ଜିଲ୍ଲା ଚକ୍ରଧରପୁରର ସମ୍ବଲପୁରୀ ଗାଁ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା ୨ଟି ମୃତଦେହ । ଯାହାକୁ ଚିହ୍ନଟ କରିବା ପୋଲିସ ପାଇଁ ଥିଲା ବଡ଼ ଚାଲେଞ୍ଜ । ତେଣୁ ଡିଏନ୍ଏ ଟେଷ୍ଟ ପାଇଁ ପଠା ଯାଇଥିଲା । ୨୦୧୮ରେ ଡିଏନ୍ଏ ରିପୋର୍ଟ ଆସିବା ପରେ ମୃତକ ଦୁଇ ଜଣ କଳ୍ପନା ଦାସ ଏବଂ ତାଙ୍କ ୧୪ ବର୍ଷିୟା ଝିଅ ପ୍ରଭାତୀ ବୋଲି ସ୍ପଷ୍ଟ ହୋଇଥିଲା । ଖୋଳତାଡ଼ ବେଳେ ଡବଲ ମର୍ଡର ଲିଙ୍କରେ ଛତିଶଗଡ଼ ପୋଲିସ ସ୍କାନରକୁ ଆସିଥିଲେ ଅନୁପ ସାଏ । ତଦନ୍ତ ପ୍ରକ୍ରିୟା ଭିତରେ ଡିଏନ୍ଏ ଟେଷ୍ଟ ପାଇଁ ସଂଗୃହୀତ ହୋଇଥିଲା ଅନୁପଙ୍କ ରକ୍ତ ନମୂନା ।

ହେଲେ ତା ପରେ ମାମଲା ୨ ବର୍ଷ ଯାଏଁ ଆଶ୍ଚର୍ଯ୍ୟଜନକ ଭାବେ ଶୀତଳ ଭଣ୍ଡାରକୁ ଚାଲିଗଲା । ପରେ ଡିଏନ୍ଏ ରିପୋର୍ଟ ସହିତ ଅନୁପ ସାଏଙ୍କ ରକ୍ତ ନମୁନା ମ୍ୟାଚ୍ କରିଥିଲା । ୧୩ ଫେବ୍ରୁଆରୀ ୨୦୨୦, ଗିରଫ ହୋଇଥିଲେ ପୂର୍ବତନ ବିଧାୟକ ଅନୁପ ସାଏ । ସାମ୍ନାକୁ ଆସିଥିଲା ପୁରା କାହାଣୀ । ମା, ଝିଅଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଏବଂ ପରେ ଦୁର୍ଘଟଣାର ରୂପ ଦେବାକୁ ଯାଇ ଗାଡ଼ି ଚଢ଼ାଇ କରାଯାଇଥିଲା ହତ୍ୟା ।

ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅନୁପ । ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ହେଲେ ୨୦୧୪ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ୨୦୧୯ରେ ଦଳ ତାଙ୍କୁ ଅଆଉ ଟିକେଟ୍ ଦେଇନଥିଲା । ନିର୍ବାଚନର କିଛି ମାସ ପରେ ଡବଲ୍ ମର୍ଡର ମାମଲାରେ ଛନ୍ଦି ହୋଇ ସେ ଜେଲ୍ ଯାଇଥିଲେ । ରାଜ୍ୟ ରାଜନୀତିରେ ତମ୍ବିତୋଫାନ ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ।