• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଶାରେ ସେ ଜଣେ ଆଇନଜୀବୀ । କିନ୍ତୁ ଖେଳାଇଲେ ଆତଙ୍କରାଜ । ପତ୍ନୀ ସହ ଲାଗିରହିଥିବା ବିବାଦରୁ ବିଚ୍ ବଜାରରେ ଯେଭଳି ଦବଙ୍ଗଗିରି ଦେଖାଇଲେ, ତାଟ୍‌କା ହୋଇଗଲେ ଲୋକେ । ଆମେ କହୁଛୁ ସମ୍ବଲପୁର ବୁର୍ଲାରେ ଜଣେ ଆଇନଜୀବୀ ଭିଆଇଥିବା ଭୟଙ୍କର କାଣ୍ଡ ସମ୍ପର୍କରେ । ଦାମ୍ପତ୍ୟ କଳହ ଯୋଗୁଁ ଶାଳକଙ୍କୁ ଗାଡ଼ି ମଡ଼ାଇ ଗୋଡ଼ ଭାଙ୍ଗିଦେଲେ । ଶ୍ୱଶୁରଙ୍କ ଉପରେ ବି ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କଲେ । ଶେଷରେ ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ? ପ୍ରତିଟି ଚିତ୍ର ଓଟିଭିର ହସ୍ତଗତ ହୋଇଛି ।

ଦାମ୍ପତ୍ୟ କଳହର ଭୟଙ୍କର ପରିଣତି । ଥରିଉଠିଲା ସମ୍ବଲପୁର ବୁର୍ଲାର କଚେରୀ ଛକ । ଥରହର ହୋଇଗଲା ସାରା ଇଲାକା । ନାଲି କାର୍‌ଟି କାହା ଉପରକୁ ଚଢ଼ିଯାଇଥିଲା ତ ଆଉ କେଉଁଠି ପାଚେରୀ ଭାଙ୍ଗି ଛିନ୍‌ଛତ୍ର କରିଦେଲା । ଆତଙ୍କରାଜରେ ଆତଙ୍କିତ ହୋଇପଡ଼ିଲା ସାରା ଇଲାକା । ହେଲେ ଅଭିଯୋଗ ହେଉଛି, ଏଥିଲା ଦାମ୍ପତ୍ୟ କଳିରୁ ଜ୍ୱାଇଁଙ୍କ ତାଣ୍ଡବ ରୂପ । ଯାହା ପୁରା ଦୃଶ୍ୟ କଏଦ୍ ହୋଇଛି ସିସିଟିଭିରେ । 

ନାଲି କାର୍‌ରେ ଥିଲେ ଜ୍ୱାଇଁ ପଞ୍ଚାନନ ଦାସ, ସାମ୍ନାରେ ଥିଲେ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ର । ରାମଚନ୍ଦ୍ରଙ୍କ ଉପରେ ଗାଡ଼ି ଚଢ଼ାଇଦେବାକୁ ପଞ୍ଚାନନ କରିଥିଲେ ଉଦ୍ୟମ । ସେପଟେ ଚାଲି ଚାଲି ଯାଉଥିଲେ ସମ୍ପର୍କିୟ ଶାଳକ । ସାମ୍ନାରୁ ସିଧା ଦ୍ରୁତଗତିରେ ଆସି ଗାଡ଼ି ମଡ଼ାଇ ଦେଲେ ଭିଣୋଇ ପଞ୍ଚାନନ । କାର୍ ଉପରେ ଲାଖିରହିଥିବା ଶାଳକଙ୍କୁ ନେଇ ସିଧା ପିଟିଦେଲେ ସମ୍ବଲପୁର ଏସ୍‌ପିଙ୍କ ସରକାରୀ ବାସଭବନ ପାଚେରୀ କାନ୍ଥରେ । ବାସ୍ ସେତିକି ଦୃଶ୍ୟ ପରେ ଦୌଡ଼ି ଆସିଲେ ଲୋକେ ଏବଂ ପଞ୍ଚାନନଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ଏଭଳି କାର୍ ଧକ୍କାରେ ସମ୍ପର୍କିୟ ଶାଳକଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶ୍ୱଶୁର ବି ଆହତ ହୋଇଛନ୍ତି ।

ପଞ୍ଚାନନଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ର । ୯ ବର୍ଷ ତଳେ ପଞ୍ଚାନନଙ୍କୁ ବିବାହ କରିଥିଲେ । ଚିନ୍ମୟୀଙ୍କ ଅଭିଯୋଗ, ଗତ ପ୍ରାୟ ୬ ମାସ ହେଲାଣି କୌଣସି କାରଣରୁ ପଞ୍ଚାନନଙ୍କ ସହ ଦାମ୍ପତ୍ୟକଳି ଲାଗି ରହୁଛି । ଏହି ବିବାଦରୁ ପିଲାଙ୍କୁ ନେଇ ବାପ ଘରେ ରହୁଛନ୍ତି ଚିନ୍ମୟୀ । ତେବେ ପଞ୍ଚାନନ ଜଣେ ଆଇନଜୀବୀ ହୋଇଥିବାରୁ ପିଲାଙ୍କ ଭରଣପୋଷଣ କଥା ସ୍ୱାମୀ ବୁଝନ୍ତୁ ବୋଲି ନିବେଦନ କରିବା ସହ ହସ୍ତକ୍ଷପ ପାଇଁ ଆଜି ବାପା ରାମଚନ୍ଦ୍ର ଓ ୨ ଭାଇଙ୍କୁ ଧରି ସମ୍ବଲପୁର ବାର୍ ଆସୋସିଏସନର ଦ୍ୱାରସ୍ଥ ହୋଇଥିଲେ । ଆଉ ଫେରିବାବେଳେ କଚେରୀ ଛକରେ ସମସ୍ତଙ୍କ ଉପରେ କାର୍ ଚଢ଼ାଇବାକୁ ପଞ୍ଚାନନ ଉଦ୍ୟମ କରିଥିଲେ ବୋଲି ପତ୍ନୀ ଚିନ୍ମୟୀ ଅଭିଯୋଗ କରିଛନ୍ତି ।

 

ତେବେ ପଞ୍ଚାନନ ଜଣେ ଆଇନଜୀବୀ ହୋଇଥିବାରୁ ତାଙ୍କ ଦ୍ୱାରା ଏଭଳି ଅପରାଧକୁ ନିନ୍ଦା କରିଛି ସମ୍ବଲପୁର ବାର୍ ଆସୋସିଏସନ୍ । ତାସହ ତାଙ୍କୁ ବାର୍ ଆସୋସିଏସନ୍‌ରୁ ନିଲମ୍ବନ କରାଯାଇଥିବା ବେଳେ ଏବେ ପୋଲିସ ହେପାଜତରେ ପଞ୍ଚାନନ ଦାଶ । ଏହି ଘଟଣା ପଛରେ କାରଣ ଯାହା ବି ଥାଉ, ଜଣେ ଆଇନଜୀବୀଙ୍କ ଦ୍ୱାରା ଏଭଳି ଲୋମଟାଙ୍କୁରା କାଣ୍ଡ ନେଇ ସମ୍ବଲପୁରରେ ଚର୍ଚ୍ଚା ଲାଗିରହିଛି । ତେବେ ଏନେଇ ପଞ୍ଚାନନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।