• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହଙ୍ଗା ପଡ଼ିଲା ଗାଡ଼ି ଚୋରି ମିଛ । ଏବେ ଜେଲ୍‌ରେ ଡ୍ରାଇଭର । ଜଣେ ଡ୍ରାଇଭରକୁ ମହଙ୍ଗା ପଡ଼ିଲା ମିଛ ଗାଡି ଚୋରି । କାମ ଦେଲାନି ଷଡଯନ୍ତ୍ର । ମିଛ ଧରା ପଡିବା ପରେ ବାନ୍ଧି ନେଲା ପୋଲିସ । ଏବେ ଜେଲରେ କଟୁଛି ଦିନ । ଆପଣଙ୍କ ଏସବୁ ଟିକେ ଅଡ଼ୁଆ ଲାଗୁଥିବ ।

ଆମେ କ’ଣ କହିବାକୁ ଚାହୁଁଛୁ ଆପଣ ବୁଝି ପାରୁନଥିବେ । ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଗାଡ଼ି ଚୋରି ହୋଇଛି ତ ପୁଣି ମିଛ ଚୋରି କ’ଣ ? ଆପଣଙ୍କ ମନକୁ ଏବେ ପ୍ରଶ୍ନ ଆସୁଥିବ ଡ୍ରାଇଭର କିଏ ? କାହିଁକି ଗାଡ଼ି ଚୋରି କଲା ? ଆଉ ସେହି ଚୋରି ପୁଣି ମିଛ କେମିତି ହେଲା ? ଖାଲି ସେତିକି ନୁହେଁ କେଉଁ ଗାଡ଼ି ଓ କାହା ଗାଡ଼ି ଚୋରି ହୋଇଛି ବୋଲି ମଧ୍ୟ ଆପଣ ଦ୍ୱନ୍ଦ୍ୱରେ ପଡ଼ିବେଣି । ତେବେ ଆସନ୍ତୁ ଜାଣିବା ପୁରା କାହାଣୀ..

ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍‌ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ । ଖାଲି ଉଦ୍ୟମ କରୁଥିଲା ତାହା ନୁହେଁ ବରଂ ଗାଡି ଚୋରି ପାଇଁ ରଚିଥିଲା ଷଡ଼ଯନ୍ତ୍ର । ବିହାରରୁ ଆସି ଭୁବନେଶ୍ୱରରେ ରହୁଥିବା ଚନ୍ଦନ ନାମକ ଜଣେ ମାଲିକଙ୍କ ଟାଟା ଇଂଟ୍ରା ପିକଅପ୍‌ ଭ୍ୟାନକୁ ଚଳାଉଥିଲା କାହ୍ନୁ । ୨୮ ତାରିଖରେ ଭଡ଼ା ନେଇ ଭୁବନେଶ୍ୱରରୁ ଯାଇଥିଲା ବ୍ରହ୍ମପୁର ।

ତେବେ ଏଇଠୁ ଆରମ୍ଭ ହୋଇଥିଲା କାହ୍ନୁର ଗେମ୍‌ ପ୍ଲାନ୍‌ । ଭଡା ସରିବା ପରେ ୩୦ ତାରିଖ ସକାଳେ ମାଲିକଙ୍କୁ ପ୍ରଥମେ ସେ ଫୋନ୍‌ କରିଥିଲା । ଆଉ କହିଥିଲା.. ଖଲ୍ଲିକୋଟ ବଡ଼ ଘାଟିରେ କିଛି ଅଜଣା ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ତାକୁ ଖୁବ୍ ମାଡ଼ ମାରିଛନ୍ତି । ଖାଲି ମାରିନାହାନ୍ତି ବରଂ ଗାଡ଼ି ଛଡ଼ାଇ ବ୍ରହ୍ମପୁର ଆଡକୁ ନେଇଯାଇଥିବା କାହ୍ନୁ କହିଥିଲା । ଦୁର୍ବୃତ୍ତମାନେ ଡିଏଲ ଓ ଫୋନ୍‌ ବି ନେଇଯାଇଥିବା କହିଥିଲା କାହ୍ନୁ ।

ଡ୍ରାଇଭରର ଏଭଳି ଅଭିଯୋଗକୁ ସତ ମାନି ଖଲ୍ଲିକୋଟ ଥାନାରେ ମାମଲା ରୁଜୁ କରିଥିଲେ ମାଲିକ ଚନ୍ଦନ । ଅଭିଯୋଗକୁ ଭିତ୍ତି କରି ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଉ ଡ୍ରାଇଭର ରଚିଥିବା ଷଡ଼ଯନ୍ତ୍ର ଖୁବ୍‌ ସହଜରେ ଭେଦ କରିଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ, ଡ୍ରାଇଭର ରଚିଥିବା ଗାଡ଼ି ଚୋରିର କାହାଣୀ ସମ୍ପୂର୍ଣ୍ଣ ମିଥ୍ୟା । ଖାଲି ସେତିକି ନୁହେଁ ଡ୍ରାଇଭରଙ୍କୁ ହିଁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା ପୋଲିସ । ତେଣୁ କାହ୍ନୁକୁ ନିଜ ହେପାଜତକୁ ନେଇ ସବୁ ଦିଗରୁ ପଚରାଉଚରା କରିଥିଲା ପୋଲିସ ।ପୋଲିସ ଆଗରେ ଶେଷରେ ନିଜ ଭୁଲ ସ୍ୱୀକାର କରିଥିଲା କାହ୍ନୁ, ଗାଡ଼ି ଚୋରି କାହାଣୀ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପୋଲିସ ଆଗରେ ମାନିଯାଇଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଗାଡ଼ି ଚୋରି ହୋଇ ନାହିଁ ତେବେ ଗଲା କୁଆଡ଼େ ? କେଉଁଠି ରହିଛି ଗାଡ଼ି ? ମାଲିକକୁ କାହିଁକି ଏଭଳି ମିଛ କାହାଣୀ କହିଥିଲା ଡ୍ରାଇଭର କାହ୍ନୁ ?

ତେବେ ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସାମ୍ନାକୁ ଆସିଛି । ପୋଲିସର ଜେରା ବେଳେ କାହ୍ନୁ ସବୁ ସତ ବଖାଣିଛି । ଡ୍ରାଭରର କହିବାନୁଯାୟୀ, ଗାଡ଼ିକୁ ସେ ନାରାୟଣୀ ଜଙ୍ଗଲ ମଧ୍ୟରେ ଗାଡ଼ିକୁ ଲୁଚାଇ ରଖିଛି । କାରଣ ତାକୁ ୧୫ ହଜାର ଟଙ୍କା ଆବଶ୍ୟକ ଥିଲା । ଏନେଇ ସେ ମାଲିକଙ୍କୁ ମଧ୍ୟ ମାଗିଥିଲା । କିନ୍ତୁ ଚନ୍ଦନ ତାକୁ ଟଙ୍କା ଦେବା ପାଇଁ ମନା କରିଥିଲେ ।

ଯାହା ଫଳରେ ସେ ଗାଡ଼ିକୁ ଲୁଚାଇ ଚୋରି ହୋଇଯାଇଛି ବୋଲି କହିଥିଲା । କିଛି ଦିନ ପରେ ସୁବିଧା ଦେଖି ଗାଡ଼ି ବିକ୍ରି କରିବ ବୋଲି ସେ ଚିନ୍ତା କରିଥିଲା । କିନ୍ତୁ ଏବେ କାହ୍ନୁର ସବୁ ଚାଲ ଫେଲ୍‌ ମାରିଛି । ତାଠାରୁ ତଥ୍ୟ ନେଇ ପୋଲସ ଗାଡ଼ିକୁ ଜଙ୍ଗଲରୁ ଉଦ୍ଧାର କରିଛି । ଡ୍ରଇଭରର ଏଭଳି କାରନାମା ଓ ସାହସକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

 

(ରିପୋର୍ଟ- ସିଲୁ ବିଶ୍ୱାଳ, ଖଲ୍ଲିକୋଟ)