• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନ ଥିଲା ପରଦା ସାମ୍ନାକୁ ଆସି ଖବର ଦେଖାଉଥିଲେ । ଆଜି କିନ୍ତୁ ନିଜେ ପାଲଟିଗଲେ ଖବର । ଦିନେ ଯେଉଁ ଜେଲ୍‌କୁ ଯାଇଥିଲେ ଅତିଥି ସାଜି, ଆଜି ସେହି ଜେଲ୍‌ରେ ନିଜେ ବନିଯାଇଛନ୍ତି କଏଦୀ । ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କ ସକାଳ, ସଞ୍ଜ, ଦିନ, ରାତି କଟୁଛି ଭଦ୍ରକ ଉପକାରାଗାରରେ । କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧି ସରିବା ପରେ ଗତ ୭ ତାରିଖରୁ ଜେଲ୍‌ର ମହିଳା ସେଲ୍‌ରେ ସାଥୀ ଝୁନା ଭୋଇ ସହ ଅଛନ୍ତି ଶର୍ମିଷ୍ଠା ରାଉତ । ସାଙ୍ଗରେ ଅନ୍ୟ ମହିଳା କଏଦୀ ବି ଅଛନ୍ତି ।

ହେଲେ ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ । କେବଳ ଶର୍ମିଷ୍ଠା କିମ୍ବା ଝୁନା ଭୋଇ ନୁହଁନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ତଥା ଅନ୍ୟତମ ଅଭିଯୁକ୍ତ ନିରଂଜନ ସେଠୀଙ୍କୁ ବି ଜୀଇଁବାକୁ ପଡୁଛି ଜେଲ୍‌ର ଚାରିକାନ୍ଥ ଭିତରେ । ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ପାଲଟିଛି ତାଙ୍କ ଠିକଣା । କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ସେଲ୍ ନମ୍ବର ୯ରେ ରହୁଛନ୍ତି ବିଚରାଧିନ ବନ୍ଦୀ ସାଜି ।

ଆଇନର ଶିକୁଳିରେ ଛନ୍ଦି ହୋଇଥିବା ନିରଂଜନଙ୍କ ହାତରୁ ଏବେ ଗୀତ ଝରୁନି କି କବିତା ଉତୁରୁନି । ଜେଲ୍ ଯିବା ପରେ ପ୍ରଥମେ ପ୍ରଥମେ ସେଠାକାର ଖାଦ୍ୟ ପାନୀୟ ରୁଚୁନଥିଲା । ଏବେ କିନ୍ତୁ ସବୁଥିରେ ଚଳାଇ ନେଉଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମାନସ ହତ୍ୟା ମାମଲାରେ ମାର୍ଚ୍ଚ ୨୯ରୁ କ୍ରାଇମବ୍ରାଞ୍ଚ ଏମାନଙ୍କୁ ଧରି ଖୋଳତାଡ଼ କରୁଥିଲା । ନିରଂଜନ ଓ ଶର୍ମିଷ୍ଠାଙ୍କୁ ପ୍ରଥମେ ୫ ଦିନ ଏବଂ ପରେ ପୁଣି ଶର୍ମିଷ୍ଠାଙ୍କ ସହ ଝୁନା ଭୋଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ଅବଧି ସରିବା ପରେ ନିରଂଜନଙ୍କୁ ଏପ୍ରିଲ୍ ୩ରୁ ଓ ଶର୍ମିଷ୍ଠାଙ୍କୁ ୭ ତାରିଖରୁ ଜେଲ୍‌କୁ ପଠାଇ ଦିଆଯାଇଛି । ଆଜି ନିରଂଜନ, ଶର୍ମିଷ୍ଠା, ଝୁନା ଭୋଇ ସହ ୮ ଅଭିଯୁକ୍ତଙ୍କୁ ଭିଡିଓ କନ୍‌ଫରେନ୍‌ସିଂରେ ଚାନ୍ଦବାଲି ଜେଏମ୍ଏଫ୍‌ସିରେ ହାଜର କରାଯାଇଥିଲା । ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ପାଇଁ କ୍ରାଇମବ୍ରାଞ୍ଚ ଆଉ କୌଣସି ପିଟିସନ୍ ଦାଖଲ କରିନାହିଁ । ଆସନ୍ତା ୨୨ ତାରିଖରେ ପୁଣି କୋର୍ଟରେ ସମସ୍ତଙ୍କୁ ହାଜର କରାଯିବ ।

ତେବେ ଯେଉଁ ମେମୋରୀ ଚିପ୍ ପାଇଁ ହତ୍ୟା କରାଯାଇଥିବା କୁହାଯାଉଥିଲା, ତାର ଗୁମର କେବେ ଖୋଲିବ କ୍ରାଇମ୍‌ବ୍ରାଞ୍ଚ ? କେଉଁଠି ରହିଗଲା ସେହି ମେମୋରୀ ଚିପ୍ ? ମାନସ ମର୍ଡର ମିଷ୍ଟ୍ରି ସହ ମେମୋରୀ ଚିପ୍‌ର କଣ ରହିଥିଲା ଲିଙ୍କ୍ ? ଆଠ ଆଠ ଜଣ ଅଭିଯୁକ୍ତଙ୍କୁ ଜେରା ଆଉ ରିମାଣ୍ଡ ପରେ ବି ସାମ୍ନାକୁ ଆସିପାରିନି ସତ ।